ଜମିହରା ଆଦିବାସୀ ମହିଳାଙ୍କୁ ଅସଦାଚରଣ


ଝୁମ୍ପୁରା, ୭।୧୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତର ନଇବୁଗା ଗ୍ରାମ ପାର୍ଶ୍ୱରେ ଥିବା ନଇବୁଗା ଲୁହାପଥର ଖଣିକୁ ନେଇ ଲାଗିରହିଥିବା ବିବାଦ ଥମିବାର ନାଁ ଧରୁନାହିଁ। ୪୦ ଅନୁସୂଚିତ ଜାତି, ଜନଜାତି ପରିବାରର ନିଜସ୍ବ ପଟ୍ଟାଭୁକ୍ତ ଜାଗା ଉପରେ ଖଣି କାର୍ଯ୍ୟ ଚଳାଇ ରଖିଥିବା ଖଣି କର୍ତ୍ତୃପକ୍ଷଙ୍କ ଜୋର ଜୁଲମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜମି ମୁକୁଳାଇବାକୁ ଚେଷ୍ଟା କରୁଥିବା କ୍ଷତିଗ୍ରସ୍ତ ପ୍ରଜାମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ରୋଶର ଶିକାର ହେଉଛନ୍ତି। ଏପରିକି ଗତ ୬ ତାରିଖ କମ୍ପାନୀ କର୍ତ୍ତୃପକ୍ଷ ୨ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ମହିଳାମାନେ ଏସ୍‌ପି ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋ କରିଛନ୍ତି। ଆଦିବାସୀ ପ୍ରଜାଙ୍କ ନିଜସ୍ବ ପଟ୍ଟାଭକ୍ତ ଜାଗା ଉପରେ ଖଣି କାର୍ଯ୍ୟ ଚାଲୁଥିବା ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଖଣିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ବନ୍ଦ କରାଯାଇଥିଲା। ଏ ନେଇ ଖଣି କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି। ଖଣିକୁ ଏକ ବିକଳ୍ପ ରାସ୍ତା ଖୋଲିବା ପାଇଁ ଖଣି କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଜାଗା ଜବରଦଖଲ ନେଇ ପ୍ରଶାସନିକସ୍ତରରେ ଅଙ୍କୁଶ ଲଗାଯାଇଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଏଥିପ୍ରତି ଭ୍ରୂକ୍ଷେପ କରୁନାହାନ୍ତି। ଏ ନେଇ ବିସ୍ତୃତ ଭାବେ ‘ଧରିତ୍ରୀ’ରେ ପ୍ରକାଶିତ ହୋଇଛି। ତେବେ ଗତ ୬ ତାରିଖ ଖଣି କର୍ତ୍ତୃପକ୍ଷ ସବୁ ସୀମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଖଣି କର୍ତ୍ତୃପକ୍ଷ ଆଦିବାସୀ ପ୍ରଜା ପଦିଆ ନାଏକଙ୍କ ପରିବାରବର୍ଗଙ୍କ ନାମରେ ଥିବା ଖାତା ନଂ ୫୧, ପ୍ଲଟ ନଂ ୨୫୯ରେ ଜବରଦସ୍ତ ମେଶିନ ଲଗାଇ ରାସ୍ତା ନିର୍ମାଣ କରୁଥିଲେ। ଏହା ଦେଖି ପଦିଆଙ୍କ ପରିବାର ଲୋକେ ଘୋର ବିରୋଧ କରିଥିଲେ। ବିରୋଧ କରିବା ଯୋଗୁ ଖଣି କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ କେତେକ ଅମାନୁସିକ ବ୍ୟକ୍ତି ଗଣ୍ଡଗୋଳ କରିଥିଲେ। ବ୍ୟକ୍ତିମାନେ ପରିବାର ଲୋକଙ୍କୁ ଆକ୍ରମଣ କରି ମାଡମାରି ଲହୁଲୁହାଣ କରିଥିବା ବେଳେ ପଦିଆଙ୍କ ସ୍ତ୍ରୀ ଅମୂଲ ପିନ୍ଧିଥିବା ଶାଢି ଖୋଲି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏହି ବର୍ବରୋଚିତ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବାରୁ ରାସ୍ତା ନିର୍ମାଣ କାମ ବନ୍ଦ ରହିଛି। ଆକ୍ରମଣର ଶିକାର ହୋଇ ପଦିଆଙ୍କ ସ୍ତ୍ରୀ ଅମୂଲ, ଝିଅ ଲକ୍ଷ୍ମୀ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଅପରାହ୍ନରେ ଝୁମ୍ପୁରା ତହସିଲଦାରଙ୍କ ଦ୍ୱାରସ୍ଥ ହେବାପରେ ରାତ୍ରିରେ କେନ୍ଦୁଝରସ୍ଥିତ ଏସ୍‌ପିଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ପ୍ରକାଶ ଯେ, ଖଣି କର୍ତ୍ତୃପକ୍ଷଙ୍କ କବ୍‌ଜାରେ ଥିବା ଆଦିବାସୀ ପରିବାରଗୁଡିକର ଜାଗା ମାପଚୁପ କରି ପଜେଶନ ଦେବା ପାଇଁ ତତ୍କାଳୀନ ଉପଜିଲାପାଳଙ୍କର ନିର୍ଦ୍ଦେଶ ରହିଛି। ଝୁମ୍ପୁରା ତହସିଲ ପକ୍ଷରୁ ମାପଚୁପ ଆରମ୍ଭ କରାଯାଇ ଏ ପର୍ଯ୍ୟନ୍ତ କେବଳ ୪ଟି ପ୍ଲଟ ମାପଚୁପ ହୋଇ ବନ୍ଦ ରହିଛି। ଏ ନେଇ ମଧ୍ୟ ଏକ ରେଭିନ୍ୟୁ ମିସକେସ(ନଂ. ୧୬/୨୦୧୬) ରୁଜୁ ହୋଇଛି। ଏ ସମ୍ପର୍କରେ ବାମେବାରୀ ଥାନା ଅଧିକାରୀ ପ୍ରକାଶ ଟୋପ କହିଛନ୍ତି ଯେ, ତଦନ୍ତ କରାଯାଉଛି। ଝୁମ୍ପୁରା ତହସିଲଦାର ଜନକ ନାୟକଙ୍କୁ ପଚାରିବାରୁ ଆଦିବାସୀ ପରିବାରଗୁଡିକର ଜମି ମାପଚୁପ କରାଯାଇ ସେମାନଙ୍କୁ ପଜେଶନ ଦିଆଯିବ କହିଛନ୍ତି। ଏ ନେଇ ଏସ୍‌ପି ରାଜେଶ ପଣ୍ଡିତଙ୍କ ସହିତ ଯୋଗାଯୋଗ ହୋଇ ପାରି ନାହିଁ। ଖଣି କର୍ତ୍ତୃପକ୍ଷ ଏ ନେଇ ମତାମତ ଦେବାକୁ ମନା କରଦେଇଛନ୍ତି। ଅନ୍ୟପକ୍ଷରେ ଖଣି କର୍ତ୍ତୃପକ୍ଷଙ୍କର ଏତାଦୃଶ୍ୟ ଆଚରଣଙ୍କୁ ସ୍ଥାନୀୟ ଆଦିବାସୀ ପ୍ରଜା ହଜମ କରିପାରୁନାହାନ୍ତି। ମହିଳାଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଦିବାସୀଙ୍କ ଅସନ୍ତୋଷ କୁହୁଳୁଥିବା ଦେଖାଯାଉଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri