ମାସକରେ ତୈଳ ଦର ୧.୫% ମହଙ୍ଗା


ନୂଆଦିଲ୍ଲୀ,୯-୧୧(ପି.ଟି.) ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଫଳରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ଗତ ମାସକ ମଧ୍ୟରେ ଲିଟର ପିଛା ଉଭୟ ଇନ୍ଧନ ଦର ପାଖାପାଖି ୧.୫% ମହଙ୍ଗା ହୋଇଛି। ଫଳରେ ଅକ୍ଟୋବରରେ ଯେଉଁ ୨ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରାଯାଇଥିଲା ତାହା ମୂଲ୍ୟହୀନ ହୋଇଛି। ଅନ୍ୟପକ୍ଷରେ, ପେଟ୍ରୋଲ ଏବଂ ଡିଜେଲରେ ଆଉ ଥରେ ଉତ୍ପାଦନ ଶୁଳ୍କ ହ୍ରାସର ସମ୍ଭାବନା ମଧ୍ୟ ନ ଥିବା ଜଣାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ନ ଦେବା ଏହାକୁ ସ୍ପଷ୍ଟ କରୁଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଘରୋଇ ବଜାରରେ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ନେଇ ସରକାରଙ୍କର କୌଣସି ଯୋଜନା ଅଛି କି ବୋଲି ଖବରଦାତାମାନଙ୍କ ପ୍ରଶ୍ନରେ ପ୍ରଧାନ ଉତ୍ତର ନ ଦେଇ ଦେଖିବା ଆଗକୁ କ’ଣ ହେଉଛି ବୋଲି କହି ସେ ଏହାକୁ ଏଡାଇ ଯାଇଥିଲେ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ୍‌ ପିଛା ୬୪.୬୫ ଡଲାର ଛୁଇଁଛି। ଚଳିତବର୍ଷର ଅଧିକାଂଶ ସମୟରେ ତୈଳ ଦର ବ୍ୟାରେଲ୍‌ ପିଛା ପାଖାପାଖି ୫୫ ଡଲାର ରହିଆସିଛି। ଗତ ୩ ମାସରେ ଇନ୍ଧନ ଦରରେ ଘଟିଥବା ବୃଦ୍ଧି ଯୋଗୁ ଖାଉଟିଙ୍କୁ ସାମାନ୍ୟ ଲାଘବ ଦେବା ପାଇଁ ସରକାର ଅକ୍ଟୋବରରେ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କରେ ୨ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଉଭୟ ଇନ୍ଧନ ଶସ୍ତା ହୋଇଥିଲା। ଏହି ଉତ୍ପାଦନ ଶୁଳ୍କ ହ୍ରାସ ଯୋଗୁ ସରକାରଙ୍କ ବାର୍ଷିକ ରାଜସ୍ବ କ୍ଷତି ୨୬,୦୦୦ କୋଟି ଏବଂ ୨୦୧୭-୧୮ ଆର୍ଥିକବର୍ଷର ଅବଶିଷ୍ଟ ସମୟ ପାଇଁ ରାଜସ୍ବ କ୍ଷତି ପାଖାପାଖି ୧୩,୦୦୦ କୋଟି ଟଙ୍କା ରହିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri