ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ,ଗୁଣିଗାରେଡି ସନ୍ଦେହରୁ ହତ୍ୟା, ୫ଗିରଫ


ଫୁଲବାଣୀ ଅଫିସ, ୮।୧୧- କନ୍ଧମାଳ ଜିଲା କୋଟଗଡ ବ୍ଲକ ମାର୍ଲାଙ୍ଗ ପଞ୍ଚାୟତ ଦୁରିକପଡା ଗ୍ରାମର ଯୁବକ ଅମିତ ବଟକରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ବୁଧବାର ହୋଇଛି। ଗୁଣି ଗାରେଡି ସନ୍ଦେହରୁ ହତ୍ୟା କାଣ୍ଡ ଘଟିଥିବା ପୋଲିସ ପ୍ରକାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଦୁରିକପଡାର ତେରେଙ୍ଗା ବେହେରା, ଶଙ୍କର ବେହେରା, ଲକ୍ଷ୍ମଣ ବେହେରା, ତୁମୁଡିନ୍ଧ ଥାନା ନୂଆମୁଣ୍ଡା ଗ୍ରାମର ଦେବାଶିଷ ନାୟକ ଓ କୋଟଗଡ ସାର୍ତ୍ତୁଲ ପଞ୍ଚାୟତ ଲାଦୁର ଗ୍ରାମର ସୁରେଶ ନାୟକ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ପୂର୍ବ ଶତ୍ରୁତା ଏବଂ ଗୁଣି ଗାରେଡିରୁ ଅମିତଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। କିଛି ମାସ ତଳେ ତେରେଙ୍ଗାଙ୍କ ଭଉଣୀଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ପରିବାର ସଦସ୍ୟଙ୍କ ଦେହ ବି ଖରାପ ରହୁଥିଲା। ଗୁଣିଗାରେଡି ଯୋଗୁ ଏଭଳି ଘଟୁଥିବା ଏବଂ ଏଥିରେ ଅମିତଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ଅମିତଙ୍କୁ କିପରି ହତ୍ୟା କରାଯିବ ସେ ନେଇ ଯୋଜନା କରିଥିଲେ। ଛାଡଖାଇ ଅର୍ଥାତ ରବିବାର କେତେକ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ଭୋଜି କରିଥିଲେ। ଭୋଜି ସରିବା ପରେ ଅନ୍ୟମାନେ ଗ୍ରାମକୁ ଫେରି ଆସିଥିବା ବେଳେ ସମ୍ପୃକ୍ତ ଯୁବକମାନେ ଅମିତଙ୍କୁ ମଦ ପିଇବା ବାହାନାରେ ଅଟକାଇ ରଖିଥିଲେ। ସମସ୍ତେ ମିଶି ମଦ ପିଇବା ପରେ ଏକ ଧାରୁଆ ଅସ୍ତ୍ରରେ ଅମିତଙ୍କ ବେକ କାଟି ହତ୍ୟା କରିଥିଲେ। ଏହାପରେ ମୃତ ଦେହକୁ ଜଙ୍ଗଲରେ ଫୋପାଡି ଦେଇ ଚାଲି ଆସିଥିଲେ। ପୋଲିସ ତଦନ୍ତ ବେଳେ କୌଣସି ସୂତ୍ରରୁ ହତ୍ୟାରେ ସମ୍ପୃକ୍ତ ଯୁବକଙ୍କ ହାତ ଥିବା ଜାଣିବାକୁ ପାରିଥିଲା। ଦୁରିକପଡା ଗ୍ରାମରେ ଚଢାଉ କରି ବୁଧବାର ସେମାନଙ୍କୁ ଗିରଫ କରିଛି। ନଂ ୪୭/୧୭ରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଏଏସ୍‌ଆଇ କୁଳମଣି ରାଉତ ସୂଚନା ଦେଇଛନ୍ତିି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରୁ ଅମିତ ଘରକୁ ଫେରି ନ ଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ଗ୍ରାମ ନିକଟସ୍ଥ ଜଙ୍ଗଲ ଲଟାବୁଦା ଭିତରୁ ମିଳଥିଲା। ମୃତକଙ୍କ ସମ୍ପର୍କୀୟ ଭାଇ କୃଷ୍ଣଙ୍କ ଏତାଲା ଅନୁସାରେ କୋଟଗଡ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri