ବିମୁଦ୍ରୀକରଣ ପରେ ସନ୍ଦିଗ୍ଧ କମ୍ପାନୀଙ୍କ ୧୭୦୦୦ କୋଟି କାରବାର


ନୂଆଦିଲ୍ଲୀ, ୫-୧୧-ଆଉ ଦୁଇଦିନ ଗଲେ ବିମୁଦ୍ରୀକରଣକୁ ବର୍ଷେ ପୂରଣ ହେବ। କିନ୍ତୁ ଅର୍ଥନୀତିରୁ ସମସ୍ତ ଅଚଳ ଘୋଷିତ ନୋଟ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଫେରିପାରିନାହିଁ । ଅନ୍ୟ ପକ୍ଷରେ ଏ ପର୍ଯ୍ୟନ୍ତ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ନାହିଁ ବୋଲି ଆର୍‌ବିଆଇ ସୂଚନା ଦେଇଛି। ଏଭଳି ସ୍ଥଳେ ରବିବାର ଏକ ସଦ୍ୟତମ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର କହିଛନ୍ତି ଯେ, ପ୍ରାୟ ୩୫୦୦୦ କମ୍ପାନୀ ବିମୁଦ୍ରୀକରଣ ପରେ ୧୭୦୦୦ କୋଟି ଟଙ୍କା ଜମା ଓ ଉଠାଣ କରିଛନ୍ତି। କିନ୍ତୁ ଏହି କମ୍ପାନୀଗୁଡିକ ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନୀଜ୍‌(ଆର୍‌ଓସି)ର ରେକର୍ଡରୁ ଓହରି ଯାଇଛନ୍ତି। ଦେଶର ୫୬ଟି ବ୍ୟାଙ୍କରୁ ମିଳିଥିବା ତଥ୍ୟ ଆଧାରରେ ସରକାର ଏହି ସୂଚନା ଦେଇଛନ୍ତି। ବିମୁଦ୍ରୀକରଣ ସମୟରେ ୫୮ ହଜାର ବ୍ୟାଙ୍କ ଆକାଉଣ୍ଟରେ ଉକ୍ତ ୩୫ ହଜାର କମ୍ପାନୀର ଏହି କାରବାର ହୋଇଛି। ସେହିପରି ବିମୁଦ୍ରୀକରଣ ପରେ ଦେଶର ପ୍ରାୟ ୨.୨୪ ଲକ୍ଷ କମ୍ପାନୀ ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନୀଜ୍‌(ଆର୍‌ଓସି)ରୁ ରେକର୍ଡ ପ୍ରତ୍ୟାହାର କରି ନେଇଥିବା ମଧ୍ୟ କୁହାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଏଭଳି କମ୍ପାନୀଗୁଡିକର ସ୍ତାବର ଓ ଅସ୍ତାବର ସମ୍ପତ୍ତି ବିକ୍ରି କିମ୍ବା ଅଦଳବଦଳ ଯେପରି ହୋଇ ନ ପାରେ ସେଥି ପାଇଁ କଡା ନଜର ରଖିବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଏକ କମ୍ପାନୀର ଉଦାହରଣ ଦେଇ କହିଛନ୍ତି, ୨୦୧୬ ନଭେମ୍ବର ୮ରେ ଗୋଟିଏ କମ୍ପାନୀର ଓପନିଂ ବାଲାନ୍ସ ଶୂନରୁ କମ୍‌ ଥିଲେ ମଧ୍ୟ ବିମୁଦ୍ରୀକରଣ ପରେ ଉକ୍ତ ଆକାଉଣ୍ଟରେ ୨୪୮୪ କୋଟି ଟଙ୍କାର କାରବାର ହୋଇଛି। ସେହିପରି ଆଉ ଏକ ଆକାଉଣ୍ଟରେ ୨୧୩୪ କୋଟି ଟଙ୍କାର କାରବାର ହୋଇଛି। ଏ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି), ଫାଇନାନ୍ସିସିଆଲ୍‌ ଇଣ୍ଟେଲିଜେନ୍ସି ୟୁନିଟ୍‌ ଏବଂ ଆର୍‌ବିଆଇକୁ ପ୍ରଦାନ କରାଯାଇଛି। କମ୍ପାନୀ ଆକ୍ଟ ଅନୁସାରେ ଏହାର ତଦନ୍ତ କରାଯିବ। ଏଭଳି ଅନୈତିକ ଆର୍ଥକ କାରବାର କରୁଥିବା କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି। ଉଭୟ ରାଜସ୍ବ ସଚିବ ଓ କର୍ପୋରେଟ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ଏହା ଗଠିତ ହୋଇଥିବା ବେଳେ ୫ଟି ବୈଠକ ଅନୁଷ୍ଠିତ ହୋଇ ସାରିଛି। ଯେଉଁ କମ୍ପାନୀଗୁଡିକ ୨୦୧୩-୧୪ ଆର୍ଥିକ ବର୍ଷରୁ ୨୦୧୫-୧୬ କ୍ରମାଗତ ତିନିବର୍ଷର ଆନୁଆଲ୍‌ ଫାଇନ୍‌ସିଆଲ୍‌ ଷ୍ଟେଟ୍‌ମେଣ୍ଟ ଓ ବାର୍ଷିକ ରିଟର୍ନ ସମ୍ପର୍କରେ ତଥ୍ୟ ଦେବା ପାଇଁ ବିଫଳ ହେବେ ସେଗୁଡିକର ନିର୍ଦ୍ଦେଶକଙ୍କ ବିରୋଧରେ ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଏଭଳି ପଦକ୍ଷେପ ଦ୍ୱାରା ପ୍ରାୟ ୩.୦୯ ଲକ୍ଷ ନିର୍ଦ୍ଦେଶକ ପ୍ରଭାବିତ ହୋଛନ୍ତି। ସେଥି ମଧ୍ୟରୁ ପ୍ରାୟ ୩୦୦୦ ଡିସ୍‌କ୍ୱାଲିଫାଏ ଡାଇରେକ୍ଟର ଗୋଟିଏ ଦୁଇଟି ନୁହେଁ ପ୍ରାୟ ୨୦ରୁ ଅଧିକ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି। ସରକାର ପୁଣି ମଧ୍ୟ କହିଛନ୍ତି ଏକ ନ୍ୟାଶ୍‌ନାଲ୍‌ ଫାଇନାନ୍ସିଆଲ୍‌ ରିପୋର୍ଟିଂ ଅଥରିଟି ଗଠନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। କମ୍ପାନୀଗୁଡିକର ଫାଇନାନ୍ସିଆଲ୍‌ ଷ୍ଟେଡ୍‌ମେଣ୍ଟ, ଆକାଉଣ୍ଟ ଷ୍ଟାଣ୍ଡାର୍ଡ ତଦାରଖ କରିବା ସହିତ ଅନୈତିକ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri