ସହାୟତା ଅପେକ୍ଷାରେ ବିତୁଛି ଦିନ


ସିମୁଳିଆ,୮।୧୧(ଡି.ଏନ୍‌.ଏ.)- ୨୪ବର୍ଷୀୟ ଭୀମ ଦାସ ଜନ୍ମରୁ ମାନସିକ ଦିବ୍ୟାଙ୍ଗ। ଆକାଶମାରୀ ବାତରେ ବି ଆକ୍ରାନ୍ତ । ପିଲାବେଳେ ତାଙ୍କ ମା’ଙ୍କର ଦେହାନ୍ତ ଘଟିଥିବା ବେଳେ ବାପା ଦ୍ୱିତୀୟ ବିବାହ କରି ଅନ୍ୟତ୍ର ଚାଲି ଯାଇଛନ୍ତି । ସେବେଠାରୁ ଅସହାୟ ହୋଇପଡିଥିବା ଭୀମ ୫୫ ବର୍ଷୀୟ ପିଉସୀ ସେବତୀ ଓ ୬୦ବର୍ଷୀୟ ପିଉସା ନିରାକାରଙ୍କ ସାହାରାରେ ବଞ୍ଚି ରହିଛନ୍ତି । ମାନସିକ ଦିବ୍ୟାଙ୍ଗ ହୋଇଥିଲେ ବି ଭୀମଙ୍କ ନିକଟରେ ଏଯାଏ ସରକାରଙ୍କର କୌଣସି ଯୋଜନାର ସହାୟତା ପହଞ୍ଚତ୍ ପାରିନାହିଁ । ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଡା ପଞ୍ଚାୟତ ୯ନଂ ୱାର୍ଡ ଅଧୀନ ଛତ୍ରପୁର ଅଞ୍ଚଳର ସେବତୀ ଓ ପିଉସା ନିରାକାର ରହୁଛନ୍ତି। ନିଜର ବୋଲି କିଛି ଜମିବାଡି ନାହିଁ । ସ୍ଥାନୀୟ କେଶୁରଜୀ ଠାକୁରଙ୍କ ଜମିରେ ସେମାନେ ଝାଟିମାଟିର ଘର ଖଣ୍ଡେ ତିଆରି କରି ମୁଣ୍ଡ ଗୁଞ୍ଜି ରହୁଛନ୍ତି। ବହୁ କଷ୍ଟରେ ସେମାନେ ଭୀମଙ୍କୁ ଲାଳନପାଳନ କରି ଆସୁଛନ୍ତି। ବାତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ସବୁବେଳେ ଜଗି ରହିବାକୁ ପଡିଥାଏ। ଚିକତ୍ସା ଲାଗି ମାସିକ ୪ରୁ ୫ଶହ ଟଙ୍କାର ଔଷଧ କିଣିବାକୁ ପଡେ । ଏଥିଲାଗି ପିଉସୀ ଓ ପିଉସା ପାଳିକରି ଗାଁ ଗାଁ ବୁଲି ସହାୟତା ମାଗି ଚଳିବା ସହିତ ଭୀମଙ୍କ ପାଇଁ ଔଷଧ ଯୋଗାଡ କରୁଛନ୍ତି। ସେବତୀ ଓ ନିରାକାର କୁହନ୍ତି, ସେମାନଙ୍କର କୌଣସି ଝିଅପୁଅ ନାହାନ୍ତି। ଏଥିଲାଗି ସେମାନେ ଭୀମଙ୍କୁ ଆଦରି ନେଇ ଲାଳନପାଳନ କରୁଛନ୍ତି। ଅସହାୟ ଲୋକଙ୍କ ଲାଗି ସରକାର ନାନା ଯୋଜନା କରିଥିବା ବେଳେ ତାଙ୍କ ପାଇଁ ଏହା ସାତସପନ ହୋଇଛି। ଭୀମଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳିବା ଆଶାରେ ସେମାନେ ଦିନ ବିତାଉଛନ୍ତି । ସେହିପରି ନିରାକାରଙ୍କୁ ୬୦ ବର୍ଷ ହୋଇଥିଲେ ବି କୌଣସି ଭତ୍ତା ମିଳିନାହିଁ। ଏଭଳି ସ୍ଥିତିରେ ଅସହାୟ ଦମ୍ପତି ଭୀମ ମୁହଁରେ ଦାନା ଦେବାକୁ ଗାଁ ଗାଁ ବୁଲି ମାଗିଯାଚି ଚଳୁଛନ୍ତି । ସ୍ଥାନୀୟ ଗ୍ରାମବାସୀ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରିଥିଲେ ବି ପ୍ରଶାସନର ନଜର ପଡି ନାହିଁ । ଗାଁ ଗହଳରେ ରହୁଥିବା ଅନେକ ଦିବ୍ୟାଙ୍ଗଙ୍କ ଲାଗି ସରକାରୀ ଯୋଜନା କିଭଳି ଅପହଞ୍ଚ ହୋଇ ରହିଛି ଭୀମ ତାହାର ଏକ ନଜିର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri