ଚୋରା ଧାନ ବେପାରୀ ସକ୍ରିୟ: ଖଳାକୁ ଆସୁନି ଧାନ


ବାସୁଦେବପୁର,୬।୧୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ଧାନ ଚାଷରେ ଏକ ଅଗ୍ରଣୀ ଅଞ୍ଚଳ। ଚଳିତ ବର୍ଷ ପ୍ରତିକୂଳ ପାଣିପାଗ ଓ ରୋଗପୋକ ଯୋଗୁ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗତ କିଛିଦିନ ତଳେ ଲଘୁଚାପଜନିତ ବର୍ଷା ଯୋଗୁ ପାଚିଲା ଧାନ କ୍ଷେତରେ ବ୍ୟାପକ କ୍ଷତି ଘଟିଛି। ଏବେ ଚାଷୀମାନେ ଧାନ ଅମଳ ଜାରି ରଖିଥବା ବେଳେ ଲଘୁଚାପ ବର୍ଷା ଆଶଙ୍କା ଚାଷୀଙ୍କୁ ହତାଶ କରିଛି । ଖାଲୁଆ ଅଞ୍ଚଳରେ ଚାଷ ଜମିରୁ ବର୍ଷାପାଣି ଶୁଖି ନ ଥିବା ବେଳେ ଏବେ ପାଣିପାଗ ବିଭାଗ ବର୍ଷା ସମ୍ଭାବନା ସୂଚନା ଦେଇଥିବାରୁ ଚାଷୀମାନେ ତରବରରେ ଜମିରୁ ପାଚିଲା ଧାନ ଅମଳ ପାଇଁ ଲାଗିପଡିଛନ୍ତି। କେତେକ ଅଞ୍ଚଳରେ ଚାଷୀମାନେ ଧାନକଟା ମେଶିିନର ସହାୟତା ନେଇ ଧାନ ଅମଳ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଚୋରାଧାନ ବେପାରୀ ଓ ଦଲାଲମାନେ ଚାଷୀଙ୍କଠାରୁ ଧାନ କିଣି ନେବା ଲାଗି ବେଶ୍‌ ତତ୍ପର ହୋଇ ଉଠିଛନ୍ତି। ସେମାନେ ବିଲ ମୁଣ୍ଡକୁ ଯାଇ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ୧୫୫୦ ଟଙ୍କାଠାରୁ ଦୁଇରୁ ତିନି ଶହ ଟଙ୍କା କମ୍‌ ଦରରେ ଚାଷୀଙ୍କଠାରୁ ଧାନ କିଣି ରାଜ୍ୟ ବାହାରକୁ ଚାଲାଣ କରିବାରେ ଲାଗି ପଡିଛନ୍ତ। ଫଳରେ ଚାଷୀଙ୍କ ଖଳାକୁ ଧାନ ଆସି ପାରୁ ନାହିଁ ା ଅନ୍ୟପକ୍ଷେ ବିଲରେ ନଡାସବୁ ପଡି ନଷ୍ଟ ହେଉଛି । ବର୍ଷା ଆଶଙ୍କା ଥିବାରୁ ଚାଷୀମାନେ ତରବରରେ ଧାନ ଅମଳ କରି ବିଲରୁ ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ଧାନ ଅମଳ ସମୟରେ ଜିଲାରେ ଧାନ ଚୋରା କାରବାର ରୋକିବା ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ଏବଂ ସରକାରୀ ସ୍ତରରେ ଧାନମଣ୍ଡି ଖୋଲିବା ବିଳମ୍ବ ହେଉଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଚଳିତ ମାସ ୧୯ତାରିଖ ବେଳକୁ ସରକାରୀ ଧାନମଣ୍ଡି ଖୋଲାଯିବା ଲାଗି ବ୍ୟବସ୍ଥା ହୋଇଥିବା କୁହାଯାଉଛି। ଏପରିସ୍ଥଳେ ଚାଷୀମାନେ ବର୍ଷା ଛାନିଆରେ ବେପାରୀଙ୍କୁ କମ୍‌ ଦରରେ ଧାନ ବିକି କ୍ଷତି ସହୁଛନ୍ତି । ଆଗାମୀ ୨/୩ଦିନ ମଧ୍ୟରେ ପ୍ରବଳ ଲଘୁଚାପ ବର୍ଷା ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର କରାଯିବା ପରେ ଚାଷୀମାନେ କିପରି ଧାନ ଅମଳ କରି ସୁରକ୍ଷିତ ରଖିବେ ସେଥିଲାଗି ହରବର ହୋଇପଡିଛନ୍ତି। ଏହି ସୁଯୋଗର ଫାଇଦା ନେଉଥିବା ଦଲାଲ ଓ ଚୋରା ବେପାରୀଙ୍କ ଉପରେ ଯୋଗାଣ ବିଭାଗ ଓ ପ୍ରଶାସନ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଚାଷୀ ସଂଗଠନ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏସମ୍ପର୍କରେ ଯୋଗାଣ ନିରୀକ୍ଷକ ଅଶୋକ ବେହେରାଙ୍କୁ ପଚାରିବାରୁ କହିଛନ୍ତି ଯେ, ବର୍ଷା ଛାନିଆରେ ଚାଷୀମାନେ ତରବର ହୋଇ ଧାନ ବିକିବା ଅନୁଚିତ। ୧୯ତାରିଖରୁ ସରକାରୀ ଧାନ ମଣ୍ଡି ଖୋଲିଲେ, ସେମାନେ କୁଇଣ୍ଟାଲ ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟ ୧୫୫୦ ଟଙ୍କାରେ ଧାନ ବିକିପାରିବେ । ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀଧର ସାହୁ କହିଛନ୍ତି, ଲଘୁଚାପଜନିତ ବର୍ଷା ହେଲେ ଚାଷୀମାନେ କ୍ଷତିଗସ୍ତ ହେବା ଆଶଙ୍କା ଦେଖାଦେଇଛି । ଏଥିଲାଗି ଶସ୍ୟ ଓ ଧାନକୁ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଉଛି। ସୁଦର୍ଶନପୁର ପଞ୍ଚାୟତର ସୁଆଁ ଗ୍ରାମର ଚାଷୀ ରାଧାକିଶୋର ଦାସ କହିଛନ୍ତି, ପୂର୍ବ ବର୍ଷାରେ ଚାଷୀଙ୍କ ବିଲରେ ଧାନ ଗଜା ହୋଇଯାଇଥିଲା। ଏବେ ପୁଣି ବର୍ଷା ହେଲେ ଚାଷ ସମ୍ପୂର୍ଣ୍ଣ ଉଜୁଡିଯିବ। ସରକାର ଏଥିପ୍ରତି ଯନତ୍ବାନ ହୋଇ କ୍ଷତିପୂରଣ ଦେବା ଦିଗରେ ପଦକ୍ଷେପ ନେବା ଜରୁରୀ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri