ବିଏମ୍‌ସି ସାଧାରଣ ବୈଠକ, ଜାନିବିଲି ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ


ବ୍ରହ୍ମପୁର ଅଫିସ,୭।୧୧- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାଢ଼େ ୩ ମାସ ପରେ ହୋଇଥିବା ଏହି ବୈଠକରେ ସହରରେ ଜଳ ସଙ୍କଟର ବିକଳ୍ପ ସ୍ଥାୟୀ ସମାଧାନ ଲାଗି ପ୍ରସ୍ତାବିତ ଜାନିବିଲି ପାଇପ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅହେତୁକ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ସହ ଜନସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ଦାୟୀ କରାଯାଇଥିଲା। ସଫେଇ କାର୍ଯ୍ୟ ଘରୋଇକରଣ ସତ୍ତ୍ବେ ପରିମଳ ବ୍ୟବସ୍ଥାରେ ସୁଧାର ଆସି ନ ଥିବା ଅଭିଯୋଗ ହୋଇଥିଲା। ରାସ୍ତା ମଝିରେ ଅନେକ ବିଦ୍ୟୁତ ଖୁଣ୍ଟ ଥିବାରୁ ଯାନବାହନ ଓ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ସେସବୁ ସ୍ଥାନାନ୍ତର ଦିଗରେ ସାଉଥ୍‌କୋର ଅବହେଳାକୁ ଅଧିକାଂଶ କର୍ପୋରେଟର କଡ଼ା ଭାଷାରେ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ କର୍ପୋରେଟରଙ୍କ ୱାର୍ଡରେ ରାଜନୈତିକ ଉଦ୍ଦେଶ୍ୟମୂଳକ ଭାବେ ଉନ୍ନୟନ କାର୍ଯ୍ୟ କରାଯାଉ ନ ଥିବା ଦର୍ଶାଇ ଏହାର ପ୍ରତିବାଦରେ କଂଗ୍ରେସର ବି. ଶ୍ରୀନିବାସ ରାଓ ସମ୍ମିଳନୀ କକ୍ଷରେ କିଛି ସମୟ ଧାରଣା ଦେଇଥିଲେ। ତେଣୁ ୱାର୍ଡଗୁଡିକରେ କ’ଣ ସମସ୍ୟା ରହିଛି, ସେ ସମ୍ପର୍କରେ କର୍ପୋରେଟରମାନଙ୍କ ଅଭିଯୋଗ ଶୁଣାଣି କରିବାକୁ ବାଧ୍ୟ ହୋଇଥିଲେ କମିଶନର ନିଖିଲ ପୱନ କଲ୍ୟାଣ। ବୈଠକରେ ମେୟର କେ. ମାଧବୀ ଅଧ୍ୟକ୍ଷତା କରିଥିଲେ। ଆଗକୁ ପୌର ଓ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବ୍ରହ୍ମପୁର ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ। ସହରର ଜଳାଶୟଗୁଡ଼ିକୁ ଅବିଳମ୍ବେ ପୁନରୁଦ୍ଧାର ଏବଂ ଆବର୍ଜନାମୁକ୍ତ କରିବାରେ କର୍ପୋରେଟରମାନେ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମହାନଗରର ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ସମସ୍ୟା ଦେଖା ଦେଇଥିବା ଏମ୍‌ପି ସ୍ବୀକାର କରିବା ସହ ଏହାର ସନ୍ତୋଷଜନକ ସମାଧାନ ଲାଗି ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ମିଳିତ ବୈଠକ ପାଇଁ ମହାପାତ୍ର ପରାମର୍ଶ ଦେଇଥିଲେ। ମହାନଗରରୁ ଉତ୍ପନ୍ନ ଆବର୍ଜନା ରାସାୟନିକ ପଦ୍ଧତିରେ ପରିଚାଳନା ନିମନ୍ତେ ମହୁଡ଼ାଠାରେ ପ୍ରସ୍ତାବିତ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ରକଳ୍ପ ପାଇଁ ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଏହାର ୪ ବର୍ଷ ବିତିବା ପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଏହା ପ୍ରହସନ ପାଲଟିଥିବା ବରିଷ୍ଠ କର୍ପୋରେଟର ଅଶୋକ ଶୁକ୍ଳ କଟାକ୍ଷ କରିଥିଲେ। ବିଭିନ୍ନ କାରଣରୁ ସମସ୍ୟା ସୃଷ୍ଟି ହୋଇଥିବା କମିଶନର ସ୍ବୀକାର କରିଥିଲେ ଏବଂ ଆସନ୍ତା ଦୁଇ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବୋଲି ସେ ସୂଚନା ଦେଇଥିଲେ। ନିଗମ ପକ୍ଷରୁ ନିର୍ମିତ ଟାଉନ ହଲ ଛକରୁ ବାପୁଜୀ ଆଶ୍ରମ ରୋଡରେ ଥିବା ଉପର ମହଲା ଦୋକାନ ଗୃହରେ ଓପନ ବାର (ଠିପି ଖୋଲା ବିଦେଶୀ ମଦ ଦୋକାନ) ବେଆଇନ ଭାବେ ଖୋଲା ଯାଇଥିବାରୁ ତାହା ତୁରନ୍ତ ବନ୍ଦ ପାଇଁ ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଦାବି କରିଥିଲେ। ସେଠାରେ ବାର ଲାଇସେନ୍ସ ଦେବା ପାଇଁ ଅବକାରୀ ବିଭାଗର ନିୟମ ବହିର୍ଭୂତ କାର୍ଯ୍ୟର ତଦନ୍ତ କରିବାକୁ ମଧ୍ୟ ସୁରେନ୍ଦ୍ର ପ୍ରସ୍ତାବ ଦେଇଥିଲେ। ଖୁବଶୀଘ୍ର ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କମିଶନର ଆଶ୍ୱାସନା ଦେଇଥିଲେ। ନୃସିଂହ ମନ୍ଦିର ସାହିରେ ଡ୍ରେନ ନିର୍ମାଣ ପାଇଁ ଦୀର୍ଘ ମାସରୁ ଟେଣ୍ଡର ହୋଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ ଡ୍ରେନ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଉ ନ ଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିବା ସମ୍ପୃକ୍ତ କର୍ପୋରେଟର ଦଣ୍ଡପାଣି ନାୟକ ଅଭିଯୋଗ କରିଥିଲେ। ୧୫ ଦିନ ମଧ୍ୟରେ ଉଚ୍ଛେଦ ଅଭିଯାନ ହେବ ବୋଲି କମିଶନର ପ୍ରତିଶ୍ରୁତି ଦେଇଥିଲେ। ଆଉ କେତେକ କର୍ପୋରେଟର ଉଠାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଅବସରପ୍ରାପ୍ତ ପୌର କର୍ମଚାରୀଙ୍କୁ ଷଷ୍ଠ ବେତନ କମିଶନ ସୁପାରିସ ଅନୁସାରେ ପେନସନ ଓ ଗ୍ରାଚ୍ୟୁଇଟି ପ୍ରଦାନ, ଆବାସ ଯୋଜନା, ଅନ୍ନପୂର୍ଣ୍ଣା ଅନ୍ତ୍ୟୋଦୟ ଯୋଜନାରେ ହିତାଧିକାରୀ ଚୟନ, ସହରାଞ୍ଚଳ ଜାତୀୟ ସ୍ବାସ୍ଥ୍ୟ ମିଶନ ଦ୍ୱାରା ସ୍ବାସ୍ଥ୍ୟସେବା ଯୋଗାଇବାକୁ ବିଏମ୍‌ସି ଦ୍ୱାରା ନିର୍ମିତ ବିଲ୍ଡିଂଗୁଡ଼ିକର ସୁରକ୍ଷା ଆଦି ଅନ୍ତର୍ଭୁକ୍ତ। ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ଡେପୁଟି କମିଶନର ସୌରୀନ୍ଦ୍ର କୁମାର ରାଉତରାୟଙ୍କ ସମେତ ଅନ୍ୟ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ। ଶେଷ ପର୍ଯ୍ୟାୟରେ କର୍ପୋରେଟର ବୀରେନ ପଟ୍ଟନାୟକ ତାଙ୍କ ୱାର୍ଡର ସମସ୍ୟା ନେଇ ପ୍ରବଳ ପାଟିତୁଣ୍ଡ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri