ମାତ୍ର ୫୦ ସାମଗ୍ରୀ ଉପରେ ୨୮% ଟିକସ


ଗୁଆହାଟୀ,୧୦ା୧୧(ପି.ଟି.) ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ। ଜୁଲାଇ ପହିଲାରୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଶବ୍ୟାପୀ ଲାଗୁ କରିଥିବା ଏକକ ସାମଗ୍ରୀ ଏବଂ ସେବା କର(ଜିଏସ୍‌ଟି)କୁ ନେଇ ବ୍ୟବସାୟୀ ମହଲ ଅସନ୍ତୁଷ୍ଟ ଅଛନ୍ତି। ବିଶେଷ କରି ଗୁଜରାଟର ବ୍ୟବସାୟୀମାନେ ଜିଏସ୍‌ଟି ପାଇଁ କେନ୍ଦ୍ର ଉପରେ ଅତ୍ୟନ୍ତ ଖପ୍ପା ହୋଇଛନ୍ତି। ସାଧାରଣରେ ମଧ୍ୟ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ସର୍ବାଧିକ ୨୮% ଜିଏସ୍‌ଟି ଲାଗୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଗୁଜରାଟ ନିର୍ବାଚନ ଓ ସାଧାରଣରେ ଦେଖାଦେଇଥିବା ଅସନ୍ତୋଷକୁ ବିଚାରକୁ ନେଇ କେନ୍ଦ୍ର ସରକାର ଜିଏସ୍‌ଟିର ସର୍ବୋଚ୍ଚ ସ୍ତର ୨୮ ପ୍ରତିଶତକୁ ମାତ୍ର ୫୦ଟି ସାମଗ୍ରୀରେ ସୀମିତ କରି ଦେଇଛନ୍ତି। ଗୁରୁବାରଠାରୁ ଗୁଆହାଟୀଠାରେ ଚାଲିଥିବା ଦୁଇଦିନିଆ ଜିଏସ୍‌ଟି ପରିଷଦ ବୈଠକ ଶେଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହି ଘୋଷଣା କରିଛନ୍ତି। ଚୁଇଙ୍ଗମ୍‌ଠାରୁ ଆରମ୍ଭ କରି ଚକୋଲେଟ୍‌, ବିଉଟି ପ୍ରଡକ୍ଟ ଏବଂ ହାତଘଡି ପର୍ଯ୍ୟନ୍ତ ୨୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରାଯାଇଛି। ୧୭୮ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଜିଏସ୍‌ଟି ପରିଷଦ ସର୍ବୋଚ୍ଚ ସ୍ଲାବ୍‌(୨୮%)ରୁ ୧୮%କୁ ଖସାଇଦେଇଛି। ପୂର୍ବରୁ ଏହି ସ୍ଲାବ୍‌ରେ ୨୨୮ଟି ସାମଗ୍ରୀ ରହିଥିଲା। ଅନ୍ୟପକ୍ଷରେ, ଓ୍ବେଟ୍‌ ଗ୍ରାଇଣ୍ଡର ଏବଂ ଆର୍ମର୍ଡ ଭେଇକିଲ୍‌କୁ ୨୮%ରୁ ୧୨%କୁ ଖସାଯାଇଛି। ୧୮%ରେ ଥିବା ୧୩ଟି ସାମଗ୍ରୀକୁ ୧୨%କୁ ଏବଂ ୬ଟିକୁ ୫% ସ୍ଲାବ୍‌କୁ ଖସାଇ ଦିଆଯାଇଛି। ସେହିଭଳି ୧୨%ରେ ଥିବା ୮ଟି ସାମଗ୍ରୀକୁ ୫%କୁ ଓ ୫%ରେ ଥିବା ୬ଟି ସାମଗ୍ରୀକୁ ଟିକସମୁକ୍ତ କରାଯାଇଛି। ଜିଏସ୍‌ଟି ପରିଷଦର ୨୩ ତମ ବୈଠକରେ ସାଧାରଣ ଖାଉଟି ଏବଂ କ୍ଷୁଦ୍ର ବ୍ୟବସାୟୀ ଉଭୟଙ୍କ ପାଇଁ ବଡ ରିହାତି ପ୍ରଦାନ କରାଯାଇଛି। ଫିଟ୍‌ମେଣ୍ଟ କମିଟି ପକ୍ଷରୁ ୨୮% ସ୍ଳାବ୍‌ରେ ୬୨ଟି ସାମଗ୍ରୀକୁ ରଖିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ ଏହାକୁ ୫୦ରେ ରଖିବା ପାଇଁ ପରିଷଦ ସ୍ଥିର କରିଛି। ଏହି ୫୦ଟି ସାମଗ୍ରୀ ମଧ୍ୟରେ ଲକ୍‌ଜ୍ୟୁରୀ ଏବଂ ଡି-ମେରିଟ୍‌ ଗୁଡ୍‌ସଗୁଡିକ ରହିଛି। ଚୁଇଙ୍ଗମ୍‌, ଚକୋଲେଟ୍‌, କଫି, କଷ୍ଟାର୍ଡ ପାଉଡର, ଡେଣ୍ଟାଲ ହାଇଜିନ୍‌ ପ୍ରଡକ୍ଟ, ପଲିସ୍‌ ଏବଂ କ୍ରିମ୍‌ , ଚମଡା ପୋଷାକ, କୁକର, ଷ୍ଟୋଭ୍‌, ଡିଓଡ୍ରାଣ୍ଟ୍‌, ରେଜର ଏବଂ ବ୍ଲେଡ୍‌, ଷ୍ଟୋରେଜ୍‌ ଓ୍ବାଟର୍‌ ହିଟର, ବ୍ୟାଟେରି, ଗଗଲ୍‌ସ, ହାତଘଣ୍ଟା, ମ୍ୟାଟ୍ରେସ୍‌, ମେକ୍‌-ଅପ୍‌ ସାମଗ୍ରୀ, ଶେଭିଙ୍ଗ୍‌ ଏବଂ ଆଫ୍ଟର୍‌ ଶେଭ୍‌ ସାମଗ୍ରୀ, ଶ୍ୟାମ୍ପୋ, ଓ୍ବାଶିଂ ପାଉଡର, ଡିଟର୍‌ଜେଣ୍ଟ, ଅନ୍ୟାନ୍ୟ ସାନିଟାରୀ ଉତ୍ପାଦ, ଗ୍ରାନାଇଟ୍‌ ଏବଂ ମାର୍ବଲ ୨୮% ସ୍ଲାବ୍‌ରେ ଥିବାବେଳେ ଏଗୁଡିକୁ ୧୮%କୁ ଖସାଇ ଦିଆଯାଇଛି। ସମସ୍ତ ଏସି ଏବଂ ଅଣ-ଏସି ରେଷ୍ଟୁରାଣ୍ଟଗୁଡିକ ପାଇଁ ଏକକ ଟିକସ ହାର ୫% ଧାର୍ଯ୍ୟ କରାଯାଇଛି। ଏମାନେ ଆଉ ଇନ୍‌ପୁଟ୍‌ କ୍ରେଡିଟ୍‌ ଟାକ୍ସ ପାଇବେ ନାହିଁ। ଏହି ନିଷ୍ପତ୍ତି ଫଳରେ ବାହାରେ ଖାଇବା ଶସ୍ତା ହେବ। ତେବେ ତାରକା ହୋଟେଲଗୁଡିକରେ ଥିବା ରେଷ୍ଟୁରାଣ୍ଟଗୁଡିକ, ଯେଉଁଠାରେ ରୁମ୍‌ ଭଡା ୭,୫୦୦ ଟଙ୍କା କିମ୍ବା ତଦ୍ଦୁର୍ଦ୍ଧ୍ୱ ଏମାନେ ୧୮% ଟିକସ ଚାର୍ଜ କରିବେ। ଏମାନଙ୍କୁ ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌ ମିଳିବ। ୭,୫୦୦ ଟଙ୍କାରୁ କମ୍‌ ରୁମ୍‌ ଭଡା ଥିବା ରେଷ୍ଟୁରାଣ୍ଟଗୁଡିକ ୫% ଜିଏସ୍‌ଟି ଚାର୍ଜ କରିବେ କିନ୍ତୁ ଇନ୍‌ପୁଟ୍‌ ଟାକ୍ସ କ୍ରେଡିଟ୍‌ ପାଇବେ ନାହିଁ। ଆଉଟ୍‌ଡୋର୍‌ କ୍ୟାଟରିଂ ରେଟ୍‌କୁ ୧୮% ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୫ରୁ ନୂଆ ଟିକସ ହାର କାର୍ଯ୍ୟକାରୀ ହେବ। ଶୁକ୍ରବାର ଘୋଷଣା କରାଯାଇଥିବା ଟିକସ ହ୍ରାସ ନିଷ୍ପତ୍ତି ଦ୍ୱାରା ସରକାରଙ୍କୁ ବାର୍ଷିକ ୨୦,୦୦୦ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡିବ। ପାନ ମସଲା, ମୃଦୁ ପାନୀୟ, ସିଗାରେଟ୍‌, ତମାଖୁଜାତ ଉତ୍ପାଦ, ସିମେଣ୍ଟ, ପେଣ୍ଟ, ପର୍ଫ୍ୟୁମ୍‌, ଏସି, ଡିଶ୍‌ ଓ୍ବାଶିଂ ମେଶିନ୍‌, ଓ୍ବାଶିଂ ମେଶିନ୍‌, ରେଫ୍ରିଜରେଟର, ଭ୍ୟାକ୍ୟୁମ୍‌ କ୍ଲିନର, କାର, ଟୁ-ହ୍ବିଲର୍‌ ଏବଂ ଏୟାର୍‌କ୍ରାଫ୍ଟ ୨୮%ରେ ଅପରିବର୍ତ୍ତିତ ରହିଛି। ଜିଏସ୍‌ଟି ରିଟର୍ନ ଫାଇଲିଂକୁ ସହଜ କରାଯାଇଛି। ୨୦୧୮ ଏପ୍ରିଲ ୩୦ ଯାଏ ଟିକସଦାତାମାନେ କେବଳ ଜିଏସ୍‌ଟିଆର୍‌୧ ଫାଇଲ୍‌ କରିବେ। ୨୦୧୮ ମାର୍ଚ୍ଚ ଯାଏ ଟିକସଦାତା ୩ବି ଫାଇଲ୍‌ କରିବେ। ଧୀରେ ଧୀରେ ୨୮% ସ୍ଳାବ୍‌କୁ ୧୮%କୁ ଖସାଇ ଦିଆଯିବା ଦରକାର ବୋଲି ବୈଠକରେ ଏକମତ ପ୍ରକାଶ ପାଇଥିଲା। କିନ୍ତୁ ଏହାର ପ୍ରଭାବ ସରକାରଙ୍କ ରାଜସ୍ବ ଉପରେ ବଡ ଧରଣର ରହିବ। ତେଣୁ ଏହି ନିଷ୍ପତ୍ତି ନେବାକୁ ଆଉ କିଛି ସମୟ ଲାଗିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କମ୍ପୋଜିଶନ୍‌ ସ୍କିମ୍‌ର ପରିସରକୁ ୧.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା ସଂସ୍ଥାଗୁଡିକ ଏହି ସ୍କିମ୍‌ରେ ସାମିଲ ହୋଇ ଏହାର ସୁବିଧା ନେଇପାରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri