କୁଆଁର ପୂନେଇଁ ଜହ୍ନ ଲୋ....ମନ ମୋହିଲା କୁମାରୀଙ୍କ ଠିଆପୁଚି ନାରଙ୍ଗ ନୃତ୍ୟ


ବ୍ରହ୍ମପୁର ଅଫିସ, ୫।୧୦- କୁମାର ପୂର୍ଣ୍ଣମୀରେ ଗ୍ରାମାଞ୍ଚଳରେ କୁମାରୀମାନେ ଖେଳୁଥିବା ବହୂଚୋରି, ଖପରା ଡିଆଁ, ତାସ, ଲୁଡୁ, ବାଘଛେଳି, ଦଉଡି ଡିଆଁ, ଠିଆପୁଚି ଓ ବସାପୁଚି ଭଳି ବହୁ ଗ୍ରାମ୍ୟକ୍ରୀଡା ହଜିଯିବାକୁ ବସିଲାଣି। ଏହା ବ୍ୟତୀତ କୁମାରପୁର୍ଣ୍ଣମୀରେ କୁମାରୀମାନଙ୍କ ମୁଖରୁ ଶୁଣିବାକୁ ମିଳୁଥିବା କୁଆଁର ପୂନେଇଁ ର ଲୋକ ଗୀତ ମଧ୍ୟ ଉଭେଇଗଲାଣି। ତେବେ ଗ୍ରାମାଞ୍ଚଳ ତଥା ଗଞ୍ଜାମ ଜିଲାରୁ ହଜିଯାଉଥିବା ଏହି ଲୋକଗୀତ ଓ ଗ୍ରାମ୍ୟକ୍ରୀଡାକୁ ପୁଣି କୁମାରୀମାନଙ୍କ ମଧ୍ୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟ ନେଇ ୨୦୦୭ରୁ ପ୍ରତିବର୍ଷ କୁମାର ପୂର୍ଣ୍ଣମୀ ଉପଲକ୍ଷେ ବ୍ରହ୍ମପୁରର ଏକ ସାମାଜିକ ଅନୁଷ୍ଠାନ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେଶନ ପକ୍ଷରୁ କୁଆଁର ପୂନେଇଁ ଜହ୍ନଲୋ... କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଚଳିତବର୍ଷ ୮ମ କୁମାର ପୁନେଇଁ ଜହ୍ନଲୋ... କାର୍ଯ୍ୟକ୍ରମ ସ୍ଥାନୀୟ ଡାଇମଣ୍ଡଜୁବିଲି ଟାଉନହଲରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଖଣ୍ଡ ଉତ୍ତରକାଶୀର ସନ୍ଥ ସ୍ବାମୀ ରାମସ୍ବରୂପାନନ୍ଦ ଅଭିନେତ୍ରୀ ତଥା ପ୍ରଚ୍ଛଦପଟ ଗାୟିକା ବିନୋଦିନୀ ଦେବୀ, ମୁମ୍ବାଇର ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ ସଭାପତି ଭଗବାନ ପଣ୍ଡା ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ଶିଳ୍ପୀ ସତ୍ୟନାରାୟଣ ମହାରଣା ଲାଇଭ୍‌ ପେଣ୍ଟିଂ କରିଥିଲେ। ପରେ ନରେନ୍ଦ୍ରପୁରର ରାଜେନ୍ଦ୍ର ପାତ୍ର ଓ ଦଳ ଶଙ୍ଖବାଦ୍ୟ ପରିବେଷଣ କରିଥିଲେ। ଜିଲାର କୋଣଅନୁକୋଣରୁ ଆସିଥିବା କୁମାରୀମାନେ ପାରମ୍ପରିକ ଲୋକଗୀତ କୁଆଁର ପୂନେଇଁ ଜହ୍ନଲୋ... ଫୁଲ ବଉଳବେଣୀ ଗୀତ ଗାଇ ପରମ୍ପରାକୁ ମନେପକାଇ ଥିଲେ। ତାମିଲନାଡୁ ମାଡ୍ରାସର ଆନ୍ତର୍ଜାତୀୟ ନୃତ୍ୟଶିଳ୍ପୀ କାବ୍ୟାଲକ୍ଷ୍ମୀ ମୁରଲୀଧରନଙ୍କ ଭାରତନାଟ୍ୟମ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା। ସେହିପରି ଅନ୍ତର୍ଜାତୀୟସ୍ତରରେ ଓଡିଶୀ ନୃତ୍ୟ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଥିବା କଲିକତାର ରୀନା ଜାନା ଓ ତାଙ୍କ ଦଳର ଓଡିଶୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ରାଜସ୍ଥାନର ମାତାଦିନ ଓ ଦଳଙ୍କ ଦ୍ୱାରା ପରିବେଷିତ ରାଜସ୍ଥାନୀ ଲୋକନୃତ୍ୟର ଦର୍ଶକ ଭରପୂର ମଜା ଉଠାଇଥିଲେ। ଫାଉଣ୍ଡେଶନ ଦ୍ୱାରା ପୂର୍ବରୁ ଅନୁଷ୍ଠିତ ହୋଇଥିବା ଗ୍ରାମ୍ୟକ୍ରୀଡା ପ୍ରତିଯୋଗିତାରେ କତୀ ପ୍ରତିଯୋଗୀମାନେ ଠିଆପୁଚି ନାରଙ୍ଗ... ନୃତ୍ୟ ମାଧ୍ୟମରେ କୁମାର ପୂର୍ଣ୍ଣମୀର ପରମ୍ପରାକୁ ପୁଣି ଜୀବିତ କରାଇଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ଫାଉଣ୍ଡେଶନ ପକ୍ଷରୁ କାକରା ପିଠା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଧାବିକା ପୂର୍ଣ୍ଣିମା ହେମ୍ବ୍ରମ୍‌, ଦେଶରେ ସୁନାମ ଅର୍ଜନ କରିଥିବା ପ୍ରଚ୍ଛଦପଟ ଗାୟିକା ବର୍ଣ୍ଣାଳୀ ହୋତା, ଯୁବ ବୈଜ୍ଞାନିକ ନୀଳମାଧବ ବେହେରାଙ୍କୁ ଫାଉଣ୍ଡେଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଫାଉଣ୍ଡେଶନର ଅନ୍ୟାନ୍ୟ ସଦସ୍ୟା ସୁଦୀପ୍ତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିଳ୍ପା ରଥ ଓ ମନୋଜ ସାମଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦିଲୀପ ଚୌଧୁରୀ, ମିହିର ପାଣିଗ୍ରାହୀ ଓ ତ୍ରିପତି ବାଲାଜୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତି ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri