ଗୋଳିଆ କଲା ମହାନଦୀ


ଭୁବନେଶ୍ୱର,୭।୧୨(ବ୍ୟୁରୋ) କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରାଯାଇ ପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଓଡିଶାରେ ଏହାକୁ ନେଇ ଝଡ ସୃଷ୍ଟି ହୋଇଛି। ମହାନଦୀ ପ୍ରସଙ୍ଗରେ ବିରୋଧୀ, ଶାସକ ଏକାଠି ହୋଇଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କ ଉପରେ ସଣ୍ଢୁଆଶି ଆକ୍ରମଣ କରିଥିବା ବେଳେ ସରକାରୀ ଦଳ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି। ମହାନଦୀ ବିବାଦକୁ ନେଇ କେନ୍ଦ୍ରର ଆଭିମୁଖ୍ୟକୁ ସରକାର କଡା ବିରୋଧ କରିଛନ୍ତି। ଯାହାର ଝଲକ ଗୁୁରୁବାର ବିଧାନସଭାରେ ଦେଖିବାକୁ ମିଳିଛି। ମହାନଦୀ ସମସ୍ୟା ପାଇଁ ଭାଜପା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ଜୋରଦାର ପ୍ରହାର କରିଛି। ଆକ୍ରମଣ ପ୍ରତିଆକ୍ରମଣରେ ବିଧାନସଭା ଋଣକ୍ଷେତ୍ର ପାଲଟି ଯାଇଥିଲା। ପ୍ରଚଣ୍ଡ ହଟ୍ଟଗୋଳରେ ଗୃହ କାର୍ଯ୍ୟ ବାଏଁ ବାଏଁ ଉଡି ଯାଇଥିଲା। ମହାନଦୀର ଗୋଳିଆ ପାଣିରୁ କେଉଁ ଦଳ କେତେ ରାଜନୈତିକ ଫାଇଦା ନେବ ସେ ନେଇ ଆରମ୍ଭ ହୋଇଛି କସରତ। ବିରୋଧୀ ଓ ଶାସକଙ୍କ ହଟ୍ଟଗୋଳରେ ବିଧାନସଭାର ପ୍ରଥମାର୍ଦ୍ଧ ମାତ୍ର ୨ ମିନିଟରେ ଶେଷ ହୋଇ ଯାଇଥିଲା। ଅପରାହ୍ନରେ ମଧ୍ୟ ଗୃହରେ ମହାନଦୀ ତାତି ଦେଖିବାକୁ ମିଳିଥିଲା। ଶାସକ ଦଳ ଗୃହକୁ ପୁଣି ନିଜ କବ୍‌ଜାକୁ ନେଇଥିଲେ। ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ୩ ଘଣ୍ଟା ଅଚଳ ହୋଇ ଯାଇଥିଲା। ଅପରାହ୍ଣରେ ସର୍ବଦଳୀୟ ବୈଠକ ପରେ ବିଧାନସଭା ସ୍ବାଭାବିକ ହୋଇଥିଲା। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ ବିଧାନସଭା ସରଗରମ ହେବାର ପୂର୍ବାଭାସ ମିଳୁଥିଲା। ୧୦ଟା ୩୦ ମିନିଟରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ପ୍ରବେଶ କରିବା ମାତ୍ରେ ମହାନଦୀର ଚିତ୍କାର ଆରମ୍ଭ ହୋଇ ଯାଇଥିଲା। ବାଚସ୍ପତି ନିଜ ସିଟ୍‌ରେ ବସିବା ପୂର୍ବରୁ କଂଗ୍ରେସ ଓ ଭାଜପା ସଭ୍ୟ ଛିଡା ହୋଇ ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଛି କହିବାକୁ ଅନୁମତି ମାଗୁଥିବା ବେଳେ ଶାସକ ଦଳର ସଭ୍ୟମାନେ ନିଜ ଆସନ ନିକଟରେ ଛିଡା ହୋଇ କେନ୍ଦ୍ର ସରକାର ହାଏ ହାଏ, ପ୍ରଧାନମନ୍ତ୍ରୀ ଡାଉନ ଡାଉନ ସ୍ଲୋଗାନ ଦେଇଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରଫୁଲ୍ଲ ମାଝି, ଭୁଜବଳ ମାଝି, ଚନ୍ଦ୍ରଶେଖର ମାଝି, ଚିରଞ୍ଜୀବୀ ବିଶ୍ୱାଳ, କେ.ସୂର୍ଯ୍ୟ ରାଓ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ଭାଜପା ସଭ୍ୟ ପ୍ରଦୀପ ପୁରୋହିତ, ବସନ୍ତ ପଣ୍ଡା, ରାଧାରାଣୀ ପଣ୍ଡା, ରବି ନାୟକ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସହ ତାଳ ମିଳାଇଥିଲେ। କଂଗ୍ରେସ ସଦସ୍ୟମାନେ ଭାଜପା ବିଜେଡି ହାଏ ହାଏ... ସ୍ଲୋଗାନ ଦେଉଥିବା ବେଳେ ଭାଜପା ସଦସ୍ୟମାନେ ନବୀନ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇଥିଲେ। ଅପରପକ୍ଷରେ ବିଜେଡି ସଦସ୍ୟମାନେ ମଧ୍ୟ ସ୍ଲୋଗାନବାଜିରେ ମାତିଥିଲେ। ୨ ମିନିଟି କାଳ ନାରାବାଜି ଯୋଗୁ ଗୃହ ପ୍ରକମ୍ପିତ ହୋଇଥିଲା। ବାଚସ୍ପତି ସଭ୍ୟମାନଙ୍କୁ ଶାନ୍ତ ହୋଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତିଙ୍କୁ କେହି ଆଡ ଆଖିରେ ନ ଚାହିଁ ହଟ୍ଟଗୋଳରେ ମାତି ଯାଇଥିଲେ। ପରିସ୍ଥିତି ଅସମ୍ଭାଳ ହେଉଥିବା ଦେଖି ବାଚସ୍ପତି ମାତ୍ର ୨ ମିନିଟ ଅର୍ଥାତ ୧୦ଟା ୩୨ ମିନିଟରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ୩ଟା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ମହେଶ ସାହୁ କହିଲେ ମହାନଦୀ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଗୃହ କାର୍ଯ୍ୟ ବାତିଲ କରାଯାଇ ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଯାଉ। ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୩ଟା ୨ ମିନିଟରେ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରିଥିଲେ। ୩ଟା ୩୨ରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ପୁଣି ବିଜେଡି ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। ବାଚସ୍ପତି ଅପରାହ୍ନ ୫ଟାରେ ସର୍ବଦଳୀୟ ବୈଠକ ଡକାଯିବ କହି ଗୃହକୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମହାନଦୀ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ହେବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ବିଧାନସଭା ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ମହାନଦୀ ବିବାଦକୁ ନେଇ ବୁଧବାର ୫ ଘଣ୍ଟା ଆଲୋଚନା ହେଲା। ଫଳ କ’ଣ ହେଲା। ଓଡିଶାବାସୀଙ୍କ ପ୍ରତି କେନ୍ଦ୍ର ସରକାର ବେଇମାନି କରିଛନ୍ତି। ରାଜ୍ୟବାସୀଙ୍କୁ ପ୍ରତାରିତ କରାଯାଇଛି ବୋଲି ନରସିଂହ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri