ମୃତ ବ୍ୟକ୍ତିଙ୍କ ନାମରେ ଅର୍ଥ ହଡ଼ପ ଅଭିଯୋଗ


ବାଲିଆପାଳ, ୨୦।୧୧(ଡି.ଏନ୍‌.ଏ)-ବାଲିଆପାଳ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ପ୍ରମୋଦ କୁମାର ଦାସ, ଅତିରିକ୍ତି ଏସ୍‌.ପି. ସନ୍ତୋଷ କୁମାର ନାୟକ, ଉପଜିଲାପାଳ ଭବତାରଣ ସାହୁ, ଏପିଡ଼ି ରାମଚନ୍ଦ୍ର ପାଲଟା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିବେକାନନ୍ଦ ଦାସ, ଜିଲା ଶିକ୍ଷାଧିକାରୀ ଡ. ହୃଷିକେଶ କାଣ୍ଡି, ଡିପିସି ସୁରେନ୍ଦ୍ର କୁମାର ଶଙ୍ଖୁଆ, ଜିଲା ସାମାଜିକ ସୁରକ୍ଷାଧିକାରୀ କମଳାକାନ୍ତ ବେହେରା, ଏଡ଼ିଭିଓ ଡା. ଜୀବନକୃଷ୍ଣ ସାହୁ, ଡ୍ରେନେଜ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରତାପ କୁମାର ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲା ଓ ବ୍ଲକ ଅଧିକାରୀମାନେ ଯୋଗ ଦେଇଥିଲେ । ଶିବିରରେ ଜନସାଧାରଣଠାରୁ ୬୦୪ ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୫୮୦ ବ୍ୟକ୍ତିଗତ ଓ ୨୪ ସମୂହ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା। ଜାମକୁଣ୍ଡା ସରପଞ୍ଚ ବ୍ରଜକିଶୋର ବିଶ୍ୱାଳ ୨୦୧୬-୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ୨୦୧୬-୧୭ ବର୍ଷରେ କାଳରୁଇ ଗ୍ରାମର କାର୍ତ୍ତିକ ମହାନ୍ତିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ମଞ୍ଜୁର ହୋଇ ପ୍ରଥମ କିସ୍ତିରେ ଗୃହ କାର୍ଯ୍ୟ ଆରମ୍ଭ କରିବା ପାଇଁ ବ୍ଲକ ତରଫରୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ଗୃହ ନିର୍ମାଣ ଆରମ୍ଭ କରିବା ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ। ତାଙ୍କର ସ୍ତ୍ରୀ, ପୁଅ, ଝିଅ କେହି ନ ଥିବାବେଳେ ଚଞ୍ଚକତା କରାଯାଇ ଅନ୍ୟର ଘରକୁ ଦେଖାଇ ତା୪।୧୦।୨୦୧୭ରିଖରେ ୩୦ହଜାର ଟଙ୍କା ଓ ତା୧୧।୧୧।୨୦୧୭ରିଖରେ ୪୦ହଜାର ଟଙ୍କା ଏହିପରି ମୋଟ ୯୦ହଜାର ଟଙ୍କା ଆମତ୍ସାତ କରାଯାଇଥିବା ବିଶ୍ୱାଳ ଅଭିଯୋଗ କରିଥିଲେ । ସେହିପରି ଜାମକୁଣ୍ଡା ଗ୍ରାମର ସାବିତ୍ରୀ ଜେନା, ପାଳଜାମକୁଣ୍ଡ ଗ୍ରାମର ସୃଷ୍ଟିଧର ଗିରି, ଅନନ୍ତ ଘଡ଼ାଇ, କାଳରୁଇ ଗ୍ରାମର ଶ୍ରୀକାନ୍ତ ଗଙ୍ଗାଇ, ରାଧାମଣି ମାହାନା, ରାଧାମଣି ମାହାନା, ଅକ୍ଷୟ ସାହୁ, ମଙ୍ଗୁଳି ଖଣ୍ଡା, କୁହ୍ଲାଚଡ଼ ଗ୍ରାମର ପ୍ରଫୁଲ୍ଲ ସାହୁ, ତାଳପଦା ଗ୍ରାମର ଗଙ୍ଗାଧର ମଙ୍ଗରାଜ ପ୍ରମୁଖ ବ୍ୟକ୍ତିଙ୍କର ଘର ନିର୍ମାଣ ବାବଦରେ ସମସ୍ତ ଅର୍ଥ ଉଠାଇ ନିଆଯାଇଥିଲେ ମଧ୍ୟ କାହାରି ଘର ହୋଇ ନ ଥିବା ସରପଞ୍ଚ ଅଭିଯୋଗ କରିଥିଲେ । ଜିଲାପାଳ ବିଡ଼ିଓଙ୍କୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପଞ୍ଚୁପାଲି ରାଜସ୍ବ ଗ୍ରାମରେ ଥିବା ୧୬ଏକର ୩୦ଡିସମିଲ୍‌ ଗୋଚର ଜମିକୁ କିଛି ଲୋକ ବହୁଦିନ ଧରି ଜବରଦଖଲ କରି ରଖିଥିଲେ ମଧ୍ୟ ଏହାକୁ ଉଚ୍ଛେଦ କରାଯାଉ ନ ଥିବା ଜିଲା ପରିଷଦ ସଦସ୍ୟା ଅନୁପମା ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଅନିରୁଦ୍ଧ ଜେନା, ବିଜେଡ଼ି ଯୁବନେତା ବିମଳ ସାହୁ ପ୍ରମୁଖ ଅଭିଯୋଗ କରିଥିଲେ । ଏ ବାବଦରେ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ବିଚାର କରି ଉଚ୍ଛେଦକୁ ତିନି ମାସ ଭିତରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ଗତ ତା ୨୫।୧୧।୨୦୧୬ ରିଖରେ ବାଲିଆପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହା କାର୍ଯ୍ୟକାରୀ ହେଉ ନ ଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଜନଶୁଣାଣି ଶିବିରରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଥିଲା। ଏତେସଂଖ୍ୟକ ଲୋକ ଆସିଥିଲେ ମଧ୍ୟ ସମସ୍ତଙ୍କ ଦରଖାସ୍ତ ଗ୍ରହଣ କରିବା ପାଇଁ ଗୋଟିଏ ମାତ୍ର କାଉଣ୍ଟର ପର୍ଯ୍ୟାପ୍ତ ନ ଥିଲା । ଜିଲାପାଳ ଅପରାହ୍ନରେ ଚାଲିଯାଇଥିଲେ ମଧ୍ୟ ଲୋକମାନେ ସନ୍ଧ୍ୟା ପର୍ଯ୍ୟନ୍ତ କାଉଣ୍ଟରରେ ଠିଆ ହୋଇ ଅଭିଯୋଗ ଦେଉଥିବା ଦେଖିବାକୁ ମିଳିଥିଲା । ଶିବିର ପାଇଁ ଗଣମାଧ୍ୟମଙ୍କ ପ୍ରତିନିଧିମାନଙ୍କୁ ଅଦୌ ସୂଚନା ଦିଆଯାଇ ନ ଥିବା ଅଭିଯୋଗ ହୋଇଥିଲା ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri