ନିମ୍ନମାନର ଛତୁଆ ଖାଉଛନ୍ତି ଶିଶୁ


ଭଦ୍ରକ ଅଫିସ, ୭।୧୧-ଭଦ୍ରକ ଜିଲାରେ ଛତୁଆ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ସରକାରୀ ରେକର୍ଡ ପତ୍ରରେ ପ୍ରସ୍ତୁତ କରୁଥିବା କେତେକ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପ୍ରକୃତରେ ଏହା ପ୍ରସ୍ତୁତ ନ କରି ବିଭିନ୍ନ ସ୍ଥାନରୁ ନିମ୍ନମାନର ଛତୁଆ ଆଣି ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ବଣ୍ଟନ କରୁଛନ୍ତି। ଏପରିକି କିଛି ସ୍ଥାନରେ ବିନା ପ୍ରସ୍ତୁତ ତାରିଖ (ମାନୁଫାକଚର) କିମ୍ବା ଅବଧି ଶେଷ (ଏକ୍ସପାୟାର) ତାରିଖ ନ ଥିବା ଛତୁଆ ପ୍ରଦାନ କରାଯାଉଛି। ଫଳରେ ଛତୁଆର ପ୍ରକୃତ ମାନ ଠିକ୍‌ ରହୁନାହିଁ। ସରକାରୀ ସ୍ତରରେ ଶିଶୁମାନଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ବଣ୍ଟନ କରାଯାଉଥିବା ଛତୁଆ ଏବେ ଗୋରୁମାନଙ୍କ ଖାଦ୍ୟ ପାଲଟିଛି। ଅକ୍ଟୋବର ମାସରେ ଧାମନଗର ବ୍ଲକ କୋଠାର ଅଙ୍ଗନୱାଡି କେନ୍ଦ୍ର-୧ ଅଧୀନରେ ଥିବା ଜେନା ସାହି ଓ ଦାସ ସାହିରେ ଏକ୍ସପାୟାର ଛତୁଆ ବଣ୍ଟନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଆସିଷ୍ଟାଣ୍ଟ କଲେକ୍ଟର ବାସନ୍ତୀ କୁମାର ସାମଲ, ଡେପୁଟି କଲେକ୍ଟର ଜୟନ୍ତୀ ସେନାପତି, ଡିଏସଡବ୍ଲ୍ୟୁଓ ଆଶାଲତା ମହାନ୍ତି, ଧାମନଗର ସିଡିପିଓ ରେଣୁବାଳା ଦାସ ଧାମନଗର ବ୍ଲକର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଉଥିବା ୩ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ କରାଯାଇଥିବା କେନ୍ଦ୍ରଗୁଡିକ ହେଲା କୋଠାର ନସଲାପୁର ଭାଗବତ, ବମକୁରା ଆଇଡିଆଲ ଓ ଲକ୍ଷ୍ମୀ ମା’ ସ୍ବୟଂସହାୟିକା ଗୋଷ୍ଠୀର ପ୍ରସ୍ତୁତ କେନ୍ଦ୍ର। ଏହି ଟିମ୍‌ ଛତୁଆ ପ୍ରସ୍ତୁତ ପ୍ରଣାଳୀ ବୁଲି ଦେଖିଥିଲେ। ସମସ୍ତ କେନ୍ଦ୍ରରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଛତୁଆ ଦେଖିବା ସହ ବିନା ପ୍ରସ୍ତୁତି ତାରିଖ ଓ ଏକ୍ସପାୟାର ତାରିଖ ଲେଖା ନ ଥିବା ଛତୁଆ ପ୍ୟାକେଟ ଦେଖିଥିଲେ। ଦୀର୍ଘ ବର୍ଷ ଧରି ଏହିଭଳି ବଣ୍ଟା ଚାଲିଥିବା ତଦନ୍ତ ବେଳେ ଜାଣିପାରିଛନ୍ତି ଏହି ଟିମ୍‌। ଶିଶୁ ଖାଦ୍ୟ କୁହାଯାଉଥିବା ଏହି ଛତୁଆ ପ୍ୟାକେଟରେ ବିନା ତାରିଖ ଉଲ୍ଲେଖ ଥାଇ ବଣ୍ଟନ କରାଯାଉଥିଲେ ହେଁ କିଭଳି ସିଡିପିଓ ଓ ସୁପରଭାଇଜରମାନେ ଏହାକୁ ଜାଣିପାରୁ ନ ଥିଲେ ତାହା ତଦନ୍ତ ସାପେକ୍ଷ। ବିନା ପ୍ରସ୍ତୁତ ତାରିଖରେ ଏହିଭଳି ଛତୁଆ ବଣ୍ଟନ କରାଯାଇ କିଭଳି ଶିଶୁମାନଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳାଯାଇଛି ତାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଧାମନଗର ବ୍ଲକରେ। ଏ ନେଇ ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତି କୁହନ୍ତି ଯେ, ଏହି ଘଟଣାର ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri