ମହାନଦୀ ଟ୍ରିବ୍ୟୁନାଲ ଗଠନ ରାସ୍ତା ବନ୍ଦ


ଭୁବନେଶ୍ୱର, ୬।୧୨(ବ୍ୟୁରୋ)- ମହାନଦୀ ବିବାଦର ସମାଧାନ ପାଇଁ ସବୁ ରାସ୍ତା ଏବେ ବନ୍ଦ ହେବାରେ ଲାଗିଛି। ପ୍ରଥମେ ଆପୋସ ବୁଝାମଣା ଦ୍ୱାରା ବିବାଦର ସମାଧାନ ହୋଇପାରିଲା ନାହିଁ। ଏବେ ଟ୍ରିବ୍ୟୁନାଲ ଗଠନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। ମହାନଦୀ ଜଳ ବିବାଦର ସମାଧାନ ପାଇଁ  ଟ୍ରିବ୍ୟୁନାଲ ଗଠନ  ସମ୍ଭବ ନୁହେଁ ବୋଲି ବୁଧବାର କେନ୍ଦ୍ର ସରକାର ସ୍ପଷ୍ଟ କରିବା ପରେ ଓଡ଼ିଶାକୁ ଶକ୍ତ ଝଟକା ଲାଗିଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଲାଗିଥିବା ବିବାଦ ମାମଲାରେ କେନ୍ଦ୍ର ଜଳ ସମ୍ପଦ ଓ ନଦୀ ଉନ୍ନୟନ ମନ୍ତ୍ରଣାଳୟ ସୋମବାର ସୁପ୍ରିମକୋର୍ଟରେ ଏକ ଲିଖିତ ଜବାବ ଦାଖଲ କରିଥିଲେ। ଏଥିରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ଉଭୟ ସୁପ୍ରିମକୋର୍ଟ ଓ ପାର୍ଲାମେଣ୍ଟରେ ମହାନଦୀ ଜଳ ବିବାଦର ସମାଧାନ ସକାଶେ ବାରମ୍ବାର ଦାବି କରି ଆସୁଛି। ହେଲେ ନିଜ ସପକ୍ଷରେ ସବିଶେଷ ତଥ୍ୟ ଦାଖଲ କରିବାରେ ବିଫଳ ହୋଇଛି। ଏଥିଯୋଗୁ ଟ୍ରିବ୍ୟୁନାଲ ଗଠନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।  କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଏସ.ଓ୍ବାସିମ୍‌ କାଦ୍ରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗ ଉପରେ କେନ୍ଦ୍ର ଯେଉଁ ତଥ୍ୟ ମାଗିଥିଲା ତାହା ଓଡ଼ିଶା ସରକାର ଦେବାରେ ବିଫଳ ହୋଇଛି। ଏଥିପାଇଁ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ କରିବ ନାହିଁ ବୋଲି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛିି। ତେବେ ସର୍ବୋଚ୍ଚ ଅଦାଲତରେ କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଥିବା ଜବାବ ଉପରେ ସବିଶେଷ ବିବରଣୀ ଦେବାକୁ ସେ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଜଳ ସମ୍ପଦ ମନ୍ତ୍ରଣାଳୟର ଜଣେ ସଚିବ ସ୍ତରୀୟ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ସମ୍ପୃକ୍ତ ପକ୍ଷଙ୍କ ଆପୋସ ଆଲୋଚନା ମାଧ୍ୟମରେ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ ମହାନଦୀ ବିବାଦ ଉପରେ ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ,  ୨୦୧୭ ନଭେମ୍ବର ୧୯ ସୁଦ୍ଧା ଏ ନେଇ ଏକ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି କୁହାଯାଇଥିଲା।ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଏହି ବିବାଦର ସମାଧାନ ଲାଗି ରାଜ୍ୟ ସରକାର କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ସେନେଇ ପ୍ରଶ୍ନ ଉଠିଛି।  ଗତବର୍ଷ ନଭେମ୍ବର ୧୯ତାରିଖରେ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା ଯେ, ବର୍ଷକ ମଧ୍ୟରେ ମହାନଦୀ ସମ୍ପର୍କରେ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ସୁପ୍ରିମକୋର୍ଟକୁ ମଧ୍ୟ ଅବଗତ କରାଯାଇଥିଲା। ମାତ୍ର କେନ୍ଦ୍ର ସରକାର ତା’ର ସବୁ ପ୍ରତିଶ୍ରୁତିକୁ ଅଣଦେଖା କରି ଛତିଶଗଡ ସରକାରଙ୍କୁ ସାହାଯ୍ୟ କରିବାରେ ଲାଗିପଡିଛନ୍ତି।   ଛତିଶଗଡର ଭାଜପା ସରକାରକୁ କେନ୍ଦ୍ର ସରକାର ଏଭଳି ଏକପାଖିଆ ସମର୍ଥନ ଦେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ମହାନଦୀକୁ ନେଇ ବୁଧବାର ଓଡିଶା ବିଧାନସଭାରେ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଛି।କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ମହାନଦୀକୁ ନେଇ ପୂର୍ବରୁ ବହୁବାର ଆଲୋଚନା ହୋଇଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ ନଭେମ୍ବର ୧୯ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କରିବେ। ଯଦି ରାଜ୍ୟ ସରକାର ସବିଶେଷ ତଥ୍ୟ ଦେଇ ନ ଥିଲେ ତେବେ ସେତେବେଳେ କ’ଣ ପାଇଁ କହିଲେନି। ସେ ସମୟରେ କେନ୍ଦ୍ର ସରକାର କ’ଣ ମୁଆଁ ଖାଇ ବସିଥିଲେ। ଏବେ ଛତିଶଗଡର ରମଣ ସିଂଙ୍କ ସରକାରଙ୍କୁ ସହଯୋଗ କରିବାକୁ ଯାଇ କେନ୍ଦ୍ର ସରକାର ଓଡିଶା ସରକାରଙ୍କ ଉପରେ ଦୋଷ ଲଦି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରୁଥିବା ପ୍ରତାପ କହିଛନ୍ତି।ଭାଜପା ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ  କହିଛନ୍ତି, ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଗୁରୁତ୍ୱର ସହ ପଦକ୍ଷେପ ନେଉନାହାନ୍ତି। ଯାହା ତଥ୍ୟ ଦେବା କଥା ତାହା ଦେଇ ନାହାନ୍ତି। ଖାଲି ୮୦୦ ପୃଷ୍ଠାର ତଥ୍ୟ ଦେଇଦେଲେ କିଛି ଲାଭ ନାହିଁ ବୋଲି ସେ କହିଛନ୍ତି।କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କେନ୍ଦ୍ର ସରକାର ଛତିଶଗଡ ସରକାରଙ୍କୁ ସାହାଯ୍ୟ କରିବାକୁ ଟ୍ରିବ୍ୟୁନାଲ କଥା ବନ୍ଦ କରିବାକୁ ପ୍ରୟାସ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ରାଜ୍ୟରେ ବିଜେଡି ଏବଂ ଭାଜପା କେବଳ ଭୋଟ ପାଇଁ ରାଜନୀତି କରୁଛନ୍ତି, ଏମାନେ ଲୋକଙ୍କ ସ୍ବାର୍ଥକୁ କିପରି ରକ୍ଷା କରିପାରିବେ ଜାଣନ୍ତିନି। ୨୦୧୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମହାନଦୀ କଥା ଉଠାଇଲେନି। ଯେତେବେଳେ ବିରୋଧୀ ଦଳ ନେତା ସର୍ବଦଳୀୟ ବୈଠକ ଡାକିଲେ ବିଜେଡି ଯୋଗଦେଲାନି। ଏବେ ଭାଜପା ଯୋଗ ଦେଉନି। ଏଥିରୁ ହିଁ ସେମାନଙ୍କର ମହାନଦୀ ପାଇଁ ଆନ୍ତରିକତା କେତେ ଜଣାପଡୁଛି ବୋଲି ତାରା କହିଛନ୍ତି। 



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri