ଏୟାର୍‌ଇଣ୍ଡିଆର ହୋଇପାରେ ଘରବାହୁଡା


ନୂଆଦିଲ୍ଲୀ,୧୦-୧୦- ୮୫ ବର୍ଷ ପୂର୍ବେ ଏୟାର୍‌ ଇଣ୍ଡିଆକୁ ସ୍ଥାପନ କରିଥିଲା ଟାଟା ଗ୍ରୁପ୍‌। ତେବେ ପ୍ରତିକୂଳ ପରିସ୍ଥିତ ଯୋଗୁ ଏୟାର୍‌ ଇଣ୍ଡିଆର ନିୟନ୍ତ୍ରଣ ଟାଟା ହାତରୁ ସରକାରଙ୍କ ନିକଟକୁ ଚାଲି ଯାଇଥିଲା। ଏବେ ଆର୍ଥିକ ସଙ୍କଟରେ ଫସି ଯାଇଥିବା ଏୟାର୍‌ ଇଣ୍ଡିଆର ଘରୋଇକରଣ ଦିଗରେ ସରକାର କାର୍ଯ୍ୟ କରୁଥିବାବେଳେ ପୁଣି ଥରେ ଏହାର ନିୟନ୍ତ୍ରଣ ନେବା ପାଇଁ ଟାଟା ଗ୍ରୁପ୍‌ ପକ୍ଷରୁ ଉତ୍ସାହ ପ୍ରକାଶ ପାଇଛିି। ଯଦି ଟାଟା ଗ୍ରୁପ୍‌ ଏୟାର୍‌ ଇଣ୍ଡିଆକୁ ଅଧିଗ୍ରହଣ କରେ ରାଷ୍ଟ୍ରାୟତୀକରଣର ୬୪ ବର୍ଷ ପରେ ଏୟାର୍‌ ଇଣ୍ଡିଆର ମାଲିକାନା ପୁଣି ଥରେ ଟାଟା ଗ୍ରୁପ୍‌ ନିକଟକୁ ଯିବ। ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ ଏକ ଟିଭି ଚ୍ୟାନେଲ୍‌ ସାକ୍ଷାତ୍‌କାରରେ କହିଛନ୍ତି ଯେ, ସରକାର ଏୟାର୍‌ ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟା ଚୂଡାନ୍ତ କରିବା ପରେ ଟାଟା ଗ୍ରୁପ୍‌ ନିଶ୍ଚିତ ଭାବେ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବ। ସୂଚନାଯୋଗ୍ୟ, ଟାଟା ସନ୍ସ ୧୯୩୨ରେ ଟାଟା ଏୟାର୍‌ଲାଇନ୍ସର ସ୍ଥାପନା କରିଥିଲା। କରାଚୀରୁ ବମ୍ବେ ପ୍ରଥମ ଫ୍ଲାଇଟ୍‌କୁ ନିଜେ ଜେ.ଆର୍‌. ଡି. ଟାଟା ଉଡାଇଥିଲେ। ସ୍ବାଧୀନତା ପୂର୍ବରୁ ୧୯୪୬ରେ ଟାଟା ଏୟାର୍‌ଲାଇନ୍ସ ସାର୍ବଜନୀନ କମ୍ପାନୀରେ ପରିଣତ ହେଲା ଏବଂ ଏହାର ନାମ ବଦଳାଇ ଏହାକୁ ଏୟାର୍‌ ଇଣ୍ଡିଆ ନାମିତ କରାଗଲା। ପ୍ଲେନ୍‌ ଉଡାଇବା ପ୍ରତି ଜେ. ଆର୍‌.ଡି. ଟାଟାଙ୍କ ପ୍ରବଳ ଦୁର୍ବଳତା ଥିଲା। କମ୍ପାନୀର ଓ୍ବେବ୍‌ସାଇଟ୍‌ ମୁତାବକ, ଉଡାଜାହାଜ ଉଡାଇବାର ଯୋଗ୍ୟତା ଲାଭ କରିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ। ୧୯୨୯ରେ ତାଙ୍କୁ ଉଡାଜାହାଜ ଉଡାଇବା ପାଇଁ ଲାଇସେନ୍ସ ମିଳିଥିଲା। ଭାରତରେ କମର୍ସିଆଲ ଆଭିଏଶନ୍‌ ଆଣିବାରେ ସେ ଥିଲେ ପ୍ରଥମ ବ୍ୟକ୍ତି। ୧୯୪୮ରେ ସେ ଏୟାର୍‌ ଇଣ୍ଡିଆ ଇଣ୍ଟର୍‌ନ୍ୟାଶ୍‌ନାଲର ସ୍ଥାପନ କରିଥିଲେ। ୧୯୭୭ ପର୍ଯ୍ୟନ୍ତ ସେ ଏୟାର୍‌ ଇଣ୍ଡିଆର ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୫୩ରେ ସରକାର ଏୟାର୍‌ ଇଣ୍ଡିଆର ରାଷ୍ଟ୍ରାୟତୀକରଣ କରିବା ସମୟରେ ଏହା ବିଶ୍ୱର ସର୍ବଶ୍ରେଷ୍ଠ ଏୟାର୍‌ଲାଇନ୍ସ ଥିଲା। ଏହା ରାଷ୍ଟ୍ରାୟତ୍ତୀକରଣ ହେବା ପରେ ଜେ. ଆର୍‌. ଡି. ଟାଟା ଏହାର ଅଧ୍ୟକ୍ଷ ରହିଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀ ୧୯୭୭ ପର୍ଯ୍ୟନ୍ତ ଭଲ ଭାବେ ପରିଚାଳିତ ହୋଇଥିଲା। ୧୯୭୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ଟାଟାଙ୍କୁ ତାଙ୍କ ପଦରୁ ହଟାଇ ଦେଲେ। ସମ୍ପ୍ରତି ଏୟାର୍‌ ଇଣ୍ଡିଆ ନିମ୍ନମାନର ସଞ୍ଚାଳନ ଏବଂ ଅସଫଳ ବ୍ୟବସାୟିକ ଷ୍ଟ୍ରାଟେଜି ଯୋଗୁ ନିଜର ସତେଜତା ହରାଇଛି। ଟାଟା ଗ୍ରୁପ୍‌ ନିକଟକୁ ଗଲେ ଏହା ନିଜର ପୂର୍ବ ଉଜ୍ଜ୍ୱଳତା ପୁନଃ ଫେରିପାଇବ ବୋଲି ବିଶେଷଜ୍ଞମାନଙ୍କ ପକ୍ଷରୁ ଆଶାପ୍ରକାଶ ପାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri