ବ୍ଲକ କାର୍ଯ୍ୟକୁ ଅଚଳ କଲା ପରିବର୍ତ୍ତନ ସାମ୍ମୁଖ୍ୟ


ଧାମନଗର, ୨୦।୧୧(ଡି.ଏନ୍‌.ଏ.)-ଧାମନଗର ବ୍ଲକ ପ୍ରଶାସନ ବିରୋଧରେ ପରିବର୍ତ୍ତନ ସାମ୍ମୁଖ୍ୟର ଆନ୍ଦୋଳନ ଯୋଗୁଁ ବ୍ଲକ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କର ବିବାଦ ଉଗ୍ରରୂପ ନେବା ଆରମ୍ଭ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଏବଂ ଅସନ୍ତୁଷ୍ଟ ବିଜେଡିକୁ ନେଇ ଗଠନ ହୋଇଥିବା ପରିବର୍ତ୍ତନ ସାମ୍ମୁଖ୍ୟ ପକ୍ଷରୁ ବ୍ଲକ ପ୍ରଶାସନ ବିରୋଧରେ ସୋମବାର ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ବ୍ଲକରେ ବିଭିନ୍ନ ପ୍ରକାର ଅନିୟମିତ କାର୍ଯ୍ୟ, ଜନହିତ କାର୍ଯ୍ୟରେ ରାଜନୈତିକ ଚାପରୁ ବାଧା ସୃଷ୍ଟି, କର୍ମଚାରୀମାନଙ୍କ ଦ୍ୱାରା ଲାଞ୍ଚ ମଗାଯାଉଥିବା ନେଇ ଧାମନଗର ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା। ବ୍ଲକ ପ୍ରଶାସନ ଦ୍ୱାରା ବିଭିନ୍ନ ଅନିୟମିତତା ହୋଇଥିବା ନେଇ ସେପ୍ଟେମ୍ବର ୨୦ରୁ ୨୪ ତାରିଖରେ ବ୍ଲକରେ ଅଧିକାଂଶ ନିର୍ବାଚିତ ପ୍ରତିନିଧି ଭାବେ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲାପରିଷଦ ସଭ୍ୟମାନେ ଧାରଣାରେ ବସିଥିଲେ। ଜିଲାପ୍ରକଳ୍ପ ଅଧିକାରୀ ଏବଂ ବିଡିଓଙ୍କ ପ୍ରତିଶ୍ରୁତି ପରେ ସେମାନେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ। ଏବେ ଜିଜିଓ୍ବାଇ ଅଧୀନରେ ବ୍ଲକରେ ୩୧ ପଞ୍ଚାୟତରୁ ୨୧କୁ ବାଦ ଦେବା ସହିତ ଅନୁଦାନ ଦିଆଯାଇଥିବା ୧୦ ପଞ୍ଚାୟତକୁ ଦଳୀୟ ଭିତିରେ ଅନୁଦାନ ପ୍ରଦାନ ଆଦେଶକୁ ପ୍ରବଳ ବିରୋଧ କରାଯାଇଛି। ୧୦ ପଞ୍ଚାୟତକୁ ଅଧିକ ଅର୍ଥ ପ୍ରଦାନକୁ ବାତିଲ ସହିତ ବାଦ ପଡିଥିବା ୨୧ ପଞ୍ଚାୟତକୁ ପୁନଃ ଯୋଜନାରେ ସାମିଲ, ଜେଇଓରେ ନୂତନ ଭାବେ ଦିଆଯାଇଥିବା ନିଯୁକ୍ତି ଆଦେଶ ପ୍ରତ୍ୟାହାର, ଜିଲାରୁ ମଞ୍ଜୁର ହୋଇଥିବା ବିଭିନ୍ନ ଭତ୍ତା ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ, ଖାଦ୍ୟସୁରକ୍ଷା ଯୋଜନାରେ ବାଦ ପଡିଥିବା ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ, ପଞ୍ଚାୟତ ନିର୍ବାହୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ଉଦ୍ଦେଶ୍ୟ ମୂଳକ ବଦଳି ବନ୍ଦ ଆଦି ଦାବିରେ ପରିବର୍ତ୍ତନ ସାମ୍ମୁଖ୍ୟ ଆନ୍ଦୋଳନ ଆରମ୍ଭ କରିଛି। ବ୍ଲକରେ ଅଧିକାଂଶ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲାପରିଷଦ ସଭ୍ୟଙ୍କ ସମେତ ଦଳୀୟ ନେତୃତ୍ୱ ମଣ୍ଡଳୀ ଆନ୍ଦୋଳନରେ ଭାଗ ନେଇଛନ୍ତି । ସୋମବାର ବ୍ଲକରେ ଶହ ଶହ ଲୋକ ରୁଣ୍ଡ ହୋଇ ବ୍ଲକ ପ୍ରଶାସନ ବିରୋଧରେ ସ୍ବର ଉଠାବା ସହିତ ଉତ୍ତେଜନା ଦେଖା ଦେଇଥିଲା। ଧାମନଗର ଥାନା ତରଫରୁ ବ୍ୟାପକ ପୋଲିସ ବ୍ଲକ ସୁରକ୍ଷା ପାଇଁ ଜଗିରହିଥିଲେ। ଅଶୋକ ପୁହାଣଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲାପରିଷଦ ସଭ୍ୟ ମନୋଜ ମଲ୍ଲିକ, ରଞ୍ଜିତ ମହାନ୍ତି, ଜିଲାପରିଷଦ ଉମାମଣୀ ସାହୁ, ମଣ୍ଡଳ ସଭାପତି ଭାବେ ସଦାଶିବ ପୋଥାଳ, ଅରବିନ୍ଦ ପତି, ଦୀପ୍ତିରଞ୍ଜନ ଜେନା, ଅଜୟ କୁମାର ବଳ, ଭାଜପାର ନଗର ସଭାପତି କୈଳାଶ ମହାପାତ୍ର, ସରପଞ୍ଚ ନିମାଇ ନାୟକ, ରାଜେନ୍ଦ୍ର ସାହୁ, ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri