ଗର୍ଭବତୀ ମହିଳାଙ୍କୁ ନିଆଁରେ ପୋଡ଼ି ହତ୍ୟା: ସ୍ବାମୀ ସମେତ ୩ ଗିରଫ


କେନ୍ଦୁଝର/ରାଇସୁଆଁ, ୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ.)-ସୁଖର ସଂସାର ଗଢ଼ିବାକୁ ଝିଅ ବାପଘରୁ ଶାଶୂଘରକୁ ଯାଏ। ସ୍ବାମୀଙ୍କ ହାତରେ ହାତ ମିଶାଇ ପରିବାର ଲୋକଙ୍କୁ ଆପଣେଇ ନିଏ। ହେଲେ ଯୌତୁକ ଲୋଭରେ ଅନ୍ଧ ହୋଇ ଶାଶୂଘର ଲୋକେ ତାକୁ କେବେବି ଆପଣାର କରିପାରନ୍ତି ନାହିଁ। ଯୌତୁକ ଦାବିକରି ବାରମ୍ବାର ନିର୍ଯାତନା ଦେଇଚାଲନ୍ତି। ଶେଷରେ ଯୌତୁକ ଜୁଇରେ ଚାଲିଯାଏ କୁଳବଧୂର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ। ଜଣେ ନବବିବାହିତା ଗର୍ଭବତୀ ମହିଳା ନିଆଁରେ ପୋଡିହୋଇ ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ପୋଲିସ ମୃତାଙ୍କ ସ୍ବାମୀ ମନୋଜ ମହାନ୍ତଙ୍କ ସମେତ ଶାଶୂ ଡାଳିମ୍ବ ଓ ଶ୍ୱଶୁର ଖଗେଶ୍ୱରଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ମୃତ ମହିଳାଙ୍କ ନାମ ଦେବକୀ ମହାନ୍ତ(୧୯)। ସେ ବର୍ଷେ ତଳେ ମନୋଜଙ୍କୁ ବିବାହ କରିଥିଲେ। ଦେବକୀ ୭ ମାସର ଗର୍ଭବତୀ ଥିବା କୁହାଯାଉଛି। ମୃତକଙ୍କ ପିଉସୀ ପୁଅ ଭାଇ ଦୁଷ୍ମନ୍ତ ମହାନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ କହିଛନ୍ତି। ତେବେ ସ୍ବାମୀ, ଶ୍ୱଶୁର ଓ ଶାଶୂ ମିଶି କିରୋସିନି ଢାଳି ତାଙ୍କ ଝିଅକୁ ନିଆଁ ଲଗାଇ ପୋଡି ଦେଇଥିବା ମୃତା ମହିଳାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ସ୍ବାମୀ ଘରେ ନ ଥିବା ଏବଂ ଶାଶୁ, ଶ୍ୱଶୁର ଗାଧୋଇବାକୁ ଯାଇଥିବା ବେଳେ ଖାଇବା ପ୍ରସ୍ତୁତ କରୁଥିବା ସମୟରେ ତାଙ୍କ ବୋହୂଙ୍କ ଦେହରେ ନିଆଁ ଲାଗିଯାଇଥିଲା ପରିବାର ଲୋକ କହିଛନ୍ତି। ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଫେବୃୟାରୀ ମାସରେ ଦେବକୀ ବିବାହ କରିଥିଲେ। ବିବାହ ସମୟରେ ଦେବକୀଙ୍କ ବାପଘର ପକ୍ଷରୁ ଯୌତୁକ ଓ ସୁନାଗହଣା ଦିଆଯାଇଥିଲା। ତେବେ ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ହୋଇ ନ ଥିଲେ। ଏଣୁ ଅଧିକ ଟଙ୍କା ଦାବି କରି ଶ୍ୱଶୁର ଘର ଲୋକେ ଦେବକୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ସେହିପରି ଯୌତୁକ ଟଙ୍କା ନ ଆଣିଲେ ଜୀବନରେ ମାରିଦେବାକୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସବୁବେଳେ କଳହ ଲାଗିରହୁଥିଲା। ଏଣୁ ମଙ୍ଗଳବାର ସକାଳେ ଶ୍ୱଶୁର ଖଗେଶ୍ୱର, ଶାଶୁ ଡାଳିମ୍ବ ଏବଂ ସ୍ବାମୀ ମନୋଜ ମିଶି ଦେବକୀଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ପୋଡି ମାରି ଦେବା ପରେ ମୃତଦେହକୁ ବାହାରେ ପକାଇ ଦେଇଥିବା ଦୁଷ୍ମନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ଖବରପାଇ ମାମଲା(ନଂ.୩୧୨/୧୭), ଦଫା ୩୦୨, ୩୦୪(ବି), ୩୪ ଆଇପିସି, ୪୯୮(ଏ), ଯୌତୁକ ନିରୋଧକ ଆଇନ ଧାରା ୪ ବଳରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ଘଟଣା ବୋଲି ଜାଣିବା ପରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା। ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ମହିଳାଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri