ଲୁଟ୍‌ ହେଉଛି ପଥର, ଚୁପ ରହିଛି ପ୍ରଶାସନ


ଆନନ୍ଦପୁର, ୭।୧୨(ଡ଼ି.ଏନ୍‌.ଏ.)-ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବାରୁଆଁ ହୁଡ଼ିରୁ ବେଆଇନ୍‌ ଭାବେ ପଥର ଓ ଚିପ୍ସ ଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପ୍ରଶାସନ, ପୋଲିସ ଓ ପଥର ମାଫିଆଙ୍କର ସଲାସୁତୁରାରେ ଏଭଳି ବେଆଇନ୍‌ କାର୍ଯ୍ୟ ଚାଲିଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁଯାୟୀ, ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମର ଗୋଟିଏ ପଥର କ୍ରସରକୁ ଲିଜ ଦିଆଯାଇଥିଲା। ସେଥିରୁ ଯୋଗାଇ ଦିଆଯାଉଥିବା ପଥରକୁ ସଦ୍‌ଭାବନା କମ୍ପାନୀର କେନାଲ କାମରେ ବ୍ୟବହୃତ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା। ଗତ କିଛିମାସ ତଳେ ବେସରକାରୀ ସଂସ୍ଥାର ରାସ୍ତା ଓ ଘର କାର୍ଯ୍ୟ ନିମନ୍ତେ ପଥର ଚିପ୍ସ୍‌ ଚାଲାଣ ହେଉଥିବାର ଖବର ପାଇ ଆନନ୍ଦପୁର ତହସିଲ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଫଳରେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରି ଅନ୍ୟଏକ ହୁଡ଼ିରେ ବିନା ଲିଜ୍‌ରେ ପଥର ଫଟାଯାଇ ବେଆଇନ ପଥର ଚାଲାଣ ହେଉଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ପଥର ମାଫିଆମାନେ ବିନା ଲିଜ୍‌ରେ ହୁଡ଼ିରୁ ପଥର ଫଟାଇ ଚିପ୍ସ କରି ହାଇୱା ଓ ଟ୍ରାକ୍ଟର ଯୋଗେ ଦିନ ଦ୍ୱିପ୍ରହରେ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଥିବାର କେତେକ ଗ୍ରାମବାସୀ ନିଜର ନାମ ପ୍ରକାଶ ନକରି ସୂଚନା ଦେଇଛନ୍ତି। ପଥର ମାଫିଆମାନଙ୍କର ଚୋରା ଚାଲାଣର ନିରାପଦ ରାସ୍ତା ଭାବେ କଣ୍ଟିପାଳ ଓ ବାରୁଆଁରୁ ସିଧାସଳଖ ବାଉଁଶଗଡ଼ ରାସ୍ତାଦେଇ ପଦ୍ମପୁର ଓ ଆନନ୍ଦପୁରକୁ ଚାଲାଣ ହେଉଥିବା ବେଳେ ପ୍ରଶାସନ ଜାଣି ନଜାଣିଲା ପରି ନିରବ ରହିଥିବା ଜଣାଯାଇଛି। ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟୁଥିବାର ଜଣାଯାଇଛି। ଉକ୍ତ ସମସ୍ୟା ପ୍ରତି ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri