କୁମ୍ଭୀର କାନ୍ଦଣା ବନ୍ଦ କର


ଭୁବନେଶ୍ୱର,୫।୧୨(ବ୍ୟୁରୋ)- କଟୁ ସମାଲୋଚନା ସତ୍ତ୍ୱେ ଅଧିକାଂଶ ସମୟ ଚୁପ୍‌ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭାଜପାକୁ ଦୃଢ ଜବାବ ଦେଇଛନ୍ତି। ରାଉରକେଲାର ପାନପୋଷ ନିକଟସ୍ଥ ଜାତୀୟ ରାଜପଥ ନଂ.୧୪୩ର  ବୀରମିତ୍ରପୁର ଓ ବାରକୋଟକୁ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ସେତୁକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ନ କଲେ ରାଜ୍ୟ ସେତୁ ନିର୍ମାଣ କରିବ ବୋଲି ଗଡକରୀଙ୍କୁ ରୋକ୍‌ଠୋକ୍‌ ଲେଖିଥିବା ନବୀନ ମଙ୍ଗଳବାର ରାଜ୍ୟ ଭାଜପା ନେତାଙ୍କୁ ବିଧାନସଭାରେ କଡା ଭର୍ତ୍ସନା କରିଛନ୍ତି। ବିଜେପୁର ଉପନିର୍ବାଚନ ପାଇଁ ରାଜନୀତି କରୁଥିବା ଭାଜପା ବ୍ରାହ୍ମଣୀ ସେତୁ ନିର୍ମାଣକୁ  ଗୁରୁତ୍ୱ ଦେଉନାହିଁ। ବହୁଦିନରୁ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ଏଦିଗରେ ପାଦେ ମାତ୍ର ଆଗେଇ ନାହିଁ। ଓଡିଶା ପ୍ରତି କେନ୍ଦ୍ରର ଏଭଳି ଆଚରଣକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରାଜନୀତି ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରି ବ୍ରାହ୍ମଣୀ ସେତୁ କେମିତି ହେବ ସେନେଇ ଚିନ୍ତା କରନ୍ତୁ   ମଙ୍ଗଳବାର ବିଧାନସଭାରେ ଭାଜପା ବିଧାୟକଙ୍କ  ଅଭିଯୋଗର ଉତ୍ତର ଦେବା ସତ୍ତ୍ୱେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ନ ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇ ଏଭଳି କଡା ଜବାବ ଦେଇଥିଲେ।ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକ ରବି ନାୟକ ବଜେଟ ପୁସ୍ତକକୁ ଦେଖାଇ ଜୋରସୋର ଚିତ୍କାର କଲେ। ବରଗଡ ଗଙ୍ଗାଧର ମେହେର ଲିଫ୍ଟ କେନାଲ ପାଇଁ ଗତ ବଜେଟରେ ସରକାର କୌଣସି ସ୍ବତନ୍ତ୍ର ବ୍ୟୟ ବରାଦ କରିନାହାନ୍ତି । ସରକାର ମିଛ କହୁଛନ୍ତି କହି ଗୃହର ମଧ୍ୟ ଭାଗକୁ ମାଡି ଆସିଥିଲେ। ତାଙ୍କୁ ସମର୍ଥନ କରି ଭାଜପାର ଅନ୍ୟ ବିଧାୟକ ବସନ୍ତ ପଣ୍ଡା, ପ୍ରଦୀପ ପୁରୋହିତ, ଗୋବିନ୍ଦ  ଦାସ ପ୍ରମୁଖ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କଲେ। ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି ପ୍ରଦୀପ ଅମାତ ଭାଜପା ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡି ନ ଥିଲା। ମାତ୍ର ୧ ମିନିଟ ପରେ ୧୦ଟା ୩୧ ମିନିଟରେ ବାଚସ୍ପତି ଗୃହକୁ ୧ ଘଣ୍ଟା ପାଇଁ ମୁଲତବୀ ଘୋଷଣା କରି ଦେଇଥିଲେ। ଏହା ପରେ ଭାଜପା ସଦସ୍ୟମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ୧୧ଟା ୩୧ ମିନିଟରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାଜପା ସଦସ୍ୟମାନେ ଉଠାଇଥିବା ପ୍ରଶ୍ନର ଜବାବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେ କହିଲେ ଯେ ବରଗଡ ଜିଲାର ଗଙ୍ଗାଧର ମେହେର ଲିଫ୍ଟ କେନାଲ ପାଇଁ ବଜେଟରେ କୌଣସି ବ୍ୟୟ ବରାଦ ହୋଇ ନ ଥିବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିପାଇଁ ବଜେଟରେ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା ଏବେ କାର୍ଯ୍ୟାଦେଶ ଅପେକ୍ଷାରେ ରହିଛି। ଜିଲାର ୫୮ଟି ଜଳସେଚନ ପ୍ରକଳ୍ପ ସହିତ ବିଜେପୁର ଉଠା ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ବ୍ୟୟ ବରାଦ ହୋଇଛି। ନିକଟରେ ବିଜେପୁର ଉଠା ଜଳସେଚନ ପ୍ରକଳ୍ପର ନାମ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ନାମରେ ନାମିତ କରାଯାଇଛି। ଏଥିପାଇଁ ଜଳ ସମ୍ପଦ ବିଭାଗ ବଜେଟରେ ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ। ଏହାଛଡା ଏହି ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ପାଇଁ ବିଜେପୁର ଡିଭିଜନର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୩ ଜଣ ସହକାରୀ ଯନ୍ତ୍ରୀ ଏବଂ ୬ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜବାବରେ ଭାଜପା ସଦସ୍ୟମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ପୁଣି ଗୃହର ମଧ୍ୟଭାଗକୁ ମାଡି ଆସି ପାଟିତୁଣ୍ଡ କରିଥିଲେ। ଭାଜପା ସଦସ୍ୟଙ୍କ ଏଭଳି ଆଚରଣରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ ହୋଇଯାଇଥିଲେ। କୁମ୍ଭୀର କାନ୍ଦଣା ବନ୍ଦ କରି  ଗୃହକାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅତର୍କିତ ଆକ୍ରମଣ ଭାଜପାକୁ ଆଶ୍ଚର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି କଡା ଜବାବ ପାଇବେ ବୋଲି ସେମାନେ କଳ୍ପନା କରି ନ ଥିଲେ। ଭାଜପା ସଦସ୍ୟମାନେ ହଟ୍ଟଗୋଳକୁ ଆହୁରି ଜୋରଦାର କରିଥିଲେ। ଗଣ୍ଡଗୋଳକୁ ଦେଖି ମାତ୍ର ୩ ମିନିଟ ପରେ ୧୧ଟା ୩୪ ମିନିଟରେ ଗୃହକୁ ବାଚସ୍ପତି ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା। ବୁଧବାର ବିଧାନସଭାରେ  ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri