ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନା ମହାବିଦ୍ୟାଳୟ


ବ୍ରହ୍ମପୁର ଅଫିସ,୭।୧୨- ଦକ୍ଷିଣ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଖେଳ ଖେଳୁଛି। ଥରେ କହିଲେ ଏହା କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ। ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଦେଲେ ଏହା କେବଳ ମହାବିଦ୍ୟାଳୟ, ଯାହାକୁ ନେଇ ଏହି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର, ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି। ଭବିଷ୍ୟତକୁ ନେଇ ସନ୍ଦେହ ଏବଂ ଦ୍ୱନ୍ଦ୍ୱରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନେ ଶେଷରେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟର ମାନ୍ୟତା ସ୍ପଷ୍ଟ କରିବା ନେଇ ସେମାନେ ଦାବି କରିଛନ୍ତି। ଛାତ୍ର ସଂସଦ ତରଫରୁ ଅଭିଯୋଗ କରାଯାଇଛି, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ କହି ବର୍ତ୍ତମାନ ଖଲ୍ଲିକୋଟ ସ୍ବୟଂଶାସିତ ମହବିଦ୍ୟାଳୟ ନାମରେ ପରିଚୟ ପତ୍ର ପ୍ରଦାନ କରାଯାଉଛି। ଏହାବ୍ୟତୀତ ବିଗତ ଦୁଇବର୍ଷ ମଧ୍ୟରେ ନାମ ଲେଖାଇଥିବା କିଛି ଛାତ୍ରଙ୍କ ପରିଚୟ ପତ୍ରରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଲେଖାଥିବା ବେଳେ ଚଳିତ ବର୍ଷ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ପରିଚୟପତ୍ରରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଲେଖାହୋଇଛି। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟରେ ନା ମହାବିଦ୍ୟାଳୟରେ ନାମ ଲେଖାଇଛନ୍ତି ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ ଘୋଷଣା ହୋଇ ଦୁଇବର୍ଷ ପୁରିବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାନ୍ୟତାକୁ ନେଇ ସ୍ପଷ୍ଟ ହୋଇପାରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ବର୍ତ୍ତମାନ ସୁଦ୍ଧା ବହୁ ବିଭାଗରେ ଆବଶ୍ୟକତାଠାରୁ କମ ସଂଖ୍ୟକ ଅଧ୍ୟାପକ ଶିକ୍ଷାଦାନ ଭାର ସମ୍ଭାଳୁଛନ୍ତି। ଏପରିକି କାମଚଳା ଭାବେ ଠିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଏଣୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ସହ ବିଶ୍ୱବିଦ୍ୟାଳୟରେ ମହାବିଦ୍ୟାଳୟକୁ ମିଶାଇବା ନେଇ ଛାତ୍ରୀଛାତ୍ରମାନେ ଦାବି କରିଥିଲେ। ଏହାକୁ ନେଇ ଗୁରୁବାର ଆନ୍ଦୋଳନ କରାଯାଇଥିଲା। ଛାତ୍ରୀଛାତ୍ରମାନେ ୨ ଘଣ୍ଟା ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇବା ସହ ହୋ ହଲ୍ଲା କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଓ ବ୍ରହ୍ମପୁର ଏଏସପି ଶାନ୍ତନୁ ଦାଶ, ବିଏନପୁର ଆଇଆଇସି ଅଜୟ ମିଶ୍ର ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ରେଜିଷ୍ଟ୍ରାର ପ୍ରଫେସର ରାଧାନାଥ ରଥଙ୍କ ଉପସ୍ଥିତିରେ ଛାତ୍ରନେତାଙ୍କ ସହ ଆଲୋଚନା କରିଥିଲେ। ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ମିଶାଇବା ନେଇ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ଦିଆଯିବ ବୋଲି ରେଜିଷ୍ଟ୍ରାର ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ରମାନେ ଫାଟକରୁ ତାଲା ଖୋଲିଥିଲେ। ତେବେ ଆଗାମୀ ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଛାତ୍ର ସଂସଦ ସଭାପତି ପ୍ରଭାତ କାର୍ଜୀ କହିଛନ୍ତି। ଅନ୍ୟପକ୍ଷରେ ଛାତ୍ରଙ୍କ ଆନ୍ଦୋଳନ ଯୋଗୁ ଗୁରୁବାର ମହାବିଦ୍ୟାଳୟର ଯୁକ୍ତ ତିନି କଳା ୫ମ ସେମିଷ୍ଟରର ଶେଷ ପରୀକ୍ଷା ବାତିଲ ହୋଇଯାଇଥିବା ବେଳେ ଇଗ୍ନୋ ବି.ଇଡି. ପରୀକ୍ଷାରେ ବିଳମ୍ବ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri