୯ରୁ ଜିଲାରେ ବସ୍‌ ସେବା ବନ୍ଦ


ବାରିପଦା ଅଫିସ,୬।୧୨- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଗତ ୨୮ ନଭେମ୍ବରରୁ ଜିଲାର ଦୁଇଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ କରାଯାଇଛି। ମୟୂରଭଞ୍ଜ ବସ୍‌ ମାଲିକ ସଂଘର ଆବାହକତ୍ୱରେ କରଞ୍ଜିଆ, ଯଶିପୁର ଓ ରାଇରଙ୍ଗପୁର ବସ୍‌ ମାଲିକ ସଂଘ ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ଜିଲାବାସୀ ସମର୍ଥନ କରୁଛନ୍ତି। ଇତିମଧ୍ୟରେ ୯ ଦିନ ବିତିଯାଇଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ତେବେ ଆସନ୍ତା ୮ ତାରିଖ ସୁଦ୍ଧା ଏନ୍‌ଏଚ୍‌ଏଆଇ କିଛି ପଦକ୍ଷେପ ନ ନେଲେ ଆସନ୍ତା ୯ ତାରିଖରୁ ମୟୂରଭଞ୍ଜ ଜିଲା ଏବଂ ଜିଲା ଦେଇ ଚଳାଚଳ କରୁଥିବା ସମସ୍ତ ବସ୍‌ ସେବା ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଥିବା ମୟୂରଭଞ୍ଜ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ବସ୍‌ ମାଲିକ ସଂଘର ଆନ୍ଦୋଳନ ଧମକ ଯୋଗୁ ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି। ପଦକ୍ଷେପ ସ୍ବରୂପ ଗୁରୁବାର ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ବିଧାନସଭା କକ୍ଷରେ ମୟୂରଭଞ୍ଜ ବସ୍‌ ମାଲିକ ସଂଘ, ଜିଲାର ସମସ୍ତ ବିଧାୟକ ବୃନ୍ଦ, ରାଜ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ , ରାଜ୍ୟ ପରିବହନ କମିଶନର, ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷଙ୍କୁ ନେଇ ଅପରାହ୍ନ ୫ ଟାରେ ଏକ ସମୀକ୍ଷା ବୈଠକ ଡକାଇଛନ୍ତି। ସେହିପରି ମଙ୍ଗଳବାର ସନ୍ଧ୍ୟାରେ ଯଶିପୁର ୟୁଥ ହଷ୍ଟେଲରେ ଜିଲାର ସମସ୍ତ ଆଞ୍ଚଳିକ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ମନ୍ତ୍ରୀଙ୍କ ସହିତ ଆଲୋଚନା ସଫଳ ହେଲେ ସଂଘ ବସ୍‌ ସେବା ବନ୍ଦ ଡାକରା ପ୍ରତ୍ୟାହୃତ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ କହିଛନ୍ତି। ବୁଧବାର ଦାଶଙ୍କ ପ୍ରତିନିଧିତ୍ୱରେ ଏକ ପ୍ରତିିନିଧି ଦଳ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ଶରତ କୁମାର ଦାସଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ, ରାଜ୍ୟ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ପ୍ରାଧିକରଣ ଅଧ୍ୟକ୍ଷ ଦୀପକ କୁମାର, ପରିବହନ କମିଶନର ମଧୁସୂଦନ ପାଢ଼ୀ, ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri