ସ୍ଥାନୀୟ ଟ୍ରକମାଲିକଙ୍କୁ ଉପେକ୍ଷା ପ୍ରତିବାଦରେ ବିକ୍ଷୋଭ


ବାଲେଶ୍ୱର ଅଫିସ,୯।୧୧- ବାଲେଶ୍ୱର ଜିଲା ରେମୁଣା ସ୍ଥିତ ଇମାମୀ ପେପର ମିଲ୍‌ କର୍ତ୍ତୃପକ୍ଷ ମାଲ ପରିବହନରେ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଉପେକ୍ଷା କରୁଥିବାରୁ ଏହାର ପ୍ରତିବାଦରେ ଗୁରୁବାର ବାଲେଶ୍ୱର ପରିବହନ ସମନ୍ବୟ କମିଟି (ବିଟିସିସି) ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାରଖାନା ଜିଲାରେ ପ୍ରତିଷ୍ଠା ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରି ବାହାର ରାଜ୍ୟରୁ ଆସୁଥିବା ଟ୍ରକମାଲିକଙ୍କ ଜରିଆରେ ପରିବହନ କାର୍ଯ୍ୟ କରାଯାଉଥିବା ବିକ୍ଷୋଭପ୍ରଦର୍ଶନକାରୀ ଅଭିଯୋଗ କରିଥିଲେ। ଏହାର ପ୍ରତିକାର ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ସମାବେଶରେ ଚେତାବନୀ ଦିଆଯାଇଥିଲା। ଗୁରୁବାର ମଧ୍ୟାହ୍ନ ବେଳେ ଟ୍ରକ୍‌ ମାଲିକମାନେ ବିକ୍ଷୋଭ ପ୍ରଦର୍ଶନ କରି ଜିଲାପାଳ ପ୍ରମୋଦ କୁମାର ଦାସଙ୍କୁ ଦାବିପତ୍ର ଦେଇଥିଲେ । ବିଟିସିସି ସଭାପତି କିଶୋର ମିଶ୍ର, ସାଧାରଣ ସମ୍ପାଦକ ନରେନ୍ଦ୍ର ବିହାରୀ ଦାସଙ୍କ ନେତୃତ୍ୱରେ ଶତାଧିକ ଟ୍ରକ୍‌ ମାଲିକ ବିକ୍ଷୋଭ ସମାବେଶରେ ସାମିଲ ହୋଇ ଥିଲେ। ଏହି ପରିପ୍ରେକ୍ଷୀରେ ବିଟିସିସି ସଭାପତି ମିଶ୍ର କହିଛନ୍ତି ଯେ, ଏଠାରେ ଟ୍ରକ୍‌ ବ୍ୟବସାୟ କରି ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପରିବାର ପେଟ ପୋଷୁଛନ୍ତି। ଇମାମୀ ପେପର ମିଲ୍‌ ଓ ବାଲେଶ୍ୱର ଆଲୋଏଜ୍‌ କାରଖାନାର ମାଲ୍‌୍‌ ପରିବହନ ଏଠାକାର ଟ୍ରକ୍‌ଗୁଡିକର ମୁଖ୍ୟ କାର୍ଯ୍ୟ। କିନ୍ତୁ କାରଖାନା ଅଧିକାରୀମାନେ ଟ୍ରାନ୍ସପୋର୍ଟ କମ୍ପାନୀ ସହ ସଲାସୁତୁରା କରି ତଥାକଥିତ ଟେଣ୍ଡର ପଦ୍ଧତିରେ କାମ କରି ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଣଦେଖା କରୁଛନ୍ତି। ଜିଲାପାଳ ଏହାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇ ଆସନ୍ତା ୧୬ ତାରିଖରେ ଦୁଇ କାରଖାନାର କର୍ତ୍ତୃପକ୍ଷ, ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯଦି ଆଲୋଚନା ବିଫଳ ହୁଏ ପରିଣତି ଗୁରୁତର ହେବ। ବିଟିସିସି ପକ୍ଷରୁ ଆହୁରି କୁହାଯାଇଛି ଯେ, ଇମାମୀ ଏବଂ ବାଲେଶ୍ୱର୍‌ ଆଲୋଏଜ୍‌ ଭଳି କାରଖାନାର ପରିବହନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବେକାର ଯୁବକମାନେ ବ୍ୟାଙ୍କରୁ ଋଣରେ ଗାଡ଼ି କିଣି ଏବେ ନାହଁନ ଥିବା ହଇରାଣ ହେଉଛନ୍ତି। ବିଟିସିସି ମାଧ୍ୟମରେ ପରିବହନ କାର୍ଯ୍ୟ କରିଆସୁଥିବା ୫୦୦ ମାଲିକଙ୍କର ୧୫୦୦ରୁ ଅଧିକ ଟ୍ରକ୍‌କୁ କାମ ମିଳୁ ନାହିଁ।। ଟେଣ୍ଡର ମାଧ୍ୟମରେ ପରିବହନ କାର୍ଯ୍ୟକୁ ଜିଲା ପ୍ରଶାସନ ପରୋକ୍ଷରେ ସମର୍ଥନ କରୁଛି। ଏ ସମ୍ପର୍କରେ ପୂର୍ବରୁ ବହୁବାର ଅଗିଯୋଗ କରାଯିବା ସତ୍ତ୍ୱେ ସମାଧାନ ହୋଇୁ ନାହିଁ। ଟ୍ରକମାଲିକଙ୍କ ବିକ୍ଷୋଭ ସମାବେଶ ଓ ଆନ୍ଦୋଳନ ପ୍ରସ୍ତୁତିକୁ ଦେଖି କାରଖାନା ପକ୍ଷରୁ ପ୍ରଶାସନ ବା ସରକାରଙ୍କ ତରଫରୁ କୌଣସି ଚାପ ପକାଗଲେ ମିଳିତ ଭାବେ ସମସ୍ତ କଳକାରଖାନା ବନ୍ଦ କରାଯିବ ବୋଲି ପାଲଟା ଚେତାବନୀ ଦିଆଯାଇଥିବା କୁହାଯାଉଛି। ଗତ ୭ ତାରିଖ ବାଲେଶ୍ୱର ଶିଳ୍ପ ବାଣିଜ୍ୟ ସଂଘ ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଶିଳ୍ପ ବାଣିଜ୍ୟ ସଂଘର ସଭାପତି ହିଂମାଶୁ ଦାସ କହିଛନ୍ତି, ଆର୍ଥିକ ଦୃଷ୍ଟି କୋଣରୁ କାରଖାନା କର୍ତ୍ତୃପକ୍ଷ ପରିବହନ ଠିକା ପ୍ରସ୍ତାବ (ଟେଣ୍ଡର) ମାଧ୍ୟମରେ କାମ କରାଉଛନ୍ତି। ବିଟିସିସି କୌଣସି ପଞ୍ଜୀକରଣ ପରିବହନ ସଂସ୍ଥା ନୁହେଁ। ଏହା ଏକ ସମନ୍ବୟ କମିଟି। ନିୟମ ଅନୁସାରେ ବିଟିସିସିକୁ ପରିବହନର ଦାୟିତ୍ୱ ଦିଆଯାଇ ପାରିବ ନାହିଁ। ଏଣୁ ପରିବହନ ଦାୟିତ୍ୱ ନେଇଥିବା ଏଜେନ୍ସିମାନଙ୍କ ସହ ବିଟିସିସି କର୍ମକର୍ତ୍ତା ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରିବା ଉଚିତ୍‌ ବୋଲି ସେ କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri