ଆଧାର କେନ୍ଦ୍ର ନ ଖୋଲିଲେ ଜରିମାନା ଦେବେ ବ୍ୟାଙ୍କ


ନୂଆଦିଲ୍ଲୀ- ବ୍ୟାଙ୍କ ଶାଖାଗୁଡିକରେ ଆଧାର ପଞ୍ଜିକରଣ କେନ୍ଦ୍ର ଖୋଲିବାକୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପୂର୍ବରୁ କହିଥିଲା। ଏଥି ପାଇଁ ୟୁଆଇଡିଏଆଇ ଏକ ମାସ ସମୟ ଦେଇଛି। ବ୍ୟାଙ୍କଗୁଡିକ ସେମାନଙ୍କ ୧୦ ପ୍ରତିଶତ ଶାଖାରେ ଆଧାର କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ରହିଥିଲା। ମାତ୍ର ବ୍ୟାଙ୍କଗୁଡିକ ଏହା କରିବାକୁ ସକ୍ଷମ ନ ହେଲେ ସେପ୍ଟେମ୍ବର ୩୦ ପରେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ। ଯେଉଁ ଶାଖାଗୁଡିକରେ ବ୍ୟାଙ୍କଗୁଡିକ ଆଧାର କେନ୍ଦ୍ର ଖୋଲି ନ ଥିବେ ସେଥି ପାଇଁ ଶାଖା ପିଛା ୨୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ପଡିବ ବୋଲି ୟୁଆଇଡିଏଆଇ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜୁଲାଇ ମାସରେ ୟୁଆଇଡିଏଆଇ ରାଷ୍ଟ୍ରାୟତ୍ତ ତଥା ଘରୋଇ ବ୍ୟାଙ୍କଗୁଡିକୁ ବ୍ୟାଙ୍କରେ ଆଧାର ପଞ୍ଜିକରଣ ତଥା ଅପଡେଟ୍‌ ସୁବିଧା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲା। ଅଗଷ୍ଟ ମାସ ଶେଷ ସୁଦ୍ଧା ପ୍ରତି ୧୦ ବ୍ୟାଙ୍କ ଶାଖା ମଧ୍ୟରେ ଗୋଟିଏ ଶାଖାରେ ଏହି ସୁବିଧା ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଥିଲା। ମାତ୍ର ବ୍ୟାଙ୍କଗୁଡିକ ଏ ନେଇ ଅଧିକ ସମୟ ଲୋଡି ଥିବା ଯୋଗୁ ଅଧିକ ଏକ ମାସ ସମୟ ଦିଆଯାଇଥିବା ପାଣ୍ଡେ ସୁଚନା ଦେଇଛନ୍ତି। ଏହା ପରେ ଯଦି କୌଣସି ବ୍ୟାଙ୍କ ନିୟମର ଠିକ୍‌ ଭାବରେ ଅନୁପାଳନ ନ କରନ୍ତି ତେବେ ସେମାନଙ୍କ ଲାଗି ୨୦,୦୦୦ ଟଙ୍କା ଜରିମାନା ଲାଗୁ କରିବାକୁ ନିୟମ କରାଯାଇଛି। ବର୍ତ୍ତମାନ ବ୍ୟାଙ୍କ ଖାତା ଖୋଲିବା ତଥା ୫୦ ହଜାର ଟଙ୍କାରୁ ଅଧିକ ନେଣଦେଣ ଉପରେ ଆଧାର ବାଧ୍ୟତାମୂଳକ ହୋଇଛି। ଯେଉଁ ବ୍ୟାଙ୍କ ଆକାଉଣ୍ଟଧାରୀ ମାନେ ବର୍ତ୍ତମାନ ସୁଦ୍ଧା ଆଧାର ନମ୍ବର ଦେଇ ନାହାନ୍ତି ସେମାନଙ୍କୁ ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହା ପ୍ରଦାନ କରିବାକୁ ହେବ। ବ୍ୟାଙ୍କ ପରିସରରେ ଆଧାର କେନ୍ଦ୍ର ସ୍ଥାପନ ହେଲେ ଏହା ପଞ୍ଜୀକରଣ ତଥା ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଲାଗି ସୁବିଧାଜନକ ହେବ। ସେହିଭଳି ନୂଆ ଖାତା ଖୋଲିବା କ୍ଷେତ୍ରରେ ଏହା ବିଶେଷ ଭାବରେ ସହାୟକ ହେବ। ୧୦% ବ୍ୟାଙ୍କ ଶାଖାରେ ଆଧାର ପଞ୍ଜୀକରଣ ସୁବିଧା ପ୍ରଦାନ କରାଗଲେ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ବୋଲି ପାଣ୍ଡେ ସୂଚନା ଦେଇଛନ୍ତି। ବାୟୋ ମେଟ୍ରିକ ଡିଭାଇସ ସଂଗ୍ରହ, ପଞ୍ଜିକୃତ ଏଜେନ୍ସିଙ୍କୁ ପ୍ରମାଣ ପତ୍ର ଏବଂ ପଞ୍ଜିକରଣ ଏଜେନ୍ସି ଚୟନରେ ବିଳମ୍ବ ହେଉଥିବାରୁ କେନ୍ଦ୍ର ସ୍ଥାପନ ଲାଗି ଅସୁବିଧା ହେଉଥିବା ବ୍ୟାଙ୍କ ଗୁଡିକ କହିଛନ୍ତି। ଏହି ଭଳି ପ୍ରମୁଖ ପ୍ରସଙ୍ଗକୁ ଆଧାର କରି ବ୍ୟାଙ୍କଗୁଡିକୁ ସମୟ ଦିଆଯାଇଥିବା ପାଣ୍ଡେ କହିଛନ୍ତି। ବର୍ତ୍ତମାନ ସାରା ଦେଶରେ ୧.୨୦ ଲକ୍ଷ ବ୍ୟାଙ୍କ ଶାଖା ରହିଥିବା ବେଳେ ୧୨,୦୦୦ ଆଧାର କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri