ସୁଧୁରିଲାନି ସମସ୍ୟା : କରସିଙ୍ଗି ଉଚ୍ଚ ବିଦ୍ୟାଳୟରେ ତାଲା


ବୁଗୁଡ଼ା,୬।୧୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ହେଲା ବିଭିନ୍ନ ସମସ୍ୟା ଲାଗି ରହିଛି। ଏ ନେଇ ବିଭିନ୍ନ ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ସମେତ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି। ଏହା ପ୍ରତିବାଦରେ ସୋମବାର ଅଭିଭାବକଙ୍କ ସହ ଛାତ୍ରୀଛାତ୍ରମାନେ ଗେଟରେ ତାଲା ପକାଇଥିଲେ। ଛାତ୍ରୀଛାତ୍ରମାନେ ସେଠାରେ ଧାରଣା ଦେଇଥିଲେ। ସମସ୍ୟା ସମାଧାନ ପାଇଁ ପ୍ରତିଶୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗତ ମଙ୍ଗଳବାରଠାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ପ୍ରଶାସନ ଜାଣି ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବା ଆଶ୍ଚର୍ଯ୍ୟର ବିଷୟ। ୨୦୧୫ ଠାରୁ ନବମ, ଦଶମ ଶ୍ରେଣୀ ଲାଗି କୌଣସି ଶିକ୍ଷକ ନିଯୁକ୍ତ ନ ହେବା, ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ଅନୁପସ୍ଥିତ ରହିବା, ପିଲାଙ୍କୁ ଠିକରେ ମଧ୍ୟାହ୍ନ ଭୋଜନ ଦିଆ ନ ଯିବା, ବିଦ୍ୟାଳୟ ପରିଚାଳନା କମିଟି ଗଠନ ନ ହେବା, ବହି ମିଳୁ ନ ଥିବା, ଦଶମ ଶ୍ରେଣୀ ପରୀକ୍ଷା ଫର୍ମ ପୂରଣ କରା ନ ଯିବା ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟା ନେଇ ଜୁଲାଇ ୧୯ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା। ତଥାପି କୌଣସି ସମସ୍ୟା ସମାଧାନ ନ ହୋଇଥିବାରୁ ସୋମବାର ବିଦ୍ୟାଳୟ ଗେଟରେ ତାଲା ପକାଯାଇଥିଲା। ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ପୀତାମ୍ବର ବିଷୋୟୀ ପହଞ୍ଚି ବୁଝାଶୁଝା କରିବା ସହ ବୁଧବାର ସୁଦ୍ଧା ସମସ୍ୟା ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦାବି ପୂରଣ ନ ହେଲେ ବୁଧବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri