ଗାଁକୁ ରାସ୍ତା ନାହିଁ, ବିକାଶ ଶୂନ


କେନ୍ଦୁଝର, ୧୦।୧୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ରାଣୀପଦା, କହ୍ନେଇଗୋଳା, ନୁଲ, ବାଉଁର, ମୋରାଗୋଳା, ତୁରୁଙ୍ଗ, ହାତୀଖୁଣ୍ଟା ଆଦି ଜୁଆଙ୍ଗ ଅଧ୍ୟୁଷିତ ଦୁର୍ଗମର ବିକାଶରେ ରାସ୍ତା ବାଧକ ସାଜିଛି। ପାହାଡ଼ ଓ ଜଙ୍ଗଲଘେରା ଏହି ଆଦିବାସୀ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବାରୁ ଲୋକେ ବିକାଶର ସ୍ବାଦ ଚାଖି ପାରୁନାହାନ୍ତି। ବର୍ଷାଦିନେ ଏହି ରାସ୍ତାରେ ପାହାଡିଆ ଝରଣା ଯାତାୟାତରେ ବାଧକ ସୃଷ୍ଟି କରେ। ଫଳରେ ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଚନ୍ଦନଗିରି ଘାଟି ଦେଇ ଯାତାୟାତ କରନ୍ତି। ଖରାଦିନରେ କାଁ ଭାଁ ୪ ଚକିଆ ଯାତ୍ରୀବାହୀ ଜିପ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରିଥାଏ। ଲୋକମାନେ ଭାରରେ ବୋହି ଖାଦ୍ୟସାମଗ୍ରୀ ନେଇଥାନ୍ତି। ଯାତାୟାତ ସୁବିଧା ନ ଥିବାରୁ ରୋଗୀମାନଙ୍କୁ ଭାର ଓ ଖଟରେ ବୋହି ପାହାଡ ତଳ ବଡପଳାଶପାଳ ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରେ ଆମ୍ବୁଲାନ୍ସ ସହାୟତାରେ ମେଡିକାଲ ନେଇଥାନ୍ତି। । ଆଇଏପି ଯୋଜନାରେ ସମତଳ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ କରାଯାଉଥିବା ବେଳେ ମାଓ ଇଲାକା ଭାବରେ ପରିଗଣିତ ହୋଇଆସୁଥିବା ଏହି ଅଞ୍ଚଳକୁ ରାସ୍ତାଘାଟ ନିର୍ମାଣ କରାଯାଉ ନ ଥିବାରୁ ପ୍ରଶାସନର ଆନ୍ତରିକତା ନେଇ ପ୍ରଶ୍ନ ଉଠୁଛି। ଏହି ପାହାଡିଆ ଅଞ୍ଚଳରେ ପାଖାପାଖି ୧୫ ଶହରୁ ଊର୍ଦ୍ଧ୍ୱ ପରିବାର ରହୁଛନ୍ତି। ଏଠାରେ ବିକାଶର ଛାପ ଏବଂ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅପହଞ୍ଚ । ଏକ ଆଦିବାସୀ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ରହିଥିଲେ ହେଁ ବହୁ ସମସ୍ୟା ରହିଛି। ଗାଁକୁ ରାସ୍ତା ନ ଥିବାରୁ ବୃଦ୍ଧାବୃଦ୍ଧ, ରୋଗୀମାନେ ଚିକିତ୍ସିତ ହୋଇ ନ ପାରି ଘରେ ପଡିରହୁଛନ୍ତି। ପଞ୍ଚାୟତ ମୁଖ୍ୟାଳୟଠାରୁ ୮ରୁ ୧୦ କି.ମି. ଏବଂ ବ୍ଲକ ମୁଖ୍ୟାଳୟଠାରୁ ପାଖାପାଖି ୨୫ରୁ ୩୦ କି.ମି. ଦୂରରେ ଏହି ସବୁ ଗ୍ରାମ ରହିଥିବାରୁ ପିଡିଏସ୍‌ ସାମଗ୍ରୀ ତଥା ବ୍ୟାଙ୍କ ସୁବିଧା ଆଦି ପାଇପାରୁ ନ ଥିବା କହିଛନ୍ତି। ଏପରି କି ଏଠାକାର କୌଣସି ସମସ୍ୟା ବା ଅଘଟଣ ପ୍ରଶାସନ ପାଖରେ ପହଞ୍ଚି ପାରୁନାହିଁ। ସରକାରଙ୍କ ମନରେଗା ଯୋଜନାରେ କାମ ପାଇପାରୁ ନ ଥିବା ବେଳେ ଜଙ୍ଗଲ ଜମି ଅଧିକାର ଆଇନ, ବିଭିନ୍ନ ଆବାସିକ ଯୋଜନା, ବିଦ୍ୟୁତ୍‌କରଣ ଯୋଜନା ଆଦିର ସୁଫଳ ପାଇପାରୁ ନ ଥିବାରୁ ଏ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି। ମିଳିଥିବା ସୋଲାର ଲାଇଟ ଖରାପ ହୋଇପଡୁଥିଲେ ହେଁ ତାହା ସଜଡା ଯାଉନାହିଁ। ଫଳରେ ଅନ୍ଧାରରେ ଜୀବନ ବିତୁଛି। ଏହି ଅଞ୍ଚଳର ବିକାଶ ପାଇଁ ରାସ୍ତାଘାଟ ନିର୍ମାଣ କରିବାକୁ ଉକ୍ତ ଅଞ୍ଚଳର ସଚେନତ ନାଗରିକ ଦୀନବନ୍ଧୁ ଆରୁକ, ଭାସ୍କର ଆରୁକ, ବିପିନ ମହାକୁଡ, ବିନୁ ମହାକୁଡ, ବିଜୟ କୁମାର ସାହୁ, ଦେବ ମହାକୁଡ ପ୍ରମୁଖ ଦାବି କରିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri