ଚାଷୀ ଆତ୍ମହତ୍ୟାକୁ ନେଇ ଜୋର ଧରୁଛି ରାଜନୀତି


ପାଟପୁର,୫।୧୧(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଧିନ ଏରେଣ୍ଡ୍ରା ଗ୍ରାମର ଚାଷୀ ଅଳୟ ଜେନା (୪୦) ଶୁକ୍ରବାର ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଏନେଇ ଏବେ ରାଜନୀତି ଜୋର ଧରିଛି। ଶନିବାର ମୃତକଙ୍କ ପରିବାରକୁ ଭାଜପା ପକ୍ଷରୁ ସମବେଦନା ଜଣାଯିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲା। ରବିବାର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଟିମ ଏରେଣ୍ଢ୍ରା ଗ୍ରାମକୁ ଆସି ମୃତ ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କରିବା ସହ କେତେକ ଦାବି ଉପସ୍ଥାପନ କରିଛନ୍ତି। କଫସଲ ହାନୀ ଯୋଗୁ ଚାଷୀ ଆତ୍ମହତ୍ୟା କରୁଛନ୍ତି, ସରକାର ଏହାକୁ ସ୍ବୀକାର କରନ୍ତୁ। ଚାଷୀ ମୃତ୍ୟୁ ଭଳି ସମ୍ବେଦନଶୀଳ ସମୟରେ କୃଷିମନ୍ତ୍ରୀଙ୍କ ଦାୟିତ୍ୱହୀନତାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଗଞ୍ଜାମ ଜିଲାର ୨୨ଟି ବ୍ଳକରେ ପୋକ ପ୍ରାଦୁର୍ଭାବରୁ ୨୦ରୁ ୨୫ ହଜାର ହେକ୍ଟର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଜିଲା ପ୍ରଶାସନ କ୍ଷେତ ପରିଦର୍ଶନରେ ନଯାଇ ୭ ହଜାର ୫ ଶହ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନକଲି ବିହନ ସହ ନକଲି କୀଟନାଶକ ଯୋଗୁ ଚାଷୀ ଆତ୍ମହତ୍ୟାର ଶିକାର ହେଉଛନ୍ତି ବୋଲି ରବିବାର ସନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ କୃଷକ ସେଲ ସଭାପତି ଅମୀୟ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସମ୍ପାଦକ ବିକ୍ରମ କୁମାର ପଣ୍ଡା, ଜିଲା କୃଷକ ସେଲ ସଭାପତି ବୃନ୍ଦାବନ ଖଟେଇ, ପିସିସି ସଦସ୍ୟ ଶୂନ୍ୟଚନ୍ଦ୍ର ଦାଶ, ପିସିସି ସାଧାରଣ ସମ୍ପାଦକ ମଳୟ କୁମାର ବିଷୋୟୀ ପ୍ରମୁଖ ସାନଖେମୁଣ୍ଡି ବ୍ଲକ ଏରେଣ୍ଢ୍ରା ଗ୍ରାମ ଗସ୍ତ କରି ଦାବି ଉପସ୍ଥାପନ କରିଥିଲେ। ଆତ୍ମହତ୍ୟା କରିଥିବା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଓ ଋଣ ଛାଡ଼ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ଅଳୟ ଜେନାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନା କିମ୍ବା ରେଡକ୍ରସ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ସହାୟତା ମିଳିନାହିଁ। ଏନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରବିବାର ପୂର୍ବାହ୍ନରେ ମୃତ ଅଳୟ ଜେନାଙ୍କ ଚିରାପାହାଡ଼ସ୍ଥିତ ଦୁଇ ଏକର ଧାନ ଜମିକୁ ସାନଖେମୁଣ୍ଡି ଅତିରିକ୍ତ ତହସିଲଦାର ମଧୁସ୍ମିତା ବେହେରା, କୃଷି ଅଧିକାରୀ କୈଳାଶ ଚନ୍ଦ୍ର ସ୍ବାଇଁ ଏବଂ ରାଜସ୍ବ ଓ କୃଷି କର୍ମଚାରୀ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। ରିପୋର୍ଟ ଜିଲା ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେଲେ ରାଜରାସ୍ତାକୁ ଓହ୍ଳାଇବାକୁ ସାନଖେମୁଣ୍ଡି ଭାଜପା ପକ୍ଷରୁ ଚେତାବନୀ ଦିଆଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri