ଆନ୍ଦୋଳନ ପ୍ରତ୍ୟାହାର କଲା ବସ୍‌ ମାଲିକ ସଂଘ


ବାରିପଦା ଅଫିସ,୭।୧୨- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ ନମ୍ବର ଜାତୀୟ ରାଜପଥ ମରାମତି ନ ହେଲେ ଆସନ୍ତା ୯ ତାରିଖରୁ ମୟୂରଭଞ୍ଜ ଜିଲା ଏବଂ ଜିଲା ଦେଇ ଚଳାଚଳ କରୁଥିବା ସମସ୍ତ ବସ ସେବା ବନ୍ଦ କରିବାକୁ ମୟୂରଭଞ୍ଜ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଥିଲା। ସଂଘର ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଇଁ ସଂଘର ଏକ ପ୍ରତିନିଧି ଦଳକୁ ପରିବହନ ମନ୍ତ୍ରୀ ଡ ନୃସିଂହ ସାହୁ ଗୁରୁବାର ଡାକି ଆଲୋଚନା କରିଛନ୍ତି। ଆଲୋଚନା ପରେ ବସ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ମୟୂରଭଞ୍ଜ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନିଲ କୁମାର ଦାଶ ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ଜାତିୟ ରାଜପଥର ସମସ୍ତ ମରାମତି କାର୍ଯ୍ୟ ଆସନ୍ତା ଜାନୁୟାର ୧୪ ସୁଦ୍ଧା ସରିବ। ଏବଂ ଏନ.ଏଚ.ଏ.ଆଇ ର ସିଜେଏମ ରାସ୍ତା କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ଆସନ୍ତା ୧୮ ତାରିଖରେ ମୟୂରଭଞ୍ଜ ଗସ୍ତରେ ଆସିବେ। ବାଲେଶ୍ୱର ଜୋନ କାର୍ଯ୍ୟାଳୟର ଜଣେ ଅଧିକାରୀ ଏହି ରାସ୍ତା ମରାମତି କାର୍ଯ୍ୟ କେମିତି ଶିଘ୍ର ସରିବ ସେ ନେଇ ତତ୍ତ୍ୱାବଧାନ କରିବା ପାଇଁ ସ୍ବତନ୍ତ୍ର ଭବେ ନିୟୋଜିତ ରହିବେ । ଏବଂ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନିଲ କୁମାର ଦାଶ କର୍ତ୍ତୃପକ୍ଷଙ୍କୁ ନିୟମିତ ଜଣାଇବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଦୀର୍ଘ ୧୦ ଦିନ ପରେ ଶୁକ୍ରବାର ଠାରୁ ମୟୂରଭଞ୍ଜ ଜିଲାରେ ବସ ସେବା ସ୍ବାଭାବିକ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସୁଚନା ମୁତାବକ ଗୁରୁବାର ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ବିଧାନସଭା କକ୍ଷରେ ମୟୂରଭଞ୍ଜ, ରାଇରଙ୍ଗପୁର, କରଞ୍ଜିଆ ଓ ଯଶିପୁର ବସ୍‌ ମାଲିକ ସଂଘର ପ୍ରତିନିଧୀ ଦଳ, ଏନ.ଏଚ.ଏ.ଆଇର ସିଜିଏମ , ରାଜ୍ୟସରକାରଙ୍କ ପୂର୍ତ୍ତ ବିଭାଗ ସଚିବ ନଳିନି କାନ୍ତ ପ୍ରଧାନ, ପରିବହନ କମିଶନର ମଧୁସୂଦନ ପାଢ଼ୀ, ଜାତୀୟ ରାଜପଥ ମୁଖ୍ୟଯନ୍ତ୍ରୀ ବିଜନ ବେହେରା, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦା, ବଡସାହି ବିଧାୟକ ଗଣେଶ୍ୱର ପାତ୍ର, ଉଦଳା ବିଧାୟକ ଗୋଲକ ନାୟକ ଓ ଯଶିପୁର ବିଧାୟକ ମଙ୍ଗଳ ସିଂ ମୁଦି ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri