ପଲ୍ଲିସଭାକୁ ଡର


କୁଜଙ୍ଗ,୮।୧୧(ରଘୁନାଥ ସାହୁ): ଦକ୍ଷିଣକୋରିଆ ଲୁହା ଉତ୍ପାଦନକାରୀ ସଂସ୍ଥା ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ଏହି ପ୍ରକଳ୍ପ ସକାଶେ ପ୍ରସ୍ତାବିତ ୪୦୦୪ ଏକର ଜଙ୍ଗଲ ଜମିକୁ ରାଜ୍ୟ ସରକାର ଏବେ ଜିନ୍ଦଲ ଗ୍ରୁପ୍‌ର ଜେଏସ୍‌ଡବ୍ଲ୍ୟୁ ନାମକ କମ୍ପାନୀ ହାତରେ ଟେକି ଦେବାକୁ ଯାଉଛନ୍ତି। ତେବେ ପୋସ୍କୋ ପରି ଭୁଲ୍‌ କରିବାକୁ ଜେଏସ୍‌ଡବ୍ଲ୍ୟୁ ଚାହୁଁନାହିଁ। ପୂର୍ବରୁ ଜମି ଅଡ଼ୁଆ ତୁଟାଇ ପାଚେରି ନିର୍ମାଣ କରି ସାରିବା ପରେ ଯାଇ ଉକ୍ତ ସ୍ଥାନରେ ପ୍ରକଳ୍ପ ସକାଶେ ଆଗଭର ହେବାକୁ ଚାହଁୁଥିବା କୁହାଯାଇଛି। ଏପରି ଅଲିଖିତ ଚୁକ୍ତି ଅନୁଯାୟୀ ଇଡ୍‌କୋ ଯେ କୌଣସି ଉପାୟରେ ପ୍ରାଥମିକସ୍ତରରେ ପୂର୍ବରୁ ସରକାରଙ୍କ ଦ୍ୱାରା ଅଧିକୃତ ୨୭୦୦ ଏକର ଜମିରେ ପାଚେରି ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛି। ଇଡ୍‌କୋ ପକ୍ଷରୁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରାଯାଇଥିବାରୁ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ମଧ୍ୟ ଏନେଇ ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବରୁ ୨ଥର ଢିଙ୍କିଆ ଚାରିଦେଶ ଅଞ୍ଚଳ ଗ୍ରାମବାସୀଙ୍କୁ ଜଗତ୍‌ସିଂହପୁର ଡକାଇ ପାଚେରି ନିର୍ମାଣ ନେଇ ଆଲୋଚନା କରିଥିବାବେଳେ ଗୁରୁବାର ଗୋବିନ୍ଦପୁର ଗ୍ରାମବାସୀଙ୍କ ସହିତ ପୁନଃ ଆଲୋଚନା ପାଇଁ ସେମାନଙ୍କୁ ଡକାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ବେଆଇନ ପାଚେରି ନିର୍ମାଣ ପାଇଁ କେତେକ ସ୍ଥାନରେ ନିଅଁ ଖୋଳାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଢିଙ୍କିଆ ଚାରିଦେଶର ୮ ଗ୍ରାମବାସୀ ଏହି ପାଚେରି ନିର୍ମାଣକୁ ବିରୋଧ କରୁଥିବାବେଳେ ଇଡ୍‌କୋ ଦ୍ୱାରା ନିଯୁକ୍ତ ଠିକାସଂସ୍ଥା ଟଙ୍କା ବାଣ୍ଟି ଓ ବଳ ପ୍ରୟୋଗକରି ନିର୍ମାଣ କାମ ଆଗେଇ ନେବାକୁ ଚାହୁଁଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି। ଜମି ଅଧିଗ୍ରହଣ, ଜମି କିସମ ପରିବର୍ତ୍ତନ ଓ କାରଖାନା ନିର୍ମାଣ ପ୍ରସ୍ତାବ ହେଲେ ଏଥି ସକାଶେ ଆଇନ ଅନୁଯାୟୀ ପଲ୍ଲିସଭା ନିଶ୍ଚିତ ବୋଲି ଜାଣିସୁଦ୍ଧା ପ୍ରଶାସନ ଗ୍ରାମବାସୀଙ୍କ ଡରରେ ଏହା କରୁନାହିଁ। ଜବାବ୍‌ରେ ଢିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମବାସୀଙ୍କ ୬୦୦ ସ୍ବାକ୍ଷର ଥାଇ ଏକ ପତ୍ର ସରକାରଙ୍କୁ ଲେଖାଯାଇଛି। ମାସକ ମଧ୍ୟରେ ପଲ୍ଲିସଭା କରାଯାଉ ବୋଲି ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଜଙ୍ଗଲଜମିରେ ବେଆଇନ ପାଚେରି ନିର୍ମାଣକୁ ବିରୋଧ କରି ନ୍ୟାଶନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମକଦ୍ଦମା ଦାଏର ହୋଇଛି। ଏହାର ଶୁଣାଣି  ଡିସେମ୍ବର ୬ରେ ହେବ ବୋଲି ଜଣାପଡ଼ିଛି।ପ୍ରକାଶ ଯେ, ସୋମବାର ଗୋବିନ୍ଦପୁର ଗ୍ରାମରେ ସଭା କରାଯାଇଥିବା ଓ ଗ୍ରାମର ଭ୍ରମରବର ଦାସ, ବାବାଜୀ ଖଟୁଆ, ଟୁନା ବରାଳ, ଜଗନ୍ନାଥ ଦଳାଇ, ସନ୍ଧ୍ୟା ଦାସ, ଲକ୍ଷ୍ମୀପ୍ରିୟା ଦାସ ଓ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଢିଙ୍କିଆ ସରପଞ୍ଚଙ୍କୁ ପଲ୍ଲିସଭା କରିବାକୁ ଲିଖିତ ଭାବେ ଜଣାଇଛନ୍ତି। ନୋଟିସ୍‌ ଅବଧି ଏକମାସ ଅର୍ଥାତ୍‌ ଡିସେମ୍ବର ୬ରେ ସ୍ଥାନୀୟ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୧୧ଟାରେ ପଲ୍ଲିସଭା କରାଯାଉ ବୋଲି ଆବେଦନ ହୋଇଛି। ପଲ୍ଲିସଭା ଆବେଦନର କପି ଏରସମା ବ୍ଲକ ବିଡିଓ ଓ ଜିଲାପାଳଙ୍କୁ ଦିଆଯାଇଛି। ନିୟମ ଅନୁଯାୟୀ ସରକାର ଆବେଦନ ଶୁଣିବାକୁ ବାଧ୍ୟ ଓ ବିଧିବଦ୍ଧ ପଲ୍ଲିସଭା ଡାକିବାକୁ ନୋଟିସ ଜାରି କରିବା କଥା। ତେବେ ପଲ୍ଲିସଭାର ସମ୍ଭାବ୍ୟ ଫଳାଫଳକୁ ନେଇ ଜିଲା ପ୍ରଶାସନ ଅବଗତ ଥିବାରୁ ଏହାକୁ ଏଡ଼ାଇ ଦିଆଯିବାକୁ ଚର୍ଚ୍ଚା ଚାଲିଛି। ପ୍ରଶାସନ ଅବହେଳା କଲେ ଗ୍ରାମବାସୀମାନେ ନିଜ ପକ୍ଷରୁ ପଲ୍ଲିସଭାରେ ଜଙ୍ଗଲ ଜମି ପ୍ରସଙ୍ଗ ଓ ପାଚେରି ନିର୍ମାଣ ନେଇ ଗ୍ରାମବାସୀଙ୍କ ମତାମତ ଉଲ୍ଲେଖ କରି ସରକାରଙ୍କୁ ଜଣାଇଦେବେବୋଲି ରୋକ୍‌ଠୋକ୍‌ କହିଛନ୍ତି। ଘଟଣାକ୍ରମକୁ ନେଇ ପ୍ରଶାସନ ଅଡ଼ୁଆରେ ପଡ଼ିବାକୁ ଯାଉଛି। ଆଇନ ଆଖିରେ ଅଙ୍ଗୁଳି ଗେଞ୍ଚତ୍ ଖୋଦ୍‌ ସରକାରଙ୍କ ମଙ୍ଗୁଆଳମାନେ ବେଆଇନ ପାଚେରି ନିର୍ମାଣ କରୁଥିବାରୁ ଆଗକୁ ସ୍ଥିତି ସଙ୍ଗିନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ ଢିଙ୍କିଆ ସରପଞ୍ଚ ସଲିଳା ନାୟକ କହଛନ୍ତି ଯେ, ଗୋବିନ୍ଦପୁର ଗ୍ରାମବାସୀ ପାଚେରି ନିର୍ମାଣକୁ ବିରୋଧ କରି ପଲ୍ଲିସଭା ଡକାଇବାକୁ ଆଇନତଃ ଗ୍ରାମ ପଞ୍ଚାୟତରେ ଲିଖିତ ଆବେଦନ କରିଛନ୍ତି। ଏଥିନେଇ ପ୍ରଶାସନକୁ ଅବଗତ କରାଇ ପଦକ୍ଷେପ ନିଆଯିବ। ଢିଙ୍କିଆ ପଞ୍ଚାୟତ ସମିତି ସଦସ୍ୟ ଦେବେନ୍ଦ୍ର ସ୍ବାଇଁ ପଲ୍ଲିସଭା ସମ୍ପର୍କରେ ପତ୍ର ପାଇବା ସହ ପ୍ରଶାସନକୁ ଅବଗତ କରାଇଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ଜିଲା ପ୍ରଶାସନ ଜମି ଅଧିଗ୍ରହଣ ଓ ପାଚେରି ନିର୍ମାଣ ପରି ସ୍ପର୍ଶକାତର ଘଟଣାରେ ପଲ୍ଲିସଭାକୁ ଏଡ଼େଇ ଯାଇଥିବାରୁ ରାଜ୍ୟର ବହୁ ସାମାଜିକ ସଂଗଠନ ଏନେଇ ଆପତ୍ତି ଉଠାଇଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri