ପିଏଲଜିଏ ସପ୍ତାହ: ସୀମାନ୍ତ ଇଲାକାରେ ପୋଲିସର ଯାଞ୍ଚ କଡ଼ାକଡ଼ି


ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୧୨- ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଛି। ଶନିବାର ତୁମୁଡିବନ୍ଧ ଅଞ୍ଚଳରେ ମାଓବାଦୀ ପୋଷ୍ଟର,ବ୍ୟାନର ଲାଗିଥିବା ବେଳେ ରବିବାର ଫିରିଙ୍ଗିଆର ବିଭିନ୍ନ ସ୍ଥାନରେ ମଧ୍ୟ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିପାଇଁ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେତେକ ସ୍ଥାନରୁ ପୋଲିସ ପୋଷ୍ଟର ଏବଂ ମାଓବାଦୀ ସମ୍ପର୍କିତ ଲିଫଲେଟ ଜବତ କରିଛି। ଜିଲାର ବିଭିନ୍ନ ସୀମାନ୍ତ ଇଲାକାରେ କଡାକଡି ଯାଞ୍ଚ କରାଯାଉଛି। ମାଓବାଦୀପ୍ରବଣ ଅଞ୍ଚଳଙ୍କୁ ସରକାରୀ ଯାନବାହାନ ଚଳାଚଳ ବନ୍ଦ କରି ଦିଆଯାଇଛି। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଜିଲାର କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଉପୁଜି ନ ଥିବା ଜଣାଯାଇଛି। ଜିଲାର ମାଓବାଦୀ ପ୍ରବଣ ଅଞ୍ଚଳ କୁହାଯାଉଥିବା କୋଟଗଡ, ତୁମୁଡିବନ୍ଧ, ଦାରିଙ୍ଗବାଡି ଓ ବାଲିଗୁଡା ଆଦି ବ୍ଲକଗୁଡିକରେ ପୋଲିସ ସତର୍କ ଦୃଷ୍ଟି ରଖିଛି । ଫିରିଙ୍ଗିଆର କିଛି ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି। କେତେକ ସରକାରୀ କାଯର୍‌ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଏହି ପୋଷ୍ଟର ବ୍ୟାନର ଲାଗିଛି। ମାଓବାଦୀମାନେ ପୋଲିସର ଗ୍ରୀନ ହଣ୍ଟ ଅପରେଶନକୁ ବିରୋଧ କରିବା ସହ ପିଏଲଜିଏ ସପ୍ତାହ ପାଳନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତିି। କିଛିଦିନ ମଧ୍ୟରେ ଜିଲାରେ ଘଟି ଯାଇଥିବା କେତୋଟି ଘଟଣାକୁ ନଜରରେ ରଖି ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନରେ ପୋଲିସ ଅଧିକ ସତର୍କ ହୋଇଛି। ସୂଚନାଯୋଗ୍ୟ ଅକ୍ଟୋବର ମାସରେ କୋଟଗଡ ବ୍ଲକ ଦୁର୍ଗାପାଙ୍ଗାରେ ମାଓବାଦୀମାନେ ଜଣେ ଗ୍ରାମ ରୋଜଗାର ସେବକଙ୍କୁ ଅପହରଣ କରି ହତ୍ୟା କରିଥିଲେ। ମୃତଦେହ ନିକଟରେ ମାଓବାଦୀମାନେ ଛାଡି ଯାଇଥିବା ପୋଷ୍ଟରରେ ଜିଲା ପୋଲିସକୁ ଚେତାବନୀ ଦେବା ସହ ପୋଲିସକୁ ସୂଚନା ଦେଉଥିବା ଲୋକଙ୍କୁ ସମଦଶା ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲେ। ସେହିପରି ନଭେମ୍ବର ମାସରେ ତୁମୁଡିବନ୍ଧ ବ୍ଲକର କିଛି ସ୍ଥାନରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାଧ୍ୟମରେ ପ୍ର୍ରଶାସନକୁ ସତର୍କବାଣୀ ଶୁଣାଇ ଥିଲେ। ଗତ ସପ୍ତାହରେ ମଧ୍ୟ ମାଓବାଦୀ ପୋଷ୍ଟର ଲାଗିଥିଲା। ଏହାକୁ ନଜରରେ ରଖି ଯେ କୌଣସି ଅଘଟଣକୁ ରୋକିବା ପାଇଁ ପୋଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଜିଲାର ସୀମାନ୍ତ ଇଲାକାରେ କଡାକଡି ଯାଞ୍ଚ କରାଯିବା ସହ ମାଓବାଦୀପ୍ରବଣ ବ୍ଲକଗୁଡିକରେ ସୁରକ୍ଷା ବାହିନୀ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିବା ଡିଏସପି ଚନ୍ଦ୍ର ଶେଖର ହୋତା ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri