ଅସ୍ବାଭାବିକ ଜମା ଉପରେ ୧ଲକ୍ଷ ନୋଟିସ୍‌ ଜାରି କରିବ ଆୟକର ବିଭାଗ


ନୂଆଦିଲ୍ଲୀ,୭-୧୧- ବିମୁଦ୍ରୀକରଣ ପରେ ଯେଉଁ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷ ମାତ୍ରାଧିକ ପରିମାଣରେ ଟଙ୍କା ଜମା କରିଛନ୍ତି ସେମାନଙ୍କୁ ଆୟକର ବିଭାଗ ନଜରରେ ରଖିଛି। ଆୟକର ବିଭାଗର ସନ୍ଦେହ ନଜରରେ ଥିବା ଏହିଭଳି ପ୍ରାୟ ଏକ ଲକ୍ଷ ବ୍ୟବସାୟୀ ତଥା ବ୍ୟକ୍ତିଙ୍କୁ ବିଭାଗ ଚଳିତ ସପ୍ତାହରୁ ହିଁ ନୋଟିସ୍‌ ଜାରି କରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ଲୋକଙ୍କୁ ଏହି ନୋଟିସ୍‌ ପଠାଯିବ। ଉକ୍ତ ୭୦ ହଜାର ଆକାଉଣ୍ଟଧାରୀଙ୍କ ଖାତାରେ ଜଣେକା ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଜମା ହୋଇଥିଲେ ହେଁ ସେମାନେ ଆୟକର ରିଟର୍ନ ଫାଇଲ୍‌ କରି ନାହାନ୍ତି କି ଆୟକର ଅଧିକାରୀଙ୍କୁ କୌଣସି ତଥ୍ୟ ପ୍ରଦାନ କରି ନାହାନ୍ତି। ବିଭାଗ ସେମାନଙ୍କୁ ଆଇ-ଟି ଆକ୍ଟର ଧାରା ୧୪୨(୧) ଅନୁଯାୟୀ ନୋଟିସ୍‌ ଜାରି କରିବ। ସେହିପରି ଆଉ ୩୦ ହଜାର ନୋଟିସ୍‌ ଉକ୍ତ ଆକାଉଣ୍ଟଧାରୀଙ୍କୁ ପଠାଯିବ ଯେଉଁମାନଙ୍କର ଜମା ଏବଂ ରିଟର୍ନଫାଲ ପରିମାଣ ପୂର୍ବାପେକ୍ଷା ବିମୁଦ୍ରୀକରଣ ପରେ ମାତ୍ରାଧିକ ବଢିଯାଇଛି। ଅଧିକାରୀଜଣଙ୍କ କହିବା ଅନୁସାରେ ବିମୁଦ୍ରୀକରଣ ପରେ ୨୦,୫୭୨ ଟିକସଦାତାଙ୍କୁ ଯାଞ୍ଚ ପ୍ରକ୍ରିୟା ଭିତରକୁ ଆଣିବା ପାଇଁ ଚୟନ କରାଯାଇଥିଲା। ଅନ୍ୟମାନଙ୍କୁ ପର୍ଯ୍ୟାୟକ୍ରମେ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଣାଯିବ। ସେହିପରି ଆସନ୍ତା ମାସରେ ଆଉ ଏକ ପର୍ଯ୍ୟାୟରେ ନୋଟିସ୍‌ ପଠାଯିବ। ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୫ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ହୋଇଥିବ ସେହି ଶ୍ରେଣୀର ଆକାଉଣ୍ଟଧାରୀଙ୍କୁ ଟିକସ ଅଧିକାରୀ ଏହି ନୋଟିସ୍‌ ପଠାଇବେ। ଏହି ପ୍ରକ୍ରିୟା ଅପରେଶନ କ୍ଲିନ୍‌ ମନିର ଏକ ଅଂଶ ବିଶେଷ ବୋଲି ସେ କହିଛନ୍ତି। ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୧୭ ଲକ୍ଷ ୭୩ ହଜାର ସନ୍ଦେହଜନକ କାରବାରରେ୨୩ ଲକ୍ଷ ୨୨ ହଜାର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩ଲକ୍ଷ ୬୮ ହଜାର କୋଟି ଟଙ୍କା ଚିହ୍ନଟ ହୋଇଛି। ଏ ପର୍ଯ୍ୟନ୍ତ ୧୧ ଲକ୍ଷ ୮ ହଜାର ଲୋକଙ୍କର ୧୬ ହଜାର ୯୨ ଲକ୍ଷ ଆକାଉଣ୍ଟ ସମ୍ପର୍କରେ ଅନ୍‌ଲାଇନ୍‌ ତଥ୍ୟ ହାସଲ ହୋଇଛି। ଯେଉଁମାନେ ବିମୁଦ୍ରୀକରଣ ପରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଜମା କରିଛନ୍ତି ସେମାନେ ଏହି ଟଙ୍କା କେଉଁ ସୂତ୍ରରୁ ଅର୍ଜନ କରିଛନ୍ତି ତାହା ଜଣାଇବାପାଇଁ ବାଧ୍ୟ। ସେମାନଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚରାଯିବ। ଯଦି ସେମାନେ ଉତ୍ତର ନ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ୨୫ ଲକ୍ଷରୁ ଅଧିକ ଓ ୫୦ ଲକ୍ଷରୁ କମ୍‌ ଟଙ୍କା ଜମାକାରୀ ମଧ୍ୟ ସମାନ ପ୍ରକ୍ରିୟାର ସାମ୍ନା କରିବେ ବୋଲି ଅଧିକାରୀଜଣକ କହିଛନ୍ତି। ଆଇଟି ବିଭାଗ ୨୦୧୬ ନଭେମ୍ବର ୯ରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ପ୍ରାୟ ୯୦୦ଥର ତଦନ୍ତ କରି ୯୦୦ କୋଟି ଟଙ୍କା ଜବତ କରିଛି। ସେଥିମଧ୍ୟରୁ ୬୩୬ କୋଟି ଟଙ୍କା ନଗଦ ଆକାରରେ ଜବତ ହୋଇଛି। ସମାନ ସମୟ ମଧ୍ୟରେ ବିଭାଗ ୮,୨୩୯ଟି ସର୍ଭେ ଅପରେଶନ କରି ୬,୭୪୫ କୋଟି ଟଙ୍କା କଳାଧନ ଜବତ କରିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri