ଗସ୍‌ମା ଲଢ଼େଇ ମାମଲା,ସବ୍ୟସାଚୀ ଭଞ୍ଜନଗର କୋର୍ଟରେ, ସାକ୍ଷୀଙ୍କ ବୟାନ ରେକର୍ଡ଼


ଭଞ୍ଜନଗର,୧୬।୮(ଡି.ଏନ.ଏ.)-ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ନାମରେ ଭଞ୍ଜନଗର କୋର୍ଟରେ ଥିବା ୧୭ଟି ମାମଲାର ବିଚାର ଚାଲିଛି। ବୁଧବାର ପୋଲିସ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲରୁ ଆଣି ଭଞ୍ଜନଗର କୋର୍ଟରେ ହାଜର କରିଥିଲା। ବୁଧବାର ୩ଟି ମାଓବାଦୀ ହିଂସା ମାମଲାରେ ସାକ୍ଷୀମାନଙ୍କ ବୟାନ ରେକର୍ଡ଼ କରାଯାଇଛି। ଗାଲେରୀ ଫାଣ୍ଡି ପୋଡ଼ି ଓ ଗସ୍‌ମା ଲଢ଼େଇ ମାମଲାରେ କୁପାଟିର ଜଣେ ବ୍ୟକ୍ତି ସାକ୍ଷ୍ୟ ଦେଇଛନ୍ତି। ସେହିଭଳି ବଡ଼ଗଡ଼ ଥାନା ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଜବତ ମାମଲାରେ ଜଣେ ପୋଲିସ ଅଧିକାରୀ ସାକ୍ଷ୍ୟ ଦେଇଛନ୍ତି। ଗୁରୁବାର ପୁଣି ଆଉ କିଛି ମାମଲାର ସାକ୍ଷୀମାନଙ୍କ ବୟାନ ରେକର୍ଡ଼ ହେବ। ତେଣୁ ସବ୍ୟସାଚୀଙ୍କୁ ପୁଣି ଭଞ୍ଜନଗର କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ୨୦୦୮ ଫେବୃୟାରୀ ୧୫ ତାରିଖ ସନ୍ଧ୍ୟାରେ ମାଓବାଦୀମାନେ ନୟାଗଡ଼ ପୋଲିସ ଅସ୍ତ୍ରାଗାର ଲୁଟ କରି ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ଅଭିମୁଖେ ଚାଲି ଆସିଥିଲେ। ୧୬ ତାରିଖ ପ୍ରତ୍ୟୁଷରେ ଗାଲେରୀ ଫାଣ୍ଡିକୁ ବୋମା ମାଡ଼ କରି ଉଡ଼ାଇ ନିକଟସ୍ଥ ଗସ୍‌ମା ଜଙ୍ଗଲକୁ ଚାଲିଯାଇଥିଲେ। ସେଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ୩ ଜବାନ ଶହୀଦ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ ସେତେବେଳେ ଦାବି କରାଯାଇଥିଲା। ସେହିଭଳି ଆଉ କିଛି ମାମଲାରେ ସଂଗ୍ରାମ ମହାନ୍ତି, ଏବୋଲ ଗମାଙ୍ଗୋ, କେନ୍ଦରା ଦଳବେହେରା ବୁଧବାର କୋର୍ଟରେ ହାଜର ହୋଇଥିଲେ। ସଂଗ୍ରାମ ଓ ଏବୋଲ ମାମଲାର ସାକ୍ଷୀମାନେ ବୁଧବାର ଆସି ନ ଥିଲେ। ସରକାରଙ୍କ ପକ୍ଷରୁ ଏମ୍‌. ତାଜ୍‌ ଆଦେନ, ସୁଶାନ୍ତ ତ୍ରିପାଠୀ, ସୁରେନ୍ଦ୍ର ପଣ୍ଡା ଓ ମୁଦଲାମାନଙ୍କ ପକ୍ଷରୁ ଦଣ୍ଡପାଣି ସ୍ବାଇଁ, ଦୀପକ ପଣ୍ଡା ମକଦ୍ଧମା ପରିଚାଳନା କରୁଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri