ଅମୃତ ସିଟି: ବ୍ରହ୍ମପୁରରେ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ


ଛତ୍ରପୁର,୪।୧୧(ଡି.ଏନ.ଏ.)- ଗଞ୍ଜାମ ଜିଲାର ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ରେ ଅମୃତ ସିଟି ଯୋଜନାରେ ଆସିଥିବା ଅନୁଦାନ ଖର୍ଚ୍ଚ ନିର୍ଦ୍ଧାରିତ ସମୟ ମଧ୍ୟରେ ହେଉନି। ଅପରପକ୍ଷରେ ଅଧିକାଂଶ ପ୍ରକଳ୍ପ ଅଧାପନ୍ତରିଆ ରହିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ହୋଇଥିବାରୁ ଠିକ୍‌ ସମୟରେ ଅନୁଦାନ ଖର୍ଚ୍ଚ ନ କଲେ ଆଗାମୀ ଅନୁଦାନ ଆସିବାରେ ମୁସ୍କିଲ ବୋଲି ପୂର୍ବରୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଦ୍ୱାରା ବିଏମ୍‌ସି କମିଶନରଙ୍କୁ ଅବଗତ କରାଯାଇଥିଲା। ତଥାପି ବିଏମ୍‌ସିରେ ଚିତ୍ର ନୈରାଶ୍ୟଜନକ ରହିଛି ା ଓଡିଶାର ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ସମେତ ୯ଟି ସହରକୁ ଅମୃତ ସିଟି ଯୋଜନାରେ କେନ୍ଦ୍ର ସରକାର ୨୦୧୫ ଜୁନ୍‌ ୨୫ ତାରିଖରେ ସାମିଲ କରିଥିଲେ। ଜିଲାର ବିଏମ୍‌ସି ହିଁ ଏକମାତ୍ର ଅମୃତ ସିଟିରେ ସାମିଲ ହୋଇଥିଲା। ବିଏମ୍‌ସିରେ ଅମୃତ ସିଟି ଯୋଜନାରେ ନିଆଯାଇଥିବା ପ୍ରକଳ୍ପ ତ୍ୱରାନ୍ବିତରେ ବିଳମ୍ବ ହେଉଥିବାରୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କ୍ଷୁବ୍ଧ ହୋଇଛି। କେତେକ ପ୍ରକଳ୍ପ ମଧ୍ୟ ଅଧାପନ୍ତରିଆ ରହିଥିବା ସୂଚନା ମିଳିଛି। ଅମୃତ ସିଟି ଯୋଜନାରେ ବିଏମ୍‌ସିରେ ପାଣି ପ୍ରକଳ୍ପ, ପାର୍କ ଉନ୍ନତୀକରଣ ଓ ପ୍ରତିଷ୍ଠା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ରହିଛି। ଫଳରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଣ୍ଡର ସେକ୍ରେଟାରୀ ତଥା ଅମୃତର ଡେପୁଟି ମିଶନ ଡାଇରେକ୍ଟର ବେଲାଳସେନ ବେହେରାଙ୍କଠାରୁ ୨୭ ତାରିଖରେ ଏକ ଚିଠି ବିଏମ୍‌ସି କମିଶନରଙ୍କ ନିକଟକୁ ଆସିଛି। ଏ ସମ୍ପର୍କରେ ରିପୋର୍ଟ ପଠାଇବାକୁ କୁହାଯାଇଛି। ଅମୃତ ସିଟି ଯୋଜନାରେ ହାତକୁ ନିଆଯାଇଥିବା ପ୍ରକଳ୍ପ ତ୍ୱରାନ୍ବିତ ହେବାର ସମୟ ଗଡି ଚାଲିଛି। ମାତ୍ର ଏଯାବତ ଏହା ସରିନି। ୨୦୧୫-୧୬ର ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ରହିଛି। ଏପରିକି କେତେକ ପ୍ରକଳ୍ପର କାମ ସରିଥିବା କୁହାଯାଉଥିବା ବେଳେ ଅନୁଦାନ ଖର୍ଚ୍ଚ ସହ ତାଳମେଳ ରହୁନି। ଏଥିଲାଗି ଯାଞ୍ଚ କରି ରିପୋର୍ଟ ପଠାଇବାକୁ ବିଭାଗ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ କୁହାଯାଇଛି। ୨୦୧୫-୧୬ରେ ହାତକୁ ନିଆଯାଇଥିବା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଏବେ ବି ଅଧାପନ୍ତରିଆ ରହିଥିବା ଜଣାପଡିଛି। ୨୦୧୫-୧୬ରେ ଜଳଯୋଗାଣ ପ୍ରକଳ୍ପ-୧ ପାଇଁ ୯ କୋଟି ୩୬ ଲକ୍ଷ ଟଙ୍କା ଆସିଥିଲା। ସେଥିରୁ ଏଯାବତ ୩ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇପାରିଛି। ଏହି କାର୍ଯ୍ୟ ଫେବୃୟାରୀ ୪ ତାରିଖରେ ସରିବାର ଥିଲା। ସେହିପରି ସେହିବର୍ଷ ଜଳଯୋଗାଣ ପ୍ରକଳ୍ପ-୨ ପାଇଁ ୧୨ କୋଟି ୬ ଲକ୍ଷ ଟଙ୍କା ଆସିଥିବାବେଳେ ୭୮.୫୯ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି। ଏହି କାର୍ଯ୍ୟ ମଧ୍ୟ ଫେବୃୟାରୀ ୪ ତାରିଖରେ ସରିବାର ଥିଲା। ଜଳଯୋଗାଣ ପ୍ରକଳ୍ପ-୩ ପାଇଁ ୧୦ କୋଟି ୯୬ ଲକ୍ଷ ଟଙ୍କା ଆସିଥିଲା। ସେଥିରୁ ବର୍ତ୍ତମାନସୁଦ୍ଧା ୭ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟ ଅଗଷ୍ଟ ୨୬ରେ ସରିବାର ଥିଲା। ଜଳଯୋଗାଣ ପ୍ରକଳ୍ପ-୪ ପାଇଁ ୬୮ କୋଟି ୯୬ ଲକ୍ଷ ଟଙ୍କା ଓ ୨୦୧୬-୧୭ରେ ଜଳଯୋଗାଣ ପ୍ରକଳ୍ପ-୫ ପାଇଁ ୧୫ କୋଟି ୧୮ ଲକ୍ଷ ଟଙ୍କା ଆସିଥିବାବେଳେ ଏହି କାର୍ଯ୍ୟ ଅଧାପନ୍ତରିଆ ରହିଛି। ୨୦୧୫-୧୬ରେ ଅମୃତ ସିଟି ଯୋଜନାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପାଇଁ ୨ କୋଟି ୨୨ ଲକ୍ଷ ଟଙ୍କା ଆସିଥିଲା। ସେଥିରୁ ୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟ ଅଗଷ୍ଟ ୧୫ ତାରିଖରେ ସରିବାର ଥିଲା। ଅମୃତ ସିଟି ଯୋଜନାରେ ବ୍ରହ୍ମପୁରରେ ଥିବା ବିଭିନ୍ନ ମୁଖ୍ୟ ପାର୍କର ଉନ୍ନତୀକରଣ ଏବଂ ପୁନରୁଦ୍ଧାର କରିବା ପାଇଁ ଯୋଜନା କରାଯାଇଥିଲା। ୨୦୧୫-୧୬ରେ ବିଏମ୍‌ସିର ବିଜୁ ପଟ୍ଟନାୟକ ପାର୍କ (କର୍ପୋରେଶନ ରୋଡ୍‌)ପାଇଁ ୨୯ ଲକ୍ଷ ଟଙ୍କା ଆସିଥିବାବେଳେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଇନ୍ଦିରା ପ୍ର୍ରିୟଦର୍ଶିନୀ ପାର୍କ ପାଇଁ ୨୬ ଲକ୍ଷ ଟଙ୍କାରୁ ୧୩ ଲକ୍ଷ ଟଙ୍କା, ଧୋବା ବନ୍ଧ ହୁଡା ପାର୍କ ଉନ୍ନତୀକରଣ ପାଇଁ ୨୯ ଲକ୍ଷ ଟଙ୍କାରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅପରପକ୍ଷରେ ଏହି ପାର୍କର କାମ ସରିଯାଇଥିବା କୁହାଯାଉଛି। ଦିଆଯାଇଥିବା ତଥ୍ୟରେ ତାଳମେଳ ରହୁ ନ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ଉକ୍ତ ବର୍ଷରେ ବ୍ରହ୍ମପୁରର ବୈକୁଣ୍ଠନଗର ପାର୍କ ପ୍ରତିଷ୍ଠା ପାଇଁ ୩୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇ ନ ଥିବା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି। ୨୦୧୭-୧୮ରେ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ, ଗଣେଶ ନଗର ଓ ପତିତପାବନ ନଗର ପାର୍କ ଉନ୍ନତୀକରଣ ପାଇଁ ଏକ କୋଟି ଟଙ୍କାର ଏଷ୍ଟିମେଟ୍‌ ହୋଇଛି। ସେହିପରି ଦକ୍ଷିଣପୁରରୁ ବ୍ରହ୍ମପୁରର ଗୋଷାଣୀନୂଆଗାଁକୁ ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ୧୦ କୋଟି ୪ ଲକ୍ଷ ଟଙ୍କାର ଏଷ୍ଟିମେଟ୍‌ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri