ପର୍ଯ୍ୟଟନ କେନ୍ଦ୍ରକୁ ରାସ୍ତା ନାହିଁ, ପର୍ଯ୍ୟଟକ ହଇରାଣ


ଦାରିଙ୍ଗବାଡ଼ି,୩।୧୨(ଡି.ଏନ.ଏ.)- ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି। ବିଶେଷକରି ଛୁଟି ଦିନରେ ବଣଭୋଜି କରିବା ସହ ଶୀତର ମଜା ନେବାକୁ ଏଠାକୁ ଅଧିକାଂଶ ପର୍ଯ୍ୟଟକ ଆସିଥାନ୍ତି। ରବିବାର ହିଲ୍‌ ଭିୟୁ ପାର୍କ, ନେଚର ପାର୍କ, କିରିକୁଟି ଏମୁପକ୍ଷୀ, ପ୍ରକୃତି ଲଭର୍ସ ପଏଣ୍ଟ, କଫି ବଗିଚା, ଡୁଲୁରୀ ପାଇନ ବଣ ଆଦିକୁ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସି ବୁଲିବା ସହ ବଣଭୋଜି କରିଥିବା ଦେଖାଯାଇଥିଲା। ତେବେ ସେମାନଙ୍କ ପାଇଁ ମୌଳିକ ସୁବିଧା ସହ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡ଼ିରୁ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ଭଲ ରାସ୍ତା ନାହିଁ। ଫଳରେ ପର୍ଯ୍ୟଟକମାନେ ବହୁ ଦୂର ଚାଲି ଚାଲି ନୟାନ୍ତ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ଜିଲା କିମ୍ବା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ରହିବା ପାଇଁ ଚାହିଁଲେ ସରକାରୀସ୍ତରେ କୌଣସି ସୁବିଧା ଉପଲବ୍ଧ ନାହିଁ। ପ୍ରଶାସନିକ ଅବହେଳା ଓ ଲୋକ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁ ପର୍ଯ୍ୟଟକମାନେ ଏଠାକୁ ଆସି ଅସୁବିଧା ଭୋଗୁଛନ୍ତି। ପ୍ରକୃତି ଲଭର୍ସ ପଏଣ୍ଟ ଯିବାକୁ ପ୍ରାୟ ୧ କି.ମି. ଦୂର ରାସ୍ତା ସଂପ୍ରସାରଣ କରାଯିବା ପାଇଁ ଗତବର୍ଷଠାରୁ ମେଟାଲ, ଗୋଡ଼ି, ବାଲି ପଡି ରହିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉନାହିଁ। ସେହିପରି ହିଲଭିୟୁ ଓ ନେଚର ପାର୍କକୁ ଯିବା ପାଇଁ ମୁଖ୍ୟରାସ୍ତାକୁ ମରାମତି କରାଯାଉନାହିଁ। ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ବଣଭୋଜି ପରେ ଅଳିଆ ଆବର୍ଜନା ସଫେଇ କରାଯାଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଦାସିଂବାଡ଼ି ଜଳପ୍ରପାତକୁ ଭଲ ରାସ୍ତା ନ ଥିବାବେଳେ ପ୍ରାୟ ୨ଶହ ମିଟର ପାହାଡ଼ ତଳକୁ ଯିବାକୁ ପଡ଼ୁଛି। ସେଠାର ଦୃଶ୍ୟ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନେ ଯାଉଥିଲେ ସୁଦ୍ଧା ବସିବା କିମ୍ବା ବଣଭୋଜି କରିବା ପାଇଁ କୌଣସି ସୁବିଧା ନଥିବା ପର୍ଯ୍ୟଟକମାନେ ଅଭିଯୋଗ କରୁଛନ୍ତି। ଏଭଳି ଅବ୍ୟବସ୍ଥାକୁ ଦେଖି ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକ ଦିଲୀପ କୁମାର ପଣ୍ଡାଙ୍କ ସମେତ ଇ.ଜବାହରଲାଲ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି ବ୍ରହ୍ମପୁରରୁ ଏରୋବିକସ୍‌ ଡେଡିକେଶନ ଇନ୍‌ ଭିମ୍‌ର ମୁଖ୍ୟ ଜଗମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାୟ ୧୫୦ ପରିବାର ଦାରିଙ୍ଗବାଡ଼ି ଆସି ପ୍ରକୃତି ଲଭର୍ସ ପଏଣ୍ଟରେ ବ୍ୟାୟାମ କରିବା ସହ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ଏରୋବିକସ୍‌ର ମୁଖ୍ୟ ପଟ୍ଟନାୟକ କହିଛନ୍ତି, ଦାରିଙ୍ଗବାଡ଼ି ପ୍ରଦୁଷଣମୁକ୍ତ। ଏଠାରେ ବ୍ୟାୟାମ କରିବା ଦ୍ୱାରା ମୁକ୍ତ ଅମ୍ଳଜାନ ମିଳୁଛି। ଦାରିଙ୍ଗବାଡ଼ି ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ସୁଯୋଗ ରହିଛି। ଏଣୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି। ଦାରିଙ୍ଗବାଡ଼ି ପର୍ଯ୍ୟଟନ କେନ୍ଦ୍ରର ବିକାଶକୁ ଗୁରୁତ୍ୱ ଦିଆଯାଉଛି, ହିଲଭିୟୁ ପାର୍କ ସମେତ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରର ବିକାଶ ତ୍ୱରାନ୍ବିତ କରାଯିବ ବୋଲି ବିଡିଓ ତ୍ରିଲୋଚନ ପାତ୍ର କହିଛନ୍ତି। ରବିବାର ଖବର ଲେଖାଯିବା ସୁଦ୍ଧା କଟକ, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ବଲାଙ୍ଗୀର ଓ ସମ୍ବଲପୁର ଆଦି ଅଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସିଥିବା ଜଣାପଡିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri