ଚାଷୀଙ୍କ ଚିନ୍ତା ବଢ଼ାଇଛି ସମ୍ଭାବ୍ୟ ଲଘୁଚାପ ବର୍ଷା


ବ୍ରହ୍ମପୁର ଅଫିସ,୫।୧୨- ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବିତ ବର୍ଷା ଆସନ୍ତା ୭ରୁ ୩ଦିନ ହେବାର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି। ଏହା କୃଷି ବହୁଳ ଗଞ୍ଜାମ ଜିଲା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ନଭେମ୍ବର ୧୫ରୁ ୪ ଦିନ ଧରି ଲଗାଣ ବର୍ଷାରେ ଚଳିତ ବର୍ଷର ଖରିଫ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଚାଷ କରାଯାଇଥିବା ୨.୧୫ଲକ୍ଷ ହେକ୍ଟର ଜମିରୁ ଲକ୍ଷାଧିକ ହେକ୍ଟରରେ ଫସଲ ନଷ୍ଟ ହୋଇ ସାଢ଼େ ୩ଲକ୍ଷ ଚାଷୀଙ୍କୁ ପ୍ରଭାବିତ କରିଥିଲା। ଏବେ ଫଳନ୍ତି ଧାନ କଟା ବିଭିନ୍ନ ଅଞ୍ଚଳରେ ଚାଲିଛି। କ୍ଷେତରେ କଟା ଧାନ ପଡ଼ି ରହିଛି। ଚାଷୀଙ୍କ ସୂଚନାନୁସାରେ କଟା ଧାନ କଳେଇ ଅନ୍ୟୁନ ଏକ ସପ୍ତାହ ବିଲରେ ରହିଲେ କାକର ଓ ଖରାରେ ଶୁଖିଲେ ହିଁ ଉନ୍ନତମାନର ଚାଉଳ କରାଯାଇପାରିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କଳେଇ ଖଳାକୁ ନେଇ ବିକ୍ରି କଲେ ଅମଳ ଧାନର ଚାଉଳ ମିଲରେ ଗୁଣ୍ଡ ହୋଇ ଖୁଦ ହୋଇଯିବାର କୁହାଯାଇଛି। ତେଣୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଅପରପକ୍ଷରେ ଆଗାମୀ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗର ଅଫିସରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଚାଷୀ ଅମଳ କରିଥିବା ଧାନ ସଂଗ୍ରହ କରାଯିବା ଉପରେ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏହି ଜିଲାରେ ବିଳମ୍ବରେ ଧାନ ସଂଗ୍ରହ ହେଉଥିବାରୁ ଆସନ୍ତା ୨୧ରୁ କୃଷି ସମବାୟ ସମିତିଗୁଡିକରେ ମଣ୍ଡି ଖୋଲାଯିବାର ନିଷ୍ପତ୍ତି ନିଆଯାଇଥିଲା। ମଣ୍ଡି ନ ଥାଇ ଆଗୁଆ ଧାନ କିଣାଗଲେ ତାହା କେଉଁଠି ରଖାଯିବ ତାହା ପ୍ରଶ୍ନବାଚୀ ହୋଇଛି। ଅନ୍ୟପକ୍ଷରେ ମଣ୍ଡିରୁ ମିଲରମାନେ ଧାନ ଉଠାଇବା ପାଇଁ ଅମଙ୍ଗ ହେଉଥିବା ଖବର ମିଳିଛି। କଞ୍ଚା ଧାନ ନେଲେ ସେମାନେ କ୍ଷତିର ସମ୍ମୁଖୀନ ହେବାର କୁହାଯାଇଛି। ଏଭଳି ସ୍ଥିତିରେ ମଙ୍ଗଳବାର ଜିଲା ଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ମହାନଗରର ଆମ୍ବପୁଆରେ ବ୍ରହ୍ମପୁର ସମବାୟ ସର୍କଲ ଅନ୍ତର୍ଗତ ୧୨୧କୃଷି ସେବା ସମବାୟ ସୋସାଇଟି (ପ୍ୟାକସ) ସମ୍ପାଦକଙ୍କୁ ଧାନ ସଂଗ୍ରହ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସୋସାଇଟଗୁଡିକରେ ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା। ଯୋଗାଣ ଓ ସମବାୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆସନ୍ତା ବୁଧବାର ଛତ୍ରପୁର ସମବାୟ ସର୍କଲ ଅନ୍ତର୍ଗତ ପ୍ୟାକସ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ତାଲିମ ଶିବିର ଜିଲା ସଦର ମହକୁମାରେ ହେବାର କାର୍ଯ୍ୟକ୍ରମ ରହିଛି। ଆଉ ମାତ୍ର ଦିନକ ପରେ ଲଗାଣ ବର୍ଷା ହେବା ପ୍ରଚାର ଓ ପ୍ରସାର ଯୋଗୁ ଏବେ ଧାନକଟା ଲାଗି ଚାଷୀଙ୍କ ତପତ୍ରତା ପ୍ରକାଶ ପାଇଛି। ଏହାର ସୁଯୋଗରେ କ୍ଷେତ ମୂଲିଆଙ୍କ ଦୈନକ ମଜୁରି ମଧ୍ୟ ବଢ଼ି ଯାଇଛି। ଏହି ବୃହତ୍ତମ ଜିଲାରେ ପଞ୍ଚାୟତସ୍ତରରେ ସମବାୟ ଗୋଦାମ ଘର ଓ ଧାନ ଖଳାର ଅଭାବ ଲାଗି ରହିଛି। ସମସ୍ୟା ସମାଧାନ ପାଇଁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଜିଲାରେ ଥିବା ବ୍ରହ୍ମପୁର ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ରବି ଚାଷ ନିମନ୍ତେ ଚାଷୀଙ୍କୁ କୃଷିଋଣ ଲଗାଣକୁ ଜୋରଦାର କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri