ଝାଡ଼ଖଣ୍ଡୀ ହାତୀଙ୍କ ଭୟରେ ଲୋକେ ରାତି ଉଜାଗର: ଭାଙ୍ଗିଲେ ୪ ଘର, ୧ ଛେଳି ମୃତ


ସଜନାଗଡ଼,୬।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ଝାଡ଼ଖଣ୍ଡୀ ହାତୀପଲ ଉପଦ୍ରବ ଚଳାଇଛନ୍ତି। ହାତୀଙ୍କ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ନାକେଦମ୍‌ ହେବା ସହ ଆତଙ୍କିତ ହୋଇପଡ଼ିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ୧୫ରୁ ଅଧିକ ହାତୀ ୪ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ଭଉଁରିଆବାଡ଼ ପଞ୍ଚାୟତର ମୁନ୍‌ସୀ ନାୟକ, ତାଙ୍କ ସ୍ତ୍ରୀ ସାବିତ୍ରୀ ଏବଂ ପିଲାମାନେ ଘରେ ଥିବା ବେଳେ ହାତୀ ଘର ଉପରେ ଆକ୍ରମଣ କରିଥିଲା। ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକମାନେ ଧାଇଁ ଆସି ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଏହାସତ୍ତ୍ୱେ ହାତୀପଲ ଧାନପୁଞ୍ଜି, ଘର ପିଣ୍ଡାରେ ଥିବା ଧାନ ବୁରା ଓ ପାଖ ପରିବାର ନିରଞ୍ଜନ ଖଣ୍ଡେଇଙ୍କ ଧାନ ପୁଞ୍ଜିକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ସେହିପରି ମହିଷାପଟା ପଞ୍ଚାୟତର ହାତିଆଶିଳା ଗ୍ରାମର ବୁଦ୍ଧିରାମ ସିଂ, ଅଜୁ ସିଂଙ୍କ ଘରକୁ ହାତୀ ଭାଙ୍ଗି ଦେଇଛନ୍ତି। କାର୍ତ୍ତିକ ସିଂଙ୍କ ଘର ଭାଙ୍ଗିବା ସହ ହାତୀପଲ ଆକ୍ରମଣରେ ଗୋଟେ ଛେଳିର ମୃତ୍ୟୁ ଘଟିଛି। ହାତୀ ଉପଦ୍ରବ ଯୋଗୁ ଏଠାକାର ୫ଟି ପଞ୍ଚାୟତର ଲୋକେ ଭୟରେ ଉଜାଗର ରହି ମଙ୍ଗଳବାର ରାତି ବିତାଇଛନ୍ତି। ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିବା ଝାଡ଼ଖଣ୍ଡୀ ହାତୀ ପଲ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ପାର୍ଶ୍ୱରେ ସୌରବାଡ଼ ସହ ଟ୍ରେଞ୍ଚ ଖୋଳାଯାଇଥିବାରୁ ଅନ୍ୟ ଜଙ୍ଗଲକୁ ଯାଇ ନ ପାରି ଅଟକି ରହିଛନ୍ତି। ସୌରବାଡ଼ରୁ ବିଦ୍ୟୁତ୍‌ ଆଘାତ ପାଇ ହାତୀପଲ ହିଂସ୍ର ହେଉଥିବା ଆଶଙ୍କା କରାଯାଉଛି। ଏହି ଜଙ୍ଗଲ ଚାରିପଟେ ଲୋକେ ଭିଡ଼ ଜମାଉଥିବାରୁ ହାତୀପଲ ଚଲାବାଟ ଦେଇ ତିନିକୋଶିଆ ଜଙ୍ଗଲ ପାର ହୋଇ ପାରୁ ନ ଥିବା କୁହାଯାଉଛି। ଏଭଳି ସ୍ଥିତିରେ ଦିନସାରା ଗୋଟିଏ ଜଙ୍ଗଲରେ ରହି ଆବଶ୍ୟକ ଖାଦ୍ୟ ପାଉ ନ ଥିବାରୁ ସେମାନେ ଖାଦ୍ୟ ଅନ୍ବେଷଣରେ ଆସି ଗାଁ ଭିତରେ ପଶି କ୍ଷତି ଘଟାଉଛନ୍ତି। ଆଗକୁ ଏଭଳି ଅଧିକ କ୍ଷତି ଘଟିପାରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଗତ ମଙ୍ଗଳବାର ଭୋର ସମୟରେ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ୮୦ରୁ ଊର୍ଦ୍ଧ୍ୱ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧୀନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟରା ଓ ଅଯୋଧ୍ୟା ରୋଡ୍‌ ପାର୍‌ ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ। ହାତୀପଲ ଆସିବା ବାଟରେ ବହୁ ଧାନ କ୍ଷେତ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଅଧିକାଂଶ ଧାନ ନଷ୍ଟ ହୋଇଥିବା ବେଳେ ଆଉ ଯାହା କିଛି ଥିଲା, ତାହା ହାତୀପଲଙ୍କ ଦ୍ୱାରା ନଷ୍ଟ ହେଉଥିବାରୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଫରେଷ୍ଟଗାଡ଼ର୍ର୍, ସବୁଜବାହିନୀ, ନୀଳଗିରି ପୋଲିସ ପ୍ରଶାସନ ହାତୀ ଦଳର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ସାଧାରଣ ଲୋକଙ୍କର ଯେଭଳି କିଛି କ୍ଷୟକ୍ଷତି ନ ହୁଏ ସେଥିପାଇଁ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ହାତୀପଲକୁ ନିୟନ୍ତ୍ରିତ କରିବା କାଠିକର ପାଠ ହୋଇଛି। ଜଙ୍ଗଲରେ ଥିବା ହାତୀପଲକୁ ଅଧିକ ବିଶୃଙ୍ଖଳିତ ନ କରିବା ପାଇଁ ବନ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ ତାଗିଦ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri