ଭାରତର ଅଭିବୃଦ୍ଧି ଆକଳନ ଖସାଇଲା ବିଶ୍ୱବ୍ୟାଙ୍କ


ଓ୍ବାଶିଂଟନ୍‌,୧୧-୧୦(ପି.ଟି.) ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଭଳି ପଦକ୍ଷେପ ଦେଶର ଅଭିବୃଦ୍ଧି ଆଗରେ ବର୍ତ୍ତମାନ ବଡ ବାଧକ ସାଜିଛି। ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାନଗୁଡିକ ଗୋଟିଏ ପରେ ଗୋଟିଏ ଦେଶର ଅଭିବୃଦ୍ଧି ଆକଳନକୁ ଖସାଇ ଚାଲିଛନ୍ତି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପରେ ଏବେ ବିଶ୍ୱ ବ୍ୟାଙ୍କ ଦେଶର ଅଭିବୃଦ୍ଧି ଆକଳନକୁ ଖସାଇ ଦେଇଛି। ୨୦୧୫ରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୮.୬% ଥିବାବେଳେ ୨୦୧୭ରେ ଏହା ୭.୦%କୁ ଖସିଆସିବ ବୋଲି ବିଶ୍ୱବ୍ୟାଙ୍କ ବୁଧବାର ଏହାର ରିପୋର୍ଟରେ ପ୍ରକାଶ କରିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଆଇଏମ୍‌ଏଫ୍‌ ଏହାର ରିପୋର୍ଟରେ ଭାରତର ଅଭିବୃଦ୍ଧି ଆକଳନକୁ ଖସାଇଥିଲା। ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଆଦି ପଦକ୍ଷେପ ଯୋଗୁ ଏହା ଭାରତର ଅଭିବୃଦ୍ଧି ଆକଳନକୁ ୬.୭%କୁ ଖସାଇ ଦେଇଛି। ପୂର୍ବ ଦୁଇଟି ଆକଳନ ତୁଳନାରେ ଆଇଏମ୍‌ଏଫ୍‌ ଏଥିରେ ୦.୫% ହ୍ରାସ ଘଟାଇଛି। ତେବେ ଚଳିତବର୍ଷ ଚାଇନା ତୁଳନାରେ ମଧ୍ୟ ଭାରତର ଅଭିବୃଦ୍ଧି କମ୍‌ ରହିବ ବୋଲି ଏହା କହିଛି। ଚାଇନା ପାଇଁ ଏହା ୬.୮% ଅଭିବୃଦ୍ଧି ଆକଳନ କରିଛି। ପୂର୍ବରୁ ଚାଇନା ପାଇଁ ଏହା ଯେଉଁ ଅଭିବୃଦ୍ଧି ଆକଳନ କରିଥିଲା ସେଥିରେ ୦.୧% ବଢ଼ାଇଛି। ୨୦୧୮ ପାଇଁ ମଧ୍ୟ ଏହା ଭାରତର ଅଭିବୃଦ୍ଧି ଆକଳନକୁ ୭.୪%କୁ ଖସାଇଛି। ଜୁଲାଇ ଏବଂ ଏପ୍ରିଲ ମାସରେ ଏହା କରିଥିବା ଆକଳନ ତୁଳନାରେ ଏହି ଆକଳନ ୦.୩% କମ୍‌। ଭାରତ ସରକାରଙ୍କ ପକ୍ଷରୁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ବଜାରରୁ ହଟାଇ ଦିଆଯିବା ପରେ ଏହାର ପ୍ରତିକୂଳ ପ୍ରଭାବ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପଡିଥିଲା। ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)କୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟ ବଜାର ପାଇଁ ଅତ୍ୟନ୍ତ ଖରାପ ପରିସ୍ଥିତି ସୃଷ୍ଟି କରିଥିବା ବିଶ୍ୱବ୍ୟାଙ୍କ ଏହାର ସାଉଥ୍‌ ଏସିଆ ଇକୋନୋମିକ୍‌ ଫୋକସ୍‌ ରିପୋର୍ଟରେ ପ୍ରକାଶ କରିଛି। ପରିଣାମସ୍ବରୂପ ୨୦୧୭ରେ ଦେଶର ଅଭିବୃଦ୍ଧି ୭.୦%କୁ ଖସିଯିବ ବୋଲି ଏହା କହିଛି। ଘରୋଇ ନିବେଶ ବୃଦ୍ଧି ଏବଂ ସରକାରୀ ବ୍ୟୟ ବଢ଼ାଇଲେ ଯାଇ ୨୦୧୮ରେ ଅଭିବୃଦ୍ଧି ୭.୩%କୁ ସୁଧୁରିପାରେ ବୋଲି ଏହା କହିଛି। ଦେଶର ଦାରିଦ୍ର୍ୟ ଦୂରୀକରଣ ଦିଗରେ ନିରନ୍ତର ଅଭିବୃଦ୍ଧିର ଆବଶ୍ୟକତା ରହିଥିବା ଏହା କହିଛି। ୨୦୧୮ ପ୍ରଥମାର୍ଦ୍ଧରେ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ, କିନ୍ତୁ ଧୀରେ ଧୀରେ ଏଥିରେ ସୁଧାର ଆସିପାରେ ବୋଲି ବିଶ୍ୱବ୍ୟାଙ୍କ କହିଛି। ଜିଏସ୍‌ଟି ପରେ ମାନୁଫ୍ୟାକ୍‌ଚରିଂ ଏବଂ ସେବା କ୍ଷେତ୍ର ପ୍ରଭାବିତ ହୋଇଥିବା ପ୍ରମାଣ ରହିଛି ବୋଲି ଏହା କହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri