ମିଳିଲାନି ଚିକିତ୍ସା, ଆଖିବୁଜିଲେ କଇଁଫୁଲ


ରାଇସୁଆଁ,୧୦।୧୧(ଡି.ଏନ୍‌.ଏ.)-ସରକାର ଅସହାୟଙ୍କ ଥଇଥାନ ଏବଂ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିରାମୟ ଯୋଜନାଠାରୁ ଆରମ୍ଭ କରି ମାଗଣା ଚିକିତ୍ସା ସୁବିଧା କରିଛନ୍ତି। ମାତ୍ର ଜିଲାପ୍ରଶାସନ ଏବଂ ସ୍ବାସ୍ଥ୍ୟବିଭାଗର ମାନସିକତାର ଅଭାବ ଯୋଗୁ ବହୁ ଅସହାୟ, ଗରିବ ରୋଗୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି। ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ମଦରଙ୍ଗାଯୋଡି ଗ୍ରାମରେ ଶୁକ୍ରବାର ଏକ ଘଟଣା ଘଟିଛି। ଉପଯୁକ୍ତ ଚିକିତ୍ସା ସେବା ନ ମିଳିବାରୁ ଗ୍ରାମର ସୁନାରାମ ମୁଣ୍ଡାଙ୍କ ସ୍ତ୍ରୀ କଇଁଫୁଲ(୨୫) ମୃତ୍ୟୁବରଣ କରିଛନ୍ତି। ସୁନାରାମ ଏବଂ ସ୍ତ୍ରୀ କଇଁଫୁଲ ଦିନମଜୁରୀ କରି ଭଲରେ ଚଳୁଥିଲେ। ମାତ୍ର ହଠାତ ୮ମାସ ତଳେ କଇଁଫୁଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ବହୁ ଖରାପ ହେବାରେ ଲାଗିଥିଲା। ଫଳରେ ସେ ଆଉ କାମଧନ୍ଧା କରି ପରିଲେ ନାହିଁ। ସ୍ବାମୀ ସୁନାରାମ ତାଙ୍କୁ ୨ଥର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ। ମାତ୍ର ଡାକ୍ତର କିଛି ଔଷଧ ଲେଖି ଘରକୁ ପଠାଇଦେଲେ। ତୃତୀୟ ଥର ପୁଣି ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତରମାନେ ରୋଗ ଭଲ ନ ହେଉଣୁ ପୁଣି ଘରକୁ ପଠାଇଦେଲେ ବୋଲି ସୁନାରାମ କହିଛନ୍ତି। ସେହିଦିନଠାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧିରେ ଧିରେ ଖରାପ ହେବାକୁ ଲାଗିଲା। ସ୍ବାମୀ ତାଙ୍କ ପାଇଁ ଆଉ ଦିନମଜୁରୀ କରିବାକୁ ଯାଇପାରିଲେ ନାହିଁ। ଯାହାକିଛି ଧାନ ଚାଉଳ ଥିଲା ସବୁ ଧିରେ ଧିରେ ସରିଗଲା। ୩ଟି ସନ୍ତାନ ସହ ରୋଗିଣା ସ୍ତ୍ରୀଙ୍କୁ ନେଇ ସୁନାରାମ ବହୁ ଦୟନୀୟ ଅବସ୍ଥାରେ ରହୁଥିଲେ। ଗୁରୁବାର ସ୍ଥାନୀୟ ସରପଞ୍ଚ ଜବାଶ୍ୱରୀ ମାଝୀ ଏବଂ ସାମାଜିକ କର୍ମୀ ସଞ୍ଜୟ ସାହୁ କଇଁଫୁଲଙ୍କୁ କେନ୍ଦୁଝର ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଶୁକ୍ରବାର କଇଁଫୁଲ ଜୀବନ ଯୁଦ୍ଧରେ ହାରିଗଲେ ଏବଂ ଶେଷରେ ଆଖିବୁଜିଲେ। ଫଳରେ ୩ଟି ଶିଶୁ ମାଆ ଛେଉଣ୍ଡ ହୋଇଗଲେ। ସ୍ଥାନୀୟ ଅଞ୍ଚଳର ବହୁ ଲୋକ କହିଛନ୍ତି ଯେ, ଯଦି କଇଁଫୁଲଙ୍କୁ ପୂର୍ବରୁ ସ୍ବାସ୍ଥ୍ୟସେବା ମିଳିଥାନ୍ତା ସେ ବଞ୍ଚତ୍ୟାଇଥାନ୍ତେ। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି। ଜିଲା ପ୍ରଶାସନ, ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତାର ଅଭାବ ଯୋଗୁ କଇଁଫୁଲ ଶେଷରେ ଆଖିବୁଜିଲେ ବୋଲି କୁହାଯାଉଛି। ଆମ ଜିଲାରେ ସ୍ବାସ୍ଥ୍ୟ ବିଭାଗ ପ୍ରତି ଲୋକଙ୍କ ଆସ୍ଥା ତୁଟିଗଲାଣି ବୋଲି ବହୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ପ୍ରଶାସନ ଏହିପରି ସ୍ଥାଣୁ ହୋଇ ରହିଲେ ଆଗକୁ ଆହୁରି ବହୁ କଇଁଫୁଲ ଅକାଳରେ ଜୀବନ ହରାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri