କାଉନ୍‌ସିଲର ହତ୍ୟା ମାମଲା:ଜେଲ ଫେରିଲେ କୃଷ୍ଣ, ଦୁର୍ଯ୍ୟୋଧନ


ଛତ୍ରପୁର,୬।୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା କୃଷ୍ଣଚନ୍ଦ୍ର ନାୟକ ଓ ଲକ୍ଷ୍ମୀପୁର ସମିତିସଭ୍ୟ ଦୁର୍ଯ୍ୟୋଧନ ରେଡ୍ଡୀଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଅପରାହ୍ନ ୨ଟାରେ ସେମାନଙ୍କୁ ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ପୁଣି ୭ ଦିନ ସେମାନଙ୍କୁ ରିମାଣ୍ଡରେ ନେବାପାଇଁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲ। ଛତ୍ରପୁର ଏସ୍‌ଡିଜେଏମ୍‌ ଜୟପ୍ରକାଶ ନାୟକ ଏହାର ଶୁଣାଣି କରି ପିଟିଶନକୁ ଖାରଜ କରିଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଦ୍ୱୟଙ୍କୁ ପୁଣି ଛତ୍ରପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ସେପ୍ଟେମ୍ବର ୩୧ ତାରିଖରୁ କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କୁ ପୋଲିସ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା । ପ୍ରଥମ ୨ ଦିନ ଛତ୍ରପୁରରେ ରଖି ଜେରା କରାଯାଇଥିଲା । ପରେ ସେମାନଙ୍କୁ କଟକ, ଖଡଗପୁର, କଲିକତା ଓ ଉତ୍ତରାଖଣ୍ଡର ଡେରାଡୁନ୍‌କୁ ନେଇ ପୋଲିସ ଟିମ୍‌ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଥିଲା। ହତ୍ୟା ମାମଲାର ତଦନ୍ତ ଓ ଜେରା ପାଇଁ ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂ ଏକ ସ୍ପେଶାଲ ପୋଲିସ ଟିମ୍‌ ଗଠନ କରିଥିଲେ । ଅତିରିକ୍ତ ଏସପି ଅଜୟ ପ୍ରତାପ ସ୍ବାଇଁ ଓ ଏସଡିପିଓ ରମେଶ ଚନ୍ଦ୍ର ସେଠୀ ଏହାର ମନିଟରିଂ କରୁଥିଲେ । ଅଭିଯୁକ୍ତଦ୍ୱୟଙ୍କଠାରୁ ବହୁ ତଥ୍ୟ, ପ୍ରମାଣ ମିଳିଥିବା ଏସ୍‌ଡିପିଓ ସେଠୀ କହିଛନ୍ତି। ହତ୍ୟା ମାମଲାରେ ସମ୍ପୃକ୍ତ ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ରାଜ୍ୟ ଭାଜପା ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ପୁଣି ଡକାଯିବ କି ବୋଲି ପଚାରିବାରେ ଏସଡିପିଓ କହିଛନ୍ତି, ଆବଶ୍ୟକ ପଡ଼ିଲେ ତାଙ୍କୁ ନୋଟିସ କରାଯାଇପାରେ। ଅନ୍ୟ ଯେଉଁମାନେ ମାମଲା ସହ ସମ୍ପୃକ୍ତ କିମ୍ବା ଏ ସମ୍ପର୍କରେ ଜାଣିଛନ୍ତି, ସେମାନଙ୍କୁ ମଧ୍ୟ ନୋଟିସ କରାଯିବ ବୋଲି ଏସ୍‌ଡିପିଓ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ୧୫ ଅଭିଯୁକ୍ତଙ୍କୁ ମଧ୍ୟ ସୋମବାର ଏସଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇ ପୁଣି ଛତ୍ରପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖରେ ଲକ୍ଷ୍ମୀଦତ୍ତଙ୍କୁ ତାଙ୍କ ଘର ଆଗରେ ହତ୍ୟା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୭ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ଡେରାଡୁନରେ ଅଭିଯୁକ୍ତ କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କ ରହିବା ବ୍ୟବସ୍ଥା ଗୋଲକ କରିଥିଲେ ବୋଲି ସେମାନେ ଏକ ଭିଡିଓ କ୍ଲିପରେ କହିଥିଲେ। ତେଣୁ ଗୋଲକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେଡି ଦାବି କରି ଆସୁଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri