ପୁଣି ଡାହାଣୀ ସନ୍ଦେହରେ ମହିଳାଙ୍କୁ ବାନ୍ଧି ମାଡ


ବଡସାହି,୭।୧୧(ସ୍ବ.ପ୍ର)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ବଡସାହି ବ୍ଲକରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ଯାତନା ଦିଆଯିବା ଘଟଣା ଥମିବା ନଁ। ଧରୁନି। ଗତ ମାସ ୨୨ ତାରିଖରେ ବଡସାହି ବ୍ଲକ ମଧୁପୁର ଗ୍ରାମର ୪ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଗଛରେ ବାନ୍ଧି ମାଡ ଘଟଣା ରବିବାର ସାମନାକୁ ଆସିଥିଲା। ଏହି ଘଟଣାରେ ସୋମବାର ୭ ଜଣ ଗିରଫ ହୋଇଥିବା ବେଳେ ୧୦୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଣି ଏହି ଘଟଣାର ପୁନରାବୃତ୍ତି ଘଟିଛି। ମଙ୍ଗଳବାର ବଡସାହି ଥାନା ଅଧୀନ ମାରକୁଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ଶତାଧିକ ଗ୍ରାମବାସୀ ଜଣେ ମହିଳାଙ୍କ ହାତ ବାନ୍ଧି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଜଣକ ଥାନା ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ମାମଲା (ନଂ୯୫/୧୭) ରୁଜୁ କରି ୪ ମହିଳାଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି। ଲିଖିତ ଅଭିଯୋଗରୁ ଜଣାଯାଏ, ମଙ୍ଗଳବାର ଲଳିତା ପ୍ରଧାନଙ୍କ ସହିତ ତାଙ୍କ ଭଉଣୀ ବିଶାଖା ମହାନ୍ତିଙ୍କର ସୀମା ବିବାଦକୁ ନେଇ ବଚସା ହୋଇଥିଲା । ଲଳିତା ପଡୋଶୀ ପରେଶ ସେଠୀଙ୍କ ଭଣଜାଙ୍କୁ ଡାହାଣୀ ହୋଇ ମାରିଦେଇଥିବା ବିଶାଖା ଗ୍ରାମବାସୀଙ୍କୁ କହିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ମୃତ ଯୁବକଙ୍କ ପରିବାର ଲୋକେ ଓ ଶତାଧିକ ମହିଳା ଲଳିତାଙ୍କ ହାତବାନ୍ଧି ମାଡ ମାରିବା ସହ ଡାହାଣୀ ବୋଲି କହି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଗ୍ରାମରକ୍ଷୀ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଲଳିତାଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ମାମୁ ପରେଶ ସେଠୀଙ୍କୁ ଗିରଫ କରିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମର ଶତାଧିକ ମହିଳା ମଙ୍ଗଳବାର ଥାନା ପରିସରରେ ପହଞ୍ଚତ୍ଥିଲେ। ଅଭିଯୋଗକାରୀଙ୍କ ଅଭିଯୋଗର ତଦନ୍ତ କରା ନ ଯାଇ ପୋଲିସ ମାମଲା ରୁଜୁ କରିଥିବାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବରପାଇ ବେତନଟୀ ଏସଡିପିଓ ଧିରେନ ଚନ୍ଦ୍ର ନନ୍ଦ, ବେତନଟୀ ଆଇଆଇସି ମିନତୀ ବିଶ୍ୱାଳ ଓ ବୈଶିଙ୍ଗା ଆଇଆଇସି ରେଣୁବାଳା ସାହୁ ଥାନାରେ ପହଞ୍ଚତ୍ ଅଭିଯୋଗକାରୀ ଓ ଉତ୍ତ୍ୟକ୍ତ ମହିଳାଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ଭଉଣୀଙ୍କ ଗଣ୍ଡଗୋଳ ସମୟରେ ପରେଶ ଘରେ ଅନୁପସ୍ଥିତ ଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏଥିରେ ଛନ୍ଦି ଦିଆଯାଇଛି ବୋଲି ମହିଳାମାନେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟକୁ ଅନୁଧ୍ୟାନ କରିବା ସହ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହୋଇଛି ଓ ଏଥିରେ ଡାହାଣୀ ପ୍ରସଙ୍ଗକୁ ନେଇ ହୋଇଥିବା ଅଭିଯୋଗ ମିଥ୍ୟା ବୋଲି ଏସଡିପିଓ ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri