ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ


ଛତ୍ରପୁର,୯।୧୧(ଡି.ଏନ.ଏ)- ରାଜ୍ୟ ସମବାୟ ବିଭାଗ ସଚିବ ତଥା ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନର ଡାଇରେକ୍ଟର ରଞ୍ଜନା ଚୋପ୍ରା ଗୁରୁବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ। ପୂର୍ବାହ୍ନରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସଚିବ ଚୋପ୍ରା ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଗଞ୍ଜାମ ଜିଲାର ସଚିବ ଚୋପ୍ରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବେ। ବୈଠକରେ ବିଭିନ୍ନ ବିଭାଗୱାରୀ ସମୀକ୍ଷା କରାଯାଇଥିଲା। ଅଧିକାରୀମାନେ ନିଜ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧୀୟ ରିପୋର୍ଟ ସଚିବଙ୍କ ନିକଟରେ ଉପସ୍ଥାପନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଦେଇଥିଲେ। ଜିଲାରେ ଚାଲିଥିବା ଘରୋଇ ପାଇଖାନା ନିର୍ମାଣର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲାର ଗ୍ରାମାଞ୍ଚଳରେ ମୋଟ ୬ ଲକ୍ଷ ୭୩ ହଜାର ୯୬୫ ଘର ରହିଛି। ସେଥିରୁ ୪ ଲକ୍ଷ ୩୯ ହଜାର ୯୧୮ ଘରେ ପାଇଖାନା ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ ହଜାର ୭୮୦ ଘରେ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୩୫ ହଜାର ୩୨୩ ଜଣଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୨ ଲକ୍ଷରୁ ଉର୍ଦ୍ଧ୍ୱ ଘରେ ପାଇଖାନା ନିର୍ମାଣ ସରିଥିବା ସୂଚନା ଦିଆଯାଇଛି। ଆହୁରି ୩୦ ହଜାର ଜଣଙ୍କ ଘରେ ପାଇଖାନା ନିର୍ମାଣ ଚାଲିଛି। ମାର୍ଚ୍ଚ ସୁଦ୍ଧା ଜିଲାର ୮୮ ପଞ୍ଚାୟତ ଏବଂ ହିଞ୍ଜିଳି ବ୍ଳକର ସମସ୍ତ ପଞ୍ଚାୟତକୁ ବାହ୍ୟ ମଳ ମୁକ୍ତ କରିବାକୁ ଟାର୍ଗେଟ ରହିଛି। ଜିଲାରେ ୩୯୯ ମଧ୍ୟରୁ ୧୭୬ ଜଣ ଡାକ୍ତର କାର୍ଯ୍ୟ କରୁଥିବା ସୂଚନା ଦିଆଯାଇଛି। ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମିଶନ ଇନ୍ଦ୍ରଧନୁଷ, ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ବିଜୁ ପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଆଦି ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିବା ଜଣାପଡିଛି। ଅପରାହ୍ନରେ ସଚିବ ବ୍ରହ୍ମପୁର ଯାଇ ବିଭିନ୍ନ ପ୍ରକଳ୍ପ ଦେଖିଥିଲେ। ସଚିବ ଚୋପ୍ରାଙ୍କ ସହ ଜିଲାପାଳ, ଡିଆରଡିଏ ପିଡି ଏବଂ ଅନ୍ୟମାନେ ସାମିଲ ଥିଲେ। ପରେ ଜିଲାର ବିଭିନ୍ନ ସ୍ଥାନକୁ ସଚିବ ପରିଦର୍ଶନରେ ଯାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଦେଖିବା ସହ ତଥ୍ୟ ସଂଗ୍ରହ କରିଥିଲେ। ବୈଠକରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଡିଆରଡିଏ ପିଡି ବିଜୟ ଅମୃତା କୁଲାଙ୍ଗେ, ଏପିଡି ସୁଦାମ ଚରଣ ମଣ୍ଡଳ, ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ସରୋଜ ମିଶ୍ର, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri