୧୨ ବର୍ଷରେ ମାତ୍ର ୧୦୦ ପର୍ଯ୍ୟଟକ


ବାରିପଦା ଅଫିସ,୬।୧୨- ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ମୟୂରଭଞ୍ଜ ଜିଲାର ସ୍ଥାନ ସ୍ବତନ୍ତ୍ର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ରାତ୍ରୀଯାପନ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪ ଟି ପାନ୍ଥନିବାସ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ଶିମିଳିପାଳ ପାଦଦେଶ ଲୁଲୁଙ୍ଗରେ ଥିବା ଲୁଲୁଙ୍ଗ ଅରଣ୍ୟ ନିବାସ ଓ ବାଙ୍ଗିରିପୋଷୀ ସ୍ଥିତ ପାନ୍ଥଶାଳା ପରିଚାଳନା ଲାଗି ପିପିପି ମୋଡରେ ବିଭିନ୍ନ ସଂସ୍ଥାକୁ ପ୍ରଦାନ କରାଯାଇଛି। ବାକି ଥିବା ବାରିପଦା ମୁର୍ଗାବାଡି ସ୍ଥିତ ପାନ୍ଥନିବାସ ଓ ଖିଚିଂ ସ୍ଥିତ ପାନ୍ଥଶାଳା ଏବେ ପିପିପି ମୋଡରେ ୨ ଜଣଙ୍କୁ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଖିଚିଂ ପାନ୍ଥଶାଳା ପୂର୍ବରୁ ସ୍ଥାନୀୟ ବ୍ଲକ ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିଲା। ୨୦୦୫ରୁ ପର୍ଯ୍ୟଟନ ବିଭାଗ ନିଜେ ଏହାକୁ ପରିଚାଳନା କରୁଥିଲା। କୌଣସି ପର୍ଯ୍ୟଟକ ଏଠାକୁ ଆସି ରାତ୍ରିଯାପନ କରୁ ନ ଥିବାରୁ ପରିଚାଳନା ନେଇ ଅସୁବିଧା ଦେଖାଦେଇଥିଲା। ୨୦୦୫ରୁ ଅଦ୍ୟାବଧି ୧୨ ବର୍ଷ ମଧ୍ୟରେ ମାତ୍ର ୧୦୦ ଜଣ ପର୍ଯ୍ୟଟକ ଆସି ରାତ୍ରିଯାପନ କରିଛନ୍ତି। ଏ ନେଇ ବିଭାଗ ଚନ୍ତାରେ ରହିଥିଲା। ଏଥିଲାଗି ଟେଣ୍ଡର ଆହ୍ବାନ କରି ବାରିପଦାର ଜଣଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି । ଖିଚିଂ ପାନ୍ଥଶାଳାରେ ୪ ଟି ରୁମ୍‌ ରହିଛି। ପର୍ଯ୍ୟଟକମାନେ ଦିନ ବେଳା ଖିଚିଂ ଆସି କୀଚକେଶ୍ୱରୀଙ୍କ ଦର୍ଶନ କରି ଫେରିଯାଉଥିବାରୁ ଏଠାରେ କେହି ରାତ୍ରିଯାପନ କରୁନାହାନ୍ତି। ଫଳରେ ଏହାକୁ ପିପିପି ମୋଡରେ ଘରୋଇକରଣ କରାଯାଉଛି ବୋଲି ପର୍ଯ୍ୟଟନ ଅଧିକାରୀ କହିଛନ୍ତି। ଏଥିପୂର୍ବରୁ ୩ ଥର ଟେଣ୍ଡର ଆହ୍ବାନ କରାଯାଇଥିଲେ ବି କେହି ଆବେଦନ ନ କରିବାରୁ ଟେଣ୍ଡର ବାତିଲ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ବାରିପଦା ପାନ୍ଥନିବାସ ପୂର୍ବରୁ ଓଟିଡିସି ଦ୍ୱାରା ମଧ୍ୟ ପରିଚାଳିତ ହେଉଥିଲା। ଏହାକୁ ଠିକ ଭାବେ ପରିଚାଳନା ନ କରି ପର୍ଯ୍ୟଟନ ବିଭାଗକୁ ଓଟିଡିସି ଦାୟିତ୍ୱ ହସ୍ତାନ୍ତର କରିଥିଲା। ବର୍ତ୍ତମାନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରି ଏହାକୁ ପିପିପି ମୋଡରେ ୪୦ ଲକ୍ଷ ୨୦୦ ଟଙ୍କା ଜମା ବଳରେ ୩୦ ବର୍ଷ ପାଇଁ ଜଣଙ୍କୁ ପ୍ରଦାନ କରାଯାଇଛି। ଏହାର ନବକଳେବର କାମ ଚାଲିଛି। ଉକ୍ତ ପାନ୍ଥନିବାସରେ ୧୦ ଟି ରୁମ, ଗୋଟିଏ କନ୍‌ଫରେନ୍ସ ହଲ ଓ ଗୋଟିଏ ଡାଏନିଙ୍ଗ ହଲ ରହିଛି। ହେଲେ ଏଠାରେ ଏପର୍ଯ୍ୟନ୍ତ କୌଣସି ସେବା ଆରମ୍ଭ ହୋଇନାହିଁ। ଏ ମୁଖ୍ୟ ଫାଟକରେ ଯେଉଁଭଳି ବିଜ୍ଞାପନ ଫଳକ ଲାଗିିଛି ତାହା ଏକ ବାର (ମଦ ଦେକାନ)ର ଭ୍ରମ ସୃଷ୍ଟି କରୁଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାତୀୟ ରାଜପଥ କଡରେ ଥିବା ପାନ୍ଥନିବାସ ଘରୋଇ ସଂସ୍ଥାକୁ ଦିଆଯିବା ପରେ ଏଭଳି ବିଜ୍ଞାପନ ଦେବା ଠିକ ନୁହେ ବୋଲି ସାମାଜିକ କର୍ମୀ ପ୍ରଶାନ୍ତ ବେହେରା କହିଛନ୍ତି। ଅନ୍ୟପକ୍ଷେ ପାନ୍ଥନିବାସର ନବକଳେବର ପରେ ବାର ସେବା ଆରମ୍ଭ କରାଯିବ ବୋଲି ଜଣେ କର୍ମଚାରୀ ସୂଚନା ଦେଇଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri