ଓଲଟିଲା ଯାତ୍ରୀବାହୀ ବସ, ଜଣେ ମୃତ, ୨୦ ଗୁରୁତର


ବାଲିଗୁଡା/ଫୁଲବାଣୀ ଅଫିସ, ୭।୧୧- କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ ପାଖ ଡଲାବାଲି ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଲତିକା ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡିଛି। ଘଟଣାସ୍ଥଳରେ ଗାଡି ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ବାଲିଗୁଡା ଡାକ୍ତରଖାନା ୨ ଓ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ମୃତକ ହେଲେ ବୁଡାଗୁଡା ପଞ୍ଚାୟତ ପିକୁସି ଗ୍ରାମର ଜିନ୍‌ଜିନା ବଳିୟାର ସିଂ(୫୦)। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତିି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ବସ୍‌କୁ ଜବତ କରିଛି। ସୂଚନା ଅନୁସାରେ ଲଳିତା ବସ୍‌(ଓଆର ୧୨ଏ ୫୬୫୬) କୋଟଗଡ ବ୍ଲକ ପକାରିରୁ ବାଲିଗୁଡ଼ା ଆସୁଥିଲା। ଋତୁଙ୍ଗିଆ ପଞ୍ଚାୟତ ପାଖ ଡଲାବାଲି ଘାଟି ଗଡିବା ପରେ ଦ୍ରୁତ ଗତିରେ ଆସି ଏକ ବୁଲାଣି ପାଖରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଥାନା ଏବଂ ଅଗି୍ନଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୧୦୮ଆମ୍ବୁଲାନ୍ସରେ ଗୁରୁତରମାନଙ୍କୁ ପ୍ରଥମେ ବାଲିଗୁଡା ଓ ପରେ ୧୭ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବାଲିଗୁଡା ମେଡିକାଲରୁ ୨ଜଣଙ୍କୁ ଓ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରୁ ୩ଜଣଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି। ଅନ୍ୟ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ବସ୍‌ରେ ଥିବା ଯାତ୍ରୀ ସାନୁଜ ଦିଗାଲଙ୍କ କହିବା ଅନୁଯାୟୀ ଗାଡିଟି ଘାଟିରୁ ଦ୍ରୁତ ଗତିରେ ଗଡିଥିଲା। ବୁଲାଣି ବୁଲିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଗାଡିଟି ବୁଲି ନ ପାରି ପ୍ରାୟ ୫୦ ମିଟର ଗଲାପରେ ଓଲଟି ପଡିଥିଲା। ଗୁରୁତରମାନେ ହେଲେ ଭଞ୍ଜନଗର ସୋମାପରିର ମଧୁସ୍ମିତା ନାୟକ ଓ ପୁଅ ଚନ୍ଦନ , ତିଲୋରି ଡାମିଙ୍ଗିଆର ଚୁମକି ନାୟକ ଓ ପୁଅ ସୋମିଆ(୧୩ମାସ), ବୁଡାଗୁଡାର ନାରାୟଣ ପାଇକ, ପାଡାଙ୍ଗିକିଆର ସୁରେଶ ସିଂ, ଡେଡିମାହାର ପୁର ମଲ୍ଲିକ, ଋତୁଙ୍ଗିଆର ଶୁଭସ୍ମିତା ପ୍ରଧାନ, ନମିତା ପ୍ରଧାନ, ମିଥିଳା ପ୍ରଧାନ, ଲୁପିନା ପ୍ରଧାନ, ନମଜିନ୍‌ ପ୍ରଧାନ, ପନିମା ମଳିକ, ସାନୁଜ ଦିଗାଳ, ବାଡାମାତାଙ୍ଗିର ବିସିଂ ପ୍ରଧାନ, ଫୁଲବାଣୀ ଗଞ୍ଜୁଗୁଡାର ପ୍ରଭାତୀ ନାୟକ ପ୍ରମୁଖ ରହିଛନ୍ତି। ଗୁରୁତରମାନଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କା ଲେଖାଏ ଚିକିତ୍ସା ବାବଦରେ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହାଣୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗାଡିରେ ଯେତିକି ଯାତ୍ରୀ ଯିବା କଥା ତାଠୁ ଅଧିକ ଥିଲେ। ପାଖାପାଖି ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ଅନୁମାନ କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri