ଫେଲ୍‌ ମାରିଲା ବନୀକରଣ: ପାଣିରେ ପଡ଼ିଲା ୧ କୋଟି


ଝୁମ୍ପୁରା, ୭।୧୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି। କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଛି। ଖଣି ଉତ୍ତୋଳନ ସହ ଲଘୁ ଖଣିଜ ମାଟି, ମୋରମ, ପଥର, କାଠ ଲୁଟ କାରଣରୁ ଜଙ୍ଗଲର ଅବକ୍ଷୟ ହେଉଛି। ଏହାକୁ କେତେକ କାଂଶରେ ସଜାଡିବା ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ତେଣୁ ବୃକ୍ଷ ରୋପଣ, ଜଙ୍ଗଲ ପାର୍ଶ୍ୱ ଜଙ୍ଗଲ ଜାଗା ଉପରେ ଚାରାରୋପଣ, ଖାଲି ପଡିଥିବା ଜାଗାରେ ନୂତନ ଜଙ୍ଗଲ ସୃଷ୍ଟି, ପଥପ୍ରାନ୍ତ ବୃକ୍ଷ ରୋପଣ କରାଯାଉଛି। ଏଥିନେଇ ବହୁ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବନ ବିଭାଗର ଅପାରଗତାରୁ ଏହିସବୁ ଯୋଜନା ଫେଲ୍‌ ମାରୁଛି। ଫଳରେ ସରକାରଙ୍କ ରାଜକୋଷର ବହୁ ଟଙ୍କା ପାଣିରେ ପଡୁଥିବା ଅଭିଯୋଗ ହେଉଛି। ଏହି ଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବାମେବାରୀ ଫରେଷ୍ଟ ଧନୁର୍ଜୟପୁର ଗ୍ରାମ ଡିଏଲସି ଫରେଷ୍ଟରେ। ଧନୁର୍ଜୟପୁର ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ୨୦୧୬-୧୭ରେ ବୃକ୍ଷରୋପଣ କରାଯାଇଥିଲା। ପତଳା ହୋଇଯାଇଥିବା ଜଙ୍ଗଲ ସହିତ ଗଛ ନ ଥିବା ୪୦ ହେକ୍ଟର ପରିମିତ ଜାଗାରେ ସରକାରୀ ଯୋଜନା ଏଏନଆର(ଏଡେଡ ନେଚ୍ୟୁରାଲ ରି-ଜେନେରେଶନ)ରେ ଓଏମବିଏ ଡିସି ସ୍କିମରେ ୮ ହଜାର ବିଭିନ୍ନ କିଶମର ଗଛ ଲଗାଯାଇଥିଲା। ଏଥିରେ ବ୍ୟୟ ଅଟକଳ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଜଣାପଡିଛି। ଯୋଜନାର ନିୟମ ଅନୁଯାୟୀ ବୃକ୍ଷରୋପଣ ସ୍ଥାନ ସଫା କରାଯାଇ, ତାହାର ୩ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ, ଗଛ ମୂଳ କୋଡାଖୁସା ସହିତ ସଫା ରଖିବା, ଜଗୁଆଳିର ବ୍ୟବସ୍ଥା, ଅଗଭୀର ଟ୍ରେଞ୍ଚ ଖୋଳିବା ଆଦି ଦାୟିତ୍ୱ ରହିଛି। ହେଲେ ବହୁ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ଏଏନ୍‌ଆର ବନୀକରଣରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବନୀରକରଣ ହୋଇଥିବା ଜାଗା ମାତ୍ର ୧ ବର୍ଷ ମଧ୍ୟରେ ହିଁ ଆନାବନା ଘାସଲତାରେ ଆଚ୍ଛାଦିତ ହୋଇପଡିଛି। ଫଳକରେ ୮ ହଜାର ଗଛ ଲଗାଯାଇଥିବା ସୂଚନା ଥିବାବେଳେ ସମୁଦାୟ ୪୦ ହେକ୍ଟର ଜାଗାରେ ୪୦୦ରୁ ୪୫୦ ମଧ୍ୟରେ ଗଛ ବଞ୍ଚିଛି। ଅନ୍ୟ ଗଛ ମରିଯାଇଥିବା ଦେଖାଦେଇଛି। ବନୀକରଣ ହୋଇଥିବା କେତେକ ସ୍ଥାନ ମଧ୍ୟ ପଡିଆ ହୋଇ ପଡିଛି। ଏଠାରେ ଜଗୁଆଳି ବ୍ୟବସ୍ଥା କରାଯାଇନାହିଁ। ଏପରିକି ଧନୁର୍ଜୟପୁର ଗ୍ରାମରେ ଜଙ୍ଗଲ ସୁରକ୍ଷା କମିଟି ରହିଥିବାବେଳେ ବନୀକରଣ ବିଷୟରେ ଜାଣି ନ ଥିବା ପ୍ରକାଶ କରିଛନ୍ତି ଜଙ୍ଗଲ କମିଟିର ସଦସ୍ୟ ବୃନ୍ଦ। ଏ ନେଇ ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁ ମତାମତ ଦେବାକୁ ମନା କରିଥିଲେ। ଚମ୍ପୁଆସ୍ଥିତ ରେଞ୍ଜ ଭରତ ଚନ୍ଦ୍ର ଘଡେଇଙ୍କୁ ପଚାରିବାରୁ ପରେ କହିବି କହି ଫୋନ କାଟି ଦେଇଥିଲେ। କେନ୍ଦୁଝରସ୍ଥିତ ଜିଲା ବନ ଅଧିକାରୀ ସନ୍ତୋଷ ଯୋଶୀ କହିଛନ୍ତି, ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛି। ରିପୋର୍ଟ ମାଗିବା ପରେ ଜଣା ପଡିବ। ତଦନୁଯାୟୀ ପଧକ୍ଷେପ ନିଆଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri