ଗୋସାଣି ନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ


ବ୍ରହ୍ମପୁର ଅଫିସ,୫।୧୦- ସ୍ଥାନୀୟ ଗୋସାଣି ନୂଆଗାଁର ପ୍ରସିଦ୍ଧ ମା’ କାଳୁଆ ଯାତ୍ରା ଗୁରୁବାର ତଥା ଆଶ୍ୱିନ ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି। ମହାଳୟା ଅମବାସ୍ୟା ରାତିରୁ ଯାତ୍ରା ଆରମ୍ଭ ହୋଇଥିଲା ା ମା’ କାଳୁଆ ନିଜସ୍ବ ମନ୍ଦିରରୁ ଆସି ବଡ଼ ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ବିଜେ କରି ୧୫ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଅନ୍ୟପକ୍ଷରେ ଗୁରୁବାର ଅପରାହ୍ନରୁ ବର୍ଷା ଲାଗି ରହିଥିବାରୁ ମା’ଙ୍କ ମନ୍ଦିର ବାହୁଡ଼ା ଯାତ୍ରା ଫିକା ପଡ଼ି ଯାଇଥିଲା। ତଥାପି ଗୋସାଣି ନୂଆଗାଁର ସମସ୍ତ ସାହିରେ ରଙ୍ଗିନ ଆଲୋକ ଝଲସିଥିଲା ା ଯାତ୍ରା ଉଦ୍‌ଯାପନ ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଲୋକ ନାଟକ ଭାରତଲୀଳା, ରଜାନାଟ, ଦାସକାଠିଆ ଓ ଭଜନ ସମାରୋହର ଆୟୋଜନ ହୋଇଥିଲା। ଏହା ସହ ୭ ସାହିରେ ମେଲୋଡି ଓ ୪ ସାହିରେ ଅପେରା ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରାଯାଇଥିଲା। ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ହୋମ କରାଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ଶହ ଶହ ମହିଳା ଓ ପୁରୁଷଙ୍କ ଗହଣରେ ମା’ କାଳୁଆ ଗୋସାଣି ନୂଆଗାଁର ୭୨ ସାହି ପରିକ୍ରମା କରିଥିଲେ। ବାଦ୍ୟବାଜଣା, ନାଚଗୀତ, ଶଙ୍ଖ ମହୁରୀ ଏବଂ ଘଣ୍ଟ କୀର୍ତ୍ତନ, ଢ଼ୋଲ ଓ ଚାଙ୍ଗୁ ବାଦ୍ୟରେ ସମଗ୍ର ଅଞ୍ଚଳ ଦୁଲୁକି ଥିଲା। ସବୁ ସାହି ବାସିନ୍ଦାଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ରଖାଯାଇ ମା’ଙ୍କ ଅତି ପ୍ରିୟ ଗଇଁଠା ଭୋଗ ଲଗାଯାଇଥିଲା। ମହିଳାମାନେ ହୁଳହୁଳି ପକାଇ ମା’ଙ୍କୁ ମେଲାଣି ଦେଇଥିଲେ। ଯାତ୍ରା ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ା ମା’ କାଳୁଆଙ୍କ ଘଟ ଶୋଭାଯାତ୍ରା ସବୁ ସାହି ବୁଲିବା ବେଳେ ରାତି ପାହି ଯାଇଥିଲା। ନିଜସ୍ବ ମନ୍ଦିରରେ ପହଞ୍ଚତ୍ବା ପରେ ସେଠାରେ ପୁଣି ତନ୍ତ୍ର, ମନ୍ତ୍ର ଓ ଚଣ୍ଡୀପାଠ ସହ ପୂଜାର୍ଚ୍ଚନା କରାଯାଇଥିଲା। ଯାତ୍ରା ଆରମ୍ଭ ଦିନ ମା’ଙ୍କ ମସ୍ତକରୁ ଆପେ ଖସିଥିବା ଫୁଲମାଳ ୧୫ଦିନ ପରେ ବି ମଉଳି ନ ଯାଇ ସତେଜ ଥିଲା। ସେହି ମାଳକୁ ପୁନର୍ବାର ବିଗ୍ରହରେ ସ୍ଥାପନ କରାଯାଇଥିଲା। ଫଳରେ ଚଳିତ ବର୍ଷର ଯାତ୍ରା ଶେଷ ହୋଇଥିଲା। ୨୦୧୮ବର୍ଷର ଯାତ୍ରାର ଶୁଭ କାମନା କରି ମା’ କାଳୁଆଙ୍କୁ ମେଲାଣି ଦିଆଯାଇଥିଲା। ଯାତ୍ରା ଶେଷ ଦିବସରେ ମା’ଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଅସ୍ଥାୟୀ ମଣ୍ଡପରେ ଶେଷ ଆଳତି ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିଲା। ସେହିପରି ଭାଦ୍ରବ ପୂର୍ଣ୍ଣିମାରୁ ମାସେ ବ୍ୟାପୀ ଅନୁଷ୍ଠିତ ଗଣପର୍ବ କୁଆଁରୀମାନଙ୍କ ଜହ୍ନି ଓଷା ମଧ୍ୟ କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି। କୁମାରୀ ଓ ସଦ୍ୟ ବିବାହିତା ଯୁବତୀମାନେ ଏହି ଓଷା ପାଳନ କରିଥାନ୍ତି। କୁମାରୀମାନେ ନିଜ ପରିବାରର ମଙ୍ଗଳ କାମନା ସହ ମନ ଲାଖି ଜୀବନ ସାଥୀ ପାଇବା ଆଶାରେ ଏକମାସ ଧରି ନିଷ୍ଠାର ସହିତ ଜହ୍ନିଓଷା କରୁଥିବା ପରମ୍ପରା ରହିଛି। ବ୍ରତଧାରୀମାନେ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ ବୃନ୍ଦାବତୀଙ୍କୁ ପୂଜା କରିଥାନ୍ତି। ଦଳ ଦଳ ହୋଇ କୁମାରୀମାନେ ଏହି ଓଷା କରନ୍ତି। କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ରେଶମ ନଗରର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଶତାଧିକ ଦଳ ବାଜା ବାଜଣା ମଧ୍ୟରେ ପୋଖରୀ ତୁଠକୁ ଆସି ଆରମ୍ଭ ଦିନ ସ୍ଥାପନ କରିଥିବା ଜଳ କଳସ ବିସର୍ଜନ କରିଥିଲେ। ଏଥିପାଇଁ ମହାନଗରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମାସେ ବ୍ୟାପୀ କୁଆଁରୀମାନେ ନିରାମିଷ ଖାଦ୍ୟ ଖାଇଥିଲେ ଓ ଜହ୍ନି ଛୁଇଁ ନ ଥିଲେ। ଓଷା ସମାପନ ହୋଇଯାଇଥିବାରୁ ଶୁକ୍ରବାର ସବୁଠି ଭୋଜିଭାତ ହେବାର କାର୍ଯ୍ୟକ୍ରମ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri