ବନ୍ଧୁକ ମୁନରେ ଲାପଟପ, ଟଙ୍କା ଲୁଟ ଘଟଣା: ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ


ବଡବିଲ, ୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଭୋଲା ଗ୍ୟାରେଜ ନିକଟରେ ଥିବା ଇ-କାର୍ଟ ଅଫିସରୁ ବନ୍ଧୁକ ମୁନରେ ଭୟଭୀତ କରି ଲାପ୍‌ଟପ ଓ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ଘଟଣାରେ ପୋଲିସ ଦେଢମାସ ପରେ ଅଭିଯୁକ୍ତ ମହେନ୍ଦ୍ର ଗିରିଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମହେନ୍ଦ୍ର ଜାମିନ ନିମନ୍ତେ ମାନ୍ୟବର ଜେଏମ୍‌ଏଫ୍‌ସିଙ୍କଠାରେ ଆବେଦନ କରିଥିଲେ। ହେଲେ ବୁଧବାର ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବା ଜଣାପଡିଛି। ଫଳରେ ଅଭିଯୁକ୍ତ ମହେନ୍ଦ୍ରଙ୍କୁ ବଡବିଲ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ବଡବିଲ ଠାକୁରାଣୀ ରୋଡ ଶନି ମନ୍ଦିର ନିକଟରେ ରହୁଥିବା ଯୋଗେଶ ଗୁପ୍ତା ସ୍ଥାନୀୟ ଭୋଲା ଗ୍ୟାରେଜ ନିକଟରେ ଥିବା ଇକାର୍ଟ ନାମକ ଅଫି୍‌ସରେ କାର୍ଯ୍ୟ କରନ୍ତି। ଗତ ସେପ୍ଟେମ୍ବର ୧୯ ତାରିଖ ରାତି ପ୍ରାୟ ୯ଟା ୩୦ମିନିଟରେ ଯୋଗେଶ କାର୍ଯ୍ୟରତ ଥିଲାବେଳେ ହଠାତ୍‌ ଜଣେ ଯୁବକ ଆସି ବନ୍ଧୁକମୁନରେ ତାଙ୍କୁ ଭୟଭୀତ କରିଥିଲେ। ସେଠାରୁ ଲାପଟପ ଓ ନଗଦ ୩ ଲକ୍ଷ ୬୨ ହଜାର ୧୫୦ ଟଙ୍କା ଲୁଟିନେବା ସହ ଘର ବାହାର ପାଖରୁ କବାଟ କିଳି ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଦୁବୃର୍ତ୍ତଜଣକ ଯିବାପରେ କୌଣସି ମତେ ଯୋଗେଶ ଅଫିସରୁ ବାହାରିଥିଲେ। ଏ ନେଇ ସେ ଗତ ୨୦ ତାରିଖ ବଡବିଲ ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲା ଅନୁଯାୟୀ ପୋଲିସ ଏକ ମାମଲା(ନଂ.୧୩୧), ଦଫା ୩୯୨ ଆଇପିସି ଓ ୨୫ ଆମ୍ସ ଆକ୍ଟ ରୁଜୁ କରିଥିଲା। ତେବେ ଦୀର୍ଘ ଦେଢମାସ ପରେ ଅର୍ଥାତ୍‌ ନଭେମ୍ବର ୬ ତାରିଖରେ ସମ୍ପୃକ୍ତ ଘଟଣାରେ ପୋଲିସ ମୟୂରଭଞ୍ଜ ଜିଲା ଘାଗରବେଡା ଥାନା ଅନ୍ତର୍ଗତ ହିନ୍ଦୋଳ ଗ୍ରାମର ମହେନ୍ଦ୍ର ଗିରିଙ୍କୁ ଗିରଫ କରିଥିଲା। ଏ ନେଇ ବଡବିଲ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି ଯେ, ଏହା ଏକ ପୁରୁଣା କେଶ୍‌। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ହେଲେ ଲୁଟ୍‌ ହୋଇଥିବା ସାମଗ୍ରୀ ଓ ଟଙ୍କା ଅଭିଯୁକ୍ତଙ୍କଠାରୁ ଉଦ୍ଧାର କରାଯାଇପାରିନାହିଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri