ଆନ୍ଦୋଳନ ଧମକ ଦେଲା ବିଏମଏସ


ଭଦ୍ରକ ଅଫିସ,୭।୧୨- ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ଜିଲା କାର୍ଯ୍ୟାଳୟଠାରେ ସମସ୍ତ ବ୍ଲକର ପ୍ରମୁଖ କାର୍ଯ୍ୟକର୍ତ୍ତା, ଭଦ୍ରକ ଜିଲା ନିର୍ମାଣ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ଏବଂ ଧାମରା ବନ୍ଦର ଶ୍ରମିକମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ଏସ୍‌ ଜିଲା ସମ୍ପାଦକ ମନୋଜ ବସନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସମ୍ପାଦକ ତଥା ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ ମହାପାତ୍ର ଯୋଗ ଦେଇ ଧାମରା ବନ୍ଦରରେ ଶ୍ରମିକ ମାରଣ ନୀତି ବନ୍ଦ ନ ହେଲେ ଆଗାମୀ ଦିନରେ ଜିଲା ପ୍ରଶାସନ ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ବୋନସ ପ୍ରଦାନରେ ଅସଙ୍ଗତି ଓ କେତେକ ଶ୍ରମିକମାନଙ୍କୁ ଆଦୌ ବୋନସ୍‌ ଦିଆ ନ ଯିବା, ୧୨ ଘଣ୍ଟା କାମ କରାଇ ଓଭର ଟାଇମ ପ୍ରାପ୍ୟ ନ ଦେବା ନେଇ ସେ ଆଲୋକପାତ କରିଥିଲେ। ସେହିପରି ଶ୍ରମ ଆଇନକୁ ଉଲଂଘନ କରି ଠିକାଦାରମାନେ ମାସିକ ବେତନରେ ଗ୍ରାଚ୍ୟୁଇଟି ପ୍ରଦାନ କରିବା, ଶ୍ରମ ଆଇନକୁ ଅନୁସରଣ ନ କରି ଗେଟପାସ୍‌ ଇସ୍ୟୁ କରିବା ଓ ଏଥିରେ ଶ୍ରମିକଙ୍କ ପଦବୀ ଉଲ୍ଲେଖ ନ ରଖିବା, ଦୀର୍ଘ ଦିନ ଧରି ପୋର୍ଟ କାର୍ଯ୍ୟକ୍ଷମ ହୋଇଥିଲେ ବି ଷ୍ଟାଣ୍ଡିଂ ଅର୍ଡର ବିହୀନ ପୋର୍ଟ ପରିଚାଳନା କରିବା, ରେଳ କର୍ମଚାରୀଙ୍କ କ୍ଷେତ୍ରରେ ବେନିୟମ ଭାବେ ମାସିକ ବେତନରୁ ଅର୍ଥକାଟ କରିବା ଆଦି ଅଭିଯୋଗ ପ୍ରତି ବନ୍ଦର କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ଏହି ବୈଠକରେ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା।ଗତ ଅଗଷ୍ଟ ୧୫ତାରିଖରେ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ବନ୍ଦରରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲେ ବି ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ଅର୍ଥ ରାଶି ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଏଥିବ୍ୟତୀତ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବା ନିମନ୍ତେ ହୋଇଥିବା ସିଦ୍ଧାନ୍ତ ପାଣିର ଗାର ହୋଇଛି । ଅପରପକ୍ଷେ କାର୍ଯ୍ୟରତ ୩୪ ଶ୍ରମିକଙ୍କୁ ଜେଲ ପଠାଇବା ଓ ଦୋଷୀ ସାବ୍ୟସ୍ତ ନ ହୋଇଥିଲେ ମଧ୍ୟ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ନେଇ ବନ୍ଦର କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନର ଭିତିରି ସମ୍ପର୍କ ପଦାରେ ପଡିଛି ବୋଲି ଅଭିଯୋଗ କରାଯାଇଥିଲା। ଶ୍ରମ ବିଭାଗ ଶ୍ରମିକମାନଙ୍କ ନ୍ୟାଯ୍ୟ ଦାବିକୁ ବିଚାର ପରିସରକୁ ନ ନେବା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ସେହିପରି ଜିଲାରେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବାରେ ଜିଲା ଶ୍ରମ ବିଭାଗ ଅବହେଳା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଶାସନ ନ୍ୟାୟ ପରାୟଣ ନ ହୋଇ ଭଣ୍ଡାରିପୋଖରୀ ବ୍ଳକର ୩ଜଣ ଓ ବାସୁଦେବପୁର ବ୍ଳକର ୨ଜଣ କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି । ଏହା ବିରୋଧରେ ଆଗାମୀ ଦିନରେ ସଂଘ ଜିଲାବ୍ୟାପୀ ଆନ୍ଦୋଳନ କରିବ ବୋଲି ସଙ୍ଗଠନ ସମ୍ପାଦକ ମୁକ୍ତିକାନ୍ତ ସାହୁ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମଳକାନ୍ତ ସାହୁ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ବାଇଧର ଶତପଥୀ, ଗଙ୍ଗାଧର ସାହୁ, ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri