ପୁଣି ବଢ଼ିଲା ରନ୍ଧନ ଗ୍ୟାସ


ନୂଆଦିଲ୍ଲୀ,୧-୧୧(ପି.ଟି.)-୨୦୧୬ ଜୁଲାଇରୁ ୧୯ ଥର ଲାଗି ରନ୍ଧନ ଗ୍ୟାସ୍‌ (ଏଲ୍‌ପିଜି) ଦରରେ ବୃଦ୍ଧି ଘଟିଛି। ପ୍ରତିମାସରେ ଦର ବୃଦ୍ଧି କରି ସରକାର ସବ୍‌ସିଡିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଯାଉଛନ୍ତି। ୧୪.୨ କିଲୋଗ୍ରାମ ସିଲିଣ୍ଡରବିଶିଷ୍ଟ ସବ୍‌ସିଡି ଏଲ୍‌ପିଜି ଦରରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବୁଧବାର ୪ ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି। ଫଳରେ ଏହା ୪୯୫.୬୯ ଟଙ୍କା ହୋଇଛି। ଅନ୍ୟପକ୍ଷରେ, ଅଣସବ୍‌ସିଡିଯୁକ୍ତ ଏଲ୍‌ପିଜି ଦରରେ ସିଲିଣ୍ଡର ପିଛା ୯୩ ଟଙ୍କା ବୃଦ୍ଧି ଘଟି ୭୪୨ଟଙ୍କା ହୋଇଛି। ଗତ ଅକ୍ଟୋବର ୧ରେ ଏଥିରେ ୫୦ ଟଙ୍କା ବୃଦ୍ଧି ଘଟି ୬୪୯ ଟଙ୍କା ହୋଇଥିଲା। ତେବେ ପ୍ରତି ମାସରେ ଉଭୟ ସବ୍‌ସିଡି ଏବଂ ଅଣ-ସବ୍‌ସିଡି ଏଲ୍‌ପିଜି ଦରରେ ହେଉଥିବା ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏଲ୍‌ପିଜି ଉପରେ ସବ୍‌ସିଡିକୁ ସମ୍ପୂର୍ଣ୍ଣ ହଟାଇ ଦେବା ଲକ୍ଷ୍ୟରେ ଗତବର୍ଷ ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକୁ ପ୍ରତି ମାସରେ ଦର ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନୀତିକୁ କାର୍ଯ୍ୟକାରୀ କରାଯିବାଠାରୁ ବର୍ତ୍ତମାନ ମଧ୍ୟରେ ସବ୍‌ସିଡି ଏଲ୍‌ପିଜି ଦରରେ ସିଲିଣ୍ଡର ପିଛା ୭୬.୫୧ ଟଙ୍କା ବୃଦ୍ଧି ଘଟିଛି। ୨୦୧୬ ଜୁନ୍‌ରେ ୧୪.୨ କିଲୋଗ୍ରାମର ଏକ ଏଲ୍‌ପିଜି ସିଲିଣ୍ଡର ଦର ୪୧୯.୧୮ ଟଙ୍କା ଥିଲା। ନିୟମ ଅନୁସାରେ ପ୍ରତି ପରିବାର ଗୋଟିଏ ବର୍ଷରେ ୧୨ଟି ସିଲିଣ୍ଡର ସବ୍‌ସିଡି ଦରରେ ପାଇପାରିବେ। ଏହାଠାରୁ ଅଧିକ ଆବଶ୍ୟକ ପଡିଲେ ସେମାନଙ୍କୁ ବଜାର ଦରରେ ଏଲ୍‌ପିଜି କିଣିବାକୁ ପଡିବ। ପ୍ରତି ମାସର ୧ ତାରିଖରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଏଲ୍‌ପିଜି ଏବଂ ଏଟିଏଫ୍‌ ଦରରେ ବୃଦ୍ଧି ଘଟାଇଥାନ୍ତି। ପ୍ରାଥମିକ ଭାବେ ପ୍ରତିମାସ ଏଲ୍‌ପିଜି ଦରରେ ୨ ଟଙ୍କା ବୃଦ୍ଧି କରାଯାଉଥିଲା। ଦେଶରେ ପାଖାପାଖି ୧୮.୧୧ କୋଟି ସବ୍‌ସିଡି ଏଲ୍‌ପିଜି ଗ୍ରାହକ ଅଛନ୍ତି। ଏଥିମଧ୍ୟରୁ ୩ କୋଟିରୁ ଊର୍ଦ୍ଧ୍ୱ ଗରିବ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଏଲ୍‌ପିଜି ସଂଯୋଗ ଦିଆଯାଇଛି। ତେବେ ଅଣସବ୍‌ସିଡି ଗ୍ରାହକ ସଂଖ୍ୟା ୨.୬୬ କୋଟି ରହିଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁ ଜେଟ୍‌ ଇନ୍ଧନ ଏଟିଏଫ୍‌ ଦରରେ ୨% ବୃଦ୍ଧି ଘଟିଛି। ଅଗଷ୍ଟରୁ କ୍ରମାଗତ ଚତୁର୍ଥ ଥର ପାଇଁ ଏଥିରେ ବୃଦ୍ଧି ଘଟିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri