ନିର୍ମାଣ ହେବ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ, ପ୍ରତି ଘରକୁ ଡଷ୍ଟବିନ


ହିଞ୍ଜିଳିକାଟୁ,୩।୧୨(ଡ଼ି.ଏନ୍‌.ଏ.)-ହିଞ୍ଜିଳିକାଟୁ ପାୈର ପରିଷଦ ଅଞ୍ଚଳରେ ଖୁବଶୀଘ୍ର ନିର୍ମାଣ ହେବ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ। ପ୍ରତି ଘରକୁ ବଣ୍ଟନ କରାଯିବ ଡ଼ଷ୍ଟବିନ। ସଫେଇ କର୍ମଚାରୀ ଘରୁ ସଂଗ୍ରହ କରିବେ ବର୍ଜ୍ୟବସ୍ତୁ। ନିୟମିତ ଆର୍ବଜନା ସଂଗ୍ରହ ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଡ଼ିସ୍‌ପୋଜାଲ ୟୁନିଟ୍‌କୁ ପରିବହନ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଶୁକ୍ରବାର ଏ ସମ୍ପର୍କରେ ଆଲୋଚନା ବେଳେ କହିଛନ୍ତି ପୌରାଧ୍ୟକ୍ଷା ଗାୈରୀ ପାଣିଗ୍ରାହୀ। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଜମି ଚିହ୍ନଟ ହୋଇଛି। ହିଞ୍ଜିଳିକାଟୁ ତହସିଲ ନୂଆଗଡ଼ ମୌଜା ସିଙ୍ଗିପୁର ନିକଟ ଖାତା ନଂ-୫୮୩ ପ୍ଲନଂ-୨୫୬୫ର ପ୍ରାୟ ୬.୮ଏକର ଜାଗାରେ ଅତ୍ୟାଧୁନିକ ଏହି ୟୁନିଟ ସ୍ଥାପନ କରାଯିବ। ଏହି ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ଗତ ମାସରେ ପୌରପରିଷଦକୁ ପ୍ରଦାନ କରାଯାଇଛି। ଚିହ୍ନଟ ଜମିକୁ ପ୍ରାଚୀର ଘେରା ଯିବା ସହ ଓ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ଡ଼ିପିଆର ପ୍ରସ୍ତୁତ କରାଯାଇ ବିଭାଗର ଅନୁମୋଦନ ପରେ ଡ଼ିସ୍‌ପୋଜାଲ ୟୁନିଟ ନିର୍ମାଣ କରାଯିବ। ସହରର ଜନସଂଖ୍ୟା ସମ୍ପ୍ରତି ୩୫ ହଜାର ଟପିଛି। ଏହାକୁ ଦୃଷ୍ଟିରେ ରଖି ୨୦୩୮ ପର୍ଯ୍ୟନ୍ତ ଡ଼ିପିଆର(ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହେବ। ଆଧୁନିକ ପ୍ରଣାଳୀରେ ଏହି ୟୁନିଟରେ ଜୈବ ଅଜୈବ ଓ ଅନ୍ୟାନ୍ୟ ଆର୍ବଜନାର ବିଚ୍ଛିନ୍ନକରଣ କରାଯିବ। ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ହିଞ୍ଜିଳିକାଟୁ ସହରରେ ପ୍ରତିଦିନ ପାଖାପାଖି ୧୦ ମେଟ୍ରିକ ଟନ ବର୍ଜ୍ୟବସ୍ତୁ ବାହାରୁଛି। ମୁଣ୍ଡ ପିଛା ପାୈରାଞ୍ଚଳରୁ ୨୦୦ ରୁ ୬୦୦ ଗ୍ରାମ ଆବର୍ଜନା ଉପତ୍ନ୍ନ ହେଉଛି। ଏହିସବୁ ବର୍ଜ୍ୟବସ୍ତୁକୁ ସହର ଓ ସହର ବାହାରେ ପକାଯିବାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଦେଖା ଦେଉଛି। ବର୍ଜ୍ୟବସ୍ତୁ ପକାଯାଉଥିବା ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣ ପରିବେଶ ପ୍ରଦୂଷଣ ନେଇ ଆପତ୍ତି ଉଠାଉଛନ୍ତି। କେନାଲ କଡ଼ ଓ ନଦୀ ତଟରେ ବର୍ଜ୍ୟବସ୍ତୁ ପକାଯାଉଥିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବାରୁ ଚାଷୀମାନେ ବିରୋଧ କରୁଛନ୍ତି।୨୦୦୮ମସିହାରୁ ବୈଜ୍ଞାନିକ ପ୍ରଣାଳୀରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ ସ୍ଥାପନ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ଆବଶ୍ୟକ ଜମି ପ୍ରଦାନ ପାଇଁ ଗଞ୍ଜାମ ଜିଲାପାଳ ସେହି ସମୟରେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୮ରେ ରାଜସ୍ବ ବିଭାଗ ପକ୍ଷରୁ ନୂଆଗଡ଼ ମୌଜାରେ ଖାତା ନଂ-୫୮୩ର ପ୍ଲଟ ନଂ-୪୪୬ ଓ ୧୯୦୮ର ୩ଏକର ଜାଗାକୁ ଏହି ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଥିଲା। ପ୍ରକଳ୍ପ ନିର୍ମାଣ ନେଇ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅନୁମତି ଲୋଡ଼ାଯାଇଥିଲା। ତେବେ ଜମିର ସ୍ବତ୍ତ୍ୱ ଅଧିକାରରେ ସମସ୍ୟା ହେତୁ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ପ୍ରକଳ୍ପ ସ୍ଥାପନରେ ବିଳମ୍ବ ହେତୁ ଉକ୍ତ ୩ ଏକର ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଜେଏମଏଫସି କୋର୍ଟର ନୂତନ କୋଠା ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ପ୍ରକାରେ ଏଣିକି ଆର୍ବଜନା ଉପତ୍ନ୍ନ କରୁଥିବା ସଂସ୍ଥା ଗୁଡ଼ିକରୁ ୟୁଜର୍ସ ଫି ଆଦାୟ କରାଯିବ। ନିୟମ ପାଳନ କରୁ ନ ଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ଠାରୁ ସ୍ପଟ୍‌ଫାଇନ ମଧ୍ୟ ଆଦାୟ କରାଯିବ। ପ୍ରସ୍ତାବିତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ ସ୍ଥାପନ ପରେ ସହରରେ ପରିମଳ ସମସ୍ୟାର ସମାଧାନ ହେବା ଆଶା କରାଯାଉଛି ବୋଲି ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ରାମଚନ୍ଦ୍ର ମହାପାତ୍ର କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri