କଳାଟଙ୍କା ବିରୋଧୀ ଅଭିଯାନ କଡାକଡି


ନୂଆଦିଲ୍ଲୀ,୫-୯(ପି.ଟି.)-କଳାଧନ ବିରୋଧରେ ସରକାରଙ୍କ ପକ୍ଷରୁ ଚାଲୁ ରହିଥିବା ଅଭିଯାନ କଡାକଡି ହୋଇଛି। ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏହି କ୍ରମରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇନ ଅନୁଯାୟୀ ଆବଶ୍ୟକ ନିୟମ ଅନୁପାଳନରେ ବିଫଳତା ଯୋଗୁ ୨.୯ ଲକ୍ଷ କମ୍ପାନୀଙ୍କୁ ଅଣ ପଞ୍ଜିକୃତ କରାଯାଇଛି। ରେଜିଷ୍ଟର ଅଫ୍‌ କମ୍ପାନିଜ୍‌ରୁ ଏମାନଙ୍କ ନାମକୁ ହଟାଇ ଦିଆଯାଇଛି। ଖାଲି ସେତିକି ନୁହେଁ ଏମାନଙ୍କ ବ୍ୟାଙ୍କ ଖାତାଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଆଇନ୍‌ ଅର୍ଥ କାରବାର କ୍ଷେତ୍ରରେ ବ୍ୟବହାର ହେଉଥିବା ଜାଲ୍‌ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଉପରୋକ୍ତ ଅଣ-ପଞ୍ଜୀକୃତ କମ୍ପାନୀଗୁଡିକର ନିର୍ଦ୍ଦେଶକ ତଥା ଅଧିକାରୀମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଅପରେଟ୍‌ କରିପାରିବେ ନାହିଁ। ମାମଲା ସମାଧାନ ନ ହେବା ପର୍ଯ୍ୟନ୍ତ ଏମାନଙ୍କୁ କୌଣସି ଉପାୟରେ ଅପରେଟ୍‌ କରିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଏହି କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କ ପକ୍ଷରୁ ଜୁଲାଇ ମାସରେ ସଙ୍କେତ ଦିଆଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, କମ୍ପାନୀ ଆଇନର ଧାରା ୨୪୮(୫) ଅଧୀନରେ ୨,୦୯,୦୩୨ କମ୍ପାନୀଙ୍କୁ ରେଜିଷ୍ଟର ଅଫ୍‌ କମ୍ପାନୀଜ୍‌ରୁ ବାଦ୍‌ ଦିଆଯାଇଛି। ଏହି କମ୍ପାନୀଗୁଡିକର ନିର୍ଦ୍ଦେଶକ ଏବଂ ଅଧିକାରୀମାନେ ଏବେ ଭୂତପୂର୍ବ ନିର୍ଦ୍ଦେଶକ ଏବଂ ଅଧିକାରୀ ଭାବେ ପରିଗଣିତ ହେବେ। ଯେ ପର୍ଯ୍ୟନ୍ତ ଏହି ମାମଲାଗୁଡିକର ସମାଧାନ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲରେ ନ ହୋଇଛି ସେ ପର୍ଯ୍ୟନ୍ତ କମ୍ପାନୀଗୁଡିକର ବ୍ୟାଙ୍କ ଆକାଉଣ୍ଟ ଅପରେଟ୍‌ ହେବ ନାହିଁ। ଆର୍ଥିକ ସେବା ବିଭାଗ ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇ କହିଛି ଯେ, ଏହି କମ୍ପାନୀଗୁଡିକର ବ୍ୟାଙ୍କ ଖାତାଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ସହିତ ଉକ୍ତ କମ୍ପାନୀଗୁଡିକ ଉପରେ ନଜର ରଖିବା ପାଇଁ କୁହାଯାଇଛି, ଯେଉଁମାନଙ୍କର ଆର୍ଥିକ ବିବରଣୀ ଏବଂ ବାର୍ଷିକ ରିଟର୍ନ ଫାଇଲିଂରେ ତ୍ରୁଟି ରହିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri