ମୁକେଶ ଭାରତର ସର୍ବଶ୍ରେଷ୍ଠ ଧନୀ


ନୂଆଦିଲ୍ଲୀ,୫-୧୦(ପି.ଟି.)- ଗୁରୁବାର ପ୍ରକାଶିତ ଫୋର୍ବସ ମାଗାଜିନ୍‌ ଇଣ୍ଡିଆ ଧନୀ ତାଲିକା ୨୦୧୭ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତ ୧୦ ବର୍ଷ ଧରି ମୁକେଶ ଏହି ତାଲିକାର ଶୀର୍ଷ ସ୍ଥାନରେ ରହି ଆସୁଛନ୍ତି। ମୁକେଶଙ୍କ ନେଟ୍‌ ସମ୍ପତ୍ତି ୩୮ ବିଲିୟନ ଡଲାର(୨.୫ ଲକ୍ଷ କୋଟି)କୁ ବୃଦ୍ଧି ଘଟିଛି। ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ସତ୍ତ୍ୱେ ତାଲିକାରେ ସ୍ଥାନିତ ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ୨୬% ବୃଦ୍ଧି ଘଟିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ୧୯ ବିଲିୟନ ଡଲାର ସହ ଓ୍ବିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ ରହିଛନ୍ତି। ଗତ ବର୍ଷ ତୁଳନାରେ ପ୍ରେମଜୀ ଦୁଇଟି ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଗତବର୍ଷ ଦ୍ୱିତୀୟ ସ୍ଥାନରେ ରହିଥିବା ସନ୍‌ ଫାର୍ମାର ଦିଲୀପ ସାଙ୍ଗଭି(୧୨.୧ ବିଲିୟନ ଡଲାର) ୯ମ ସ୍ଥାନକୁ ଖସିଯାଇଛନ୍ତି। ଫୋର୍ବସ ମାଗାଜିନ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରୀକ୍ଷଣ ଯୋଗୁ ଭାରତୀୟ ବିଲିୟନେୟାରମାନେ ପ୍ରଭାବିତ ହୋଇଛନ୍ତି। ମାତ୍ର ମୁକେଶ ଅମ୍ବାନୀ ଏହା ଦ୍ୱାରା ପ୍ରଭାବିତ ହୋଇ ନାହାନ୍ତି। ମୁକେଶ ତାଙ୍କ ଦଶ ବର୍ଷର ପ୍ରମୁଖ ସ୍ଥାନକୁ ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି। ମୁକେଶ ତାଙ୍କ ଗତ ବର୍ଷର ସମ୍ପତ୍ତିରେ ୬୭%(୧୫.୩ ବିଲିୟନ ଡଲାର) ଯୋଡିବାକୁ ସକ୍ଷମ ହୋଇଛନ୍ତି। ଏହା ଫଳରେ ସେ ଏସିଆର ପ୍ରମୁଖ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ମୁକେଶଙ୍କ ସାନ ଭାଇ ଅନିଲ ଅମ୍ବାନୀ ତାଲିକାର ୪୫ତମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ପରିମାଣ ୩.୧୫ ବିଲିୟନ ଡଲାର ରହିଛି। ୨୦୧୬ରେ ଅନିଲ ୩.୪ ବିଲିୟନ ଡଲାର ସମ୍ପତ୍ତି ସହ ୩୨ତମ ସ୍ଥାନରେ ରହିଥିଲେ। ପତଞ୍ଜଳି ଆୟୁର୍ବେଦର ଆଚାର୍ଯ୍ୟ ବାଲକ୍ରିଷ୍ଣା ଗତବର୍ଷ ତାଲିକାର ୪୮ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ସେ ୧୯ତମ ସ୍ଥାନରେ ରହିଛନ୍ତି। ବାଲକ୍ରିଷ୍ଣାଙ୍କ ବର୍ତ୍ତମାନ ମୋଟ ସମ୍ପତ୍ତିର ମୂଲ୍ୟ ୬.୫୫ ବିଲିୟନ(୪୩,୦୦୦ ହଜାର କୋଟି) ଟଙ୍କା ରହିଛି। ଅର୍ଥନୈତିକ ମାନ୍ଦାବସ୍ଥା ସତ୍ତ୍ୱେ ୨୦୧୭ରେ ଭାରତୀୟ ଧନୀମାନଙ୍କ ସମ୍ପତ୍ତି ୨୬% ବୃଦ୍ଧି ଘଟି ୪୭୯ ବିଲିୟନ(୩୧ ଲକ୍ଷ କୋଟି)କୁ ବୃଦ୍ଧି ଘଟିଛି। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଏପ୍ରିଲ- ଜୁନ ତ୍ରୟମାସ ଲାଗି ତିନି ବର୍ଷର ସର୍ବନିମ୍ନ ସ୍ତର ୫.୭%ରେ ରହିଛି। ଗତବର୍ଷର ବିମୁଦ୍ରୀକରଣ, ସାମଗ୍ରୀ ଓ ସେବା ଟିକସ ଭଳି ବିଭିନ୍ନ ଆର୍ଥତ୍କ ସଂସ୍କାର ଦ୍ୱାରା ଅର୍ଥନୀତିରେ ମନ୍ଥର ପ୍ରଭାବ ରହିଛି। ମାତ୍ର ଏହା ସତ୍ତ୍ୱେ ଷ୍ଟକ୍‌ ବଜାର ଏକ ନୂତନ ସ୍ତରରେ ପହଞ୍ଚିଛି। ଅମ୍ବାନୀଙ୍କର ତୈଳ ବ୍ୟବସାୟ ତଥା ରିଲାଏନ୍ସ ଜିଓର ବ୍ୟବସାୟରେ ଉନ୍ନତି ହେବା ଫଳରେ ତାଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି। ୧୮.୪ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାର ତୃତୀୟ ସ୍ଥାନରେ ହିନ୍ଦୁଜା ଭ୍ରାତା ରହିଛନ୍ତି। ସେହିଭଳି ୧୬.୫ ବିଲିୟନ ଡଲାର ସମ୍ପତ୍ତି ସହ ଚତୁର୍ଥ ସ୍ଥାନରେ ଲକ୍ଷ୍ମୀ ନାରାୟଣ ମିତ୍ତଲ, ୧୬ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାର ପଞ୍ଜମ ସ୍ଥାନରେ ପାଲୋନ ଜି ମିସ୍ତ୍ରି ରହିଛନ୍ତି। ତାଲିକାରେ ନୂଆ କରି ନୁସିଲ ଓ୍ବାଡିଆ(୫.୬ ବିଲିୟନ ଡଲାର)୨୫ତମ ସ୍ଥାନ, ଦିନେଶ ନନ୍ଦଓ୍ବାନା(୧.୭୨ ବିଲିୟନ ଡଲାର) ୮୮ ତମ ସ୍ଥାନ, ପେଟିଏମର ବିଜୟ ଶେଖର ଶର୍ମା (୧.୪୭ ବିଲିୟନ ଡଲାର) ୯୯ତମ ସ୍ଥାନ, ୟେସ୍‌ ବ୍ୟାଙ୍କର ରାଣା କପୁର ୧.୪୬ ବିଲିୟନ ଡଲାର ସହ ୧୦୦ ତମ ସ୍ଥାନରେ ଅଛନ୍ତି। ସେହିଭଳି ଡିମାର୍ଟର ରାଧାକ୍ରିଣ୍ଣ ଦମାନି ୯.୩ ବିଲିୟନ ଡଲାର ସହ ୧୨ତମ ସ୍ଥାନ, ଫ୍ୟୁଚର ଗ୍ରୁପର କିଶୋର ବିୟାନି ୨.୭୫ ବିଲିୟନ ଡଲାର ସମ୍ପତ୍ତି ସହ ୫୫ତମ ସ୍ଥାନ, ମୁରଲୀ ଧା ଏବଂ ବିମଳ ଜ୍ଞାନ ଚନ୍ଦାନୀ ୧.୯୬ ବିଲିୟନ ଡଲାର ସମ୍ପତ୍ତି ସହ ୭୫ ତମ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଗତ ବର୍ଷର ସମ୍ପତ୍ତି ତୁଳନାରେ ୧୨ ଧନୀଙ୍କର ସମ୍ପତ୍ତିରେ ହ୍ରାସ ଘଟିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri