ରୋଗୀଙ୍କୁ ମିଳୁନି ‘ନିରାମୟ’ ସୁଫଳ


ବ୍ରହ୍ମପୁର ଅଫିସ,୪।୧୨-ଗରିବ ଏବଂ ଆର୍ଥତ୍କ ଦୁର୍ବଳ ଶ୍ରେଣୀର ରୋଗୀଙ୍କ ପକ୍ଷେ ଦାମୀ କମ୍ପାନୀର ଔଷଧ କିଣିବା ସମ୍ଭବ ହେଉନାହିଁ। ଫଳରେ ଅନେକ ସମୟରେ ସେମାନେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଡାକ୍ତରମାନେ ମଧ୍ୟ ଜେନେରିକ୍‌ ବା ଶସ୍ତା ଔଷଧ ବଦଳରେ ଦାମୀ ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ୨୦୧୫ରେ ଆରମ୍ଭ କରିଥିଲେ ‘ନିରାମୟ’ ଯୋଜନା। ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ସହ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କେତେକ ଉପଖଣ୍ଡ ଚିକିତ୍ସାଳୟରେ ନିରାମୟ କେନ୍ଦ୍ର ଖୋଲାଯାଇଛି। ଏଠାରେ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ଠାରେ ଗୋଟିଏ ନିରାମୟ କେନ୍ଦ୍ର ରହିଛି। କିନ୍ତୁ ସେଠାରୁ ରୋଗୀମାନେ ଆବଶ୍ୟକ ଔଷଧ ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଡାକ୍ତରମାନେ ଜାଣତରେ ଜେନେରିକ୍‌ ବଦଳରେ ଦାମୀ କମ୍ପାନୀର ଔଷଧ ଲେଖୁଛନ୍ତି। ଫଳରେ ପୂର୍ବବତ ଗରିବ ରୋଗୀ ଜଣକ ଡାକ୍ତର ଏବଂ ଔଷଧ କମ୍ପାନୀର ଅସାଧୁ ମେଣ୍ଟରେ ଶୋଷଣର ଶିକାର ହେଉଛନ୍ତି। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ରିତିମତ ଏହା ଚାଲିଛି। ବ୍ରହ୍ମପୁର ବଡ ମେଡ଼ିକାଲ୍‌ ହେଉଛି ଦକ୍ଷିଣ ଓଡ଼ିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ୍‌। ଏଠାକୁ ଦକ୍ଷିଣ ଓଡିଶାର ସମସ୍ତ ଜିଲା ତଥା ରାଜ୍ୟ ବାହାରରୁ ରୋଗୀମାନେ ଏହି ମେଡିକାଲ୍‌କୁ ଆସିଥାନ୍ତି। କିନ୍ତୁ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାର ଯେଉଁ ଆଶାରେ ରୋଗୀମାନେ ଆସୁଛନ୍ତି, ଏଠାରେ ନିରାଶ ହେଉଛନ୍ତି। ନିରାମୟ କେନ୍ଦ୍ରରୁ ରୋଗୀମାନେ ମାଗଣା ଔଷଧ ପାଇବା ବ୍ୟବସ୍ଥା ରହିଛି। ହେଲେ ଡାକ୍ତରମାନେ ଜେନେରିକ୍‌ ବଦଳରେ ଦାମୀ କମ୍ପାନୀର ଔଷଧ ଲେଖୁଛନ୍ତି। ଡାକ୍ତରଙ୍କଠାରୁ ପ୍ରେସ୍‌କ୍ରିପଶନ ପାଇବା ପରେ ରୋଗୀମାନେ ନିରାମୟ କେନ୍ଦ୍ରକୁ ଯାଉଛନ୍ତି। କିନ୍ତୁ ସେଠାରେ ଔଷଧ ମିଳୁନି। ବାଧ୍ୟ ହୋଇ ବାହାର ଔଷଧ ଦୋକାନରୁ ଚଢ଼ା ଦରରେ ଔଷଧ କିଣୁଛନ୍ତି। ନିରାମୟ କେନ୍ଦ୍ରରେ ପ୍ରାୟ ୮୦ ଭାଗ ଔଷଧ ମିଳୁ ନ ଥିବା ଜଣାପଡିଛି। ଏଥିପ୍ରତି ମେଡିକାଲ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ଡାକ୍ତରଙ୍କୁ ପ୍ରେସକିପଶନରେ ଜେନେରିକ ମେଡିଶିନ ଲେଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମକୁ କେତେକାଂଶରେ ଡାକ୍ତରମାନେ ପାଳନ କରୁ ନ ଥିବା ରୋଗୀ ସମ୍ପର୍କୀୟଙ୍କ ମହଲରେ ଆଲୋଚନା ହେଉଛି।ସୋମବାର ହସ୍ପିଟାଲ ପରିସରରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ନିରାମୟ ଔଷଧ କେନ୍ଦ୍ର ସମ୍ମୁଖରେ କେତେକ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଥିଲେ। ବଡ଼ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସର୍ମ୍ପକୀୟ ରାମ ଜେନା କୁହନ୍ତି, ତାଙ୍କୁ ଡାକ୍ତର ୬ଟି ମେଡିସିନ ଆଣିବାକୁ ପ୍ରେସକିପଶନରେ ଲେଖିଥିଲେ। ଔଷଧ ନେବା ପାଇଁ ସେ ପ୍ରେସ୍‌କ୍ରିପଶନ୍‌ ଧରି ନିରାମୟ କେନ୍ଦ୍ରରେ ପହଞ୍ଚତ୍ଲେ। କିନ୍ତୁ ତାଙ୍କୁ ଗୋଟିଏ ହେଲେ ଔଷଧ ସେଠାରୁ ମିଳି ନ ଥିଲା। ସେହିପରି ଶିଶୁ ବିଭାଗର ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ନିରାମୟରେ କେଉଁ ଔଷଧ ମହଜୁଦ୍‌ ଅଛି ଏବଂ କେଉଁ ଔଷଧ ନାହିଁ, ତାହା ଡାକ୍ତରମାନେ ଭଲଭାବେ ଅବଗତ ଅଛନ୍ତି। ତଥାପି ନିରାମୟରେ ମିଳୁ ନ ଥିବା ଭଳି ଦାମୀ କମ୍ପାନୀର ଔଷଧ ଲେଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ନିରାମୟ ଯୋଜନାର ଷ୍ଟୋର ଇନଚାର୍ଜଙ୍କୁ ପଚରାଯାଇଥିଲା। ସେ ଏକ ତାଲିକା ଦେଖାଇ କହିଥିଲେ ମୋଟ୍‌ ୧୨୧ ପ୍ରକାର ଔଷଧ ଏଠାରେ ମିଳୁଛି। ସେଥିମଧ୍ୟରେ ୮୧ ପ୍ରକାର କ୍ୟାପସୁଲ,୧୨ ପ୍ରକାର ମଲମ ତଥା ଲୋଶନ ଶ୍ରେଣୀର ଏବଂ ୨୮ ପ୍ରକାର ସିରପ ଓ ପାଣି ଔଷଧ ରହିଛି। ଏହା ବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ ରୋଗ ଯଥା ଡାଇବେଟିସ, ଅସ୍ଥିଶଲ୍ୟ, କିଡ୍‌ନୀ, ଶିଶୁ ରୋଗ, ଆଖି ଇତ୍ୟାଦି ବିଭାଗର ମେଡସିନ ଏଠାରେ ଉପଲବ୍ଧ ନାହଁି ବୋଲି ସେ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri